Wheelchair-Bound but Unstoppable Photograph: (OTV)
ସେ ଅକ୍ଷମ ହେଲେ ବି ସକ୍ଷମ । ଏ ଜୀବନ ଯଦି ଯୁଦ୍ଧ ହୁଏ, ସେ ଜଣେ ସାହାସୀ ଯୋଦ୍ଧା । ଗୋଡ଼ ଦୁଇଟି ପଙ୍ଗୁ, ତଥାପି ସେ ହାର୍ ମାନିନାହାନ୍ତି, କାହା ଉପରେ ବୋଝ ନୁହଁନ୍ତି । ଜୀବନଟାକୁ ନିଇତି ଏଇ ଟ୍ରାଇ ସାଇକେଲରେ ଟାଣି ନେଉଛନ୍ତି ସେ । ଦେଖୁନାହାନ୍ତି କେତେବେଳେ ଟ୍ରାଇ ସାଇକେଲରେ ବସି ଗାଁକୁ ଗାଁ ବୁଲି ଔଷଧ ବିକୁଛନ୍ତି ତ ଆଉ କେତେବେଳେ ଟେଲରିଂ କରୁଛନ୍ତି । ଶାରିରୀକ ଅକ୍ଷମ ହୋଇ ବି ପୂରା ପରିବାରର ଭାର ବୋହୁଛନ୍ତି । ଏ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ମାଣିକପୁର ଗାଁର ଝିଅ ରଜନୀ ମଲ୍ଲିକ ।
ଜନ୍ମ ବେଳେ ଭଲ ଥିଲେ ରଜନୀ । ୧୦ ମାସର ହୋଇଥିଲେ ଥଣ୍ଡା ଜ୍ୱର ହେଲା । ଶିର ଟାଣି ହୋଇଗଲା, ସେବେଠାରୁ ତାଙ୍କର ଗୋଡ଼ ଦୁଇଟି ଅଚଳ । ପୋଲିଓ ଆକ୍ରାନ୍ତ ହେଲା ବୋଲି ଡାକ୍ତର କହିଲେ । ରଜନୀ ଦିବ୍ୟାଙ୍ଗ ହୋଇଗଲେ । ତଥାପି ଜୀବନ ଯୁଦ୍ଧରେ ହାର୍ ମାନିନାହାନ୍ତି ସେ । ଗୋଡ ଦୁଇଟି ଅଚଳ ହେଲେ କଣ ହେଲା, ସେ କିନ୍ତୁ ଅକ୍ଷମ ନୁହଁନ୍ତି । ରଜନୀଙ୍କ ୪ ଭଉଣୀ ବିବାହ କଲେ, ଦିବ୍ୟାଙ୍ଗ ହୋଇଥିବାରୁ ସେ ଘରେ ରହିଗଲେ । ଆଉ ପଣ କଲେ ଘରେ ରହି ନିଜ ବାପାମାଙ୍କ ସେବା କରିବି । ସିଲେଇ ଶିଖି ବର୍ତ୍ତମାନ ଏକ ସିଲେଇ ଦୋକାନରେ କାମ କରି ଦୁଇ ପଇସା ରୋଜଗାର କରୁଛନ୍ତି । କେବଳ ସେତିକି ନୁହଁ ଗାଁକୁ ଗାଁ ବୁଲି ଆୟୁର୍ବେଦିକ ଔଷଧ ବିକ୍ରି କରୁଛନ୍ତି । ବାଡିରେ ପନିପରିବା ହେଲେ ତାକୁ ବି ଟ୍ରାଇ ସାଇକେଲରେ ବୁଲି ବୁଲି ବିକ୍ରି କରନ୍ତି ।
ଭିଡିଓ ଦେଖନ୍ତୁ:
ଏକ ଟ୍ରାଇ ସାଇକେଲରେ ଘରର ସବୁ ଦାୟିତ୍ୱ ବୋହି ନେଉଛନ୍ତି ରଜନୀ । ନିଜେ ଆତ୍ମନିର୍ଭର ହୋଇଛନ୍ତି, ପରିବାରକୁ ବି ଚଳାଉଛନ୍ତି । ରଜନୀଙ୍କ କାହାଣୀ ସମାଜ ପାଇଁ ଏକ ଉଦାହରଣ ନିଶ୍ଚୟ।
ସରକାରୀ ସହାୟତା ଭାବରେ ରଜନୀଙ୍କୁ ଏବେ ଭତ୍ତା, ୫ କେଜି ଚାଉଳ ମିଳୁଛି । ସେ ନିଜର ଗୋଟିଏ ସିଲେଇ ଦୋକାନ କରିବାକୁ ଚାହାଁନ୍ତି । ଏଥିପାଇଁ ଆର୍ଥିକ ସହାୟତା ସହ ମାସିକ ୩୫ କେଜି ଚାଉଳ ମିଳିପାରିଲେ ଅଧିକ ଉପକୃତ ହୋଇପାରିବେ ବୋଲି ନିବେଦନ କରିଛନ୍ତି ରଜନୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/04/wheelchair-bound-but-unstoppable-2025-12-04-14-41-43.jpg)