Advertisment

ଲକଡାଉନ୍ କଟକଣା ପରେ ଦୁର୍ଦ୍ଦିନକୁ ଚାଲିଗଲାଣି ପରିବା ଚାଷୀଙ୍କ ଜୀବନ ଜୀବିକା

ଏପଟେ ବଜାର ଖାଁ ଖାଁ, ସେପଟେ କ୍ଷେତରେ ଲୋଟୁଛି କଞ୍ଚା ପରିବା। ଲକଡାଉନ୍ ପାଇଁ ବେପାର ନଥିବାରୁ ଟେନସନରେ ଅଛନ୍ତି ଚାଷୀ ଆଉ ବ୍ୟବସାୟୀ। କରୋନାର ଦ୍ୱିତୀୟ ଲହର ବ୍ୟାପିବା ଓ ରାଜ୍ୟରେ ଲକଡାଉନ୍ ଘୋଷଣା ପରେ ପରିବା ଚାଷର ପ୍ରମୁଖ ଅଞ୍ଚଳ କଟକ ଜିଲ୍ଲା ବାଙ୍କୀରେ ବି ଦେଖିବାକୁ ମିଳିଛି ଚାଷୀର ଦୁଃଖ

author-image
Sarbeswar
ଅଦ୍ୟତନ ହୋଇଛି
ଲକଡାଉନ୍ କଟକଣା ପରେ ଦୁର୍ଦ୍ଦିନକୁ ଚାଲିଗଲାଣି ପରିବା ଚାଷୀଙ୍କ ଜୀବନ ଜୀବିକା

farmer-destress

  • ଲକଡାଉନ୍‌ ଓ ସଟଡାଉନ୍‌କୁ ନେଇ ପରିବା ବେପାର ମାନ୍ଦା
  • ବ୍ୟବସାୟୀ ଆସୁନଥିବାରୁ ବିଲରେ ସଢ଼ୁଛି ପରିଶ୍ରମର ଫଳ
  • ସ୍ଥିତି ନସୁଧୁରିଲେ କେମିତି ସୁଝିବେ ଋଣ?
  • କେମିତ ଚଳାଇବେ ପରିବାର, ହତାଶାରେ ଚାଷୀ?
Advertisment

ଭୁବନେଶ୍ୱର: ରାଜ୍ୟରେ ଲକଡାଉନ୍ କଟକଣା ପାଇଁ ଦୁର୍ଦ୍ଦିନକୁ ଚାଲିଗଲାଣି ପରିବା ଚାଷୀଙ୍କ ଜୀବନ ଓ ଜୀବିକା। ରାସ୍ତା ଘାଟରେ କଟକଣା, ଗାଡ଼ି ମୋଟର ବନ୍ଦ ଓ ହାଟ ବଜାରରେ ପ୍ରତିବନ୍ଧକ ଲାଗିଥିବାରୁ ଆଜିକୁ ୧୦ ଦିନ ହେଲାଣି ଆଗଭଳି ଜମୁନି ପନିପରିବା ବ୍ୟବସାୟ। ବ୍ୟବସାୟୀ ପରିବା କିଣୁନଥିବାରୁ କ୍ଷତି ସହୁଛି ଚାଷୀ। ଉପକୂଳରୁ ଉପାନ୍ତ ଯାଏଁ ସବୁଠି ଏ ସମସ୍ୟା ଲାଗିରହିଥିବା ବେଳେ ସ୍ଥିତି କେବେ ସ୍ୱାଭାବିକ ହେବ, ତାକୁ ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଚାଷୀ।

ଏପଟେ ବଜାର ଖାଁ ଖାଁ, ସେପଟେ କ୍ଷେତରେ ଲୋଟୁଛି କଞ୍ଚା ପରିବା। ଲକଡାଉନ୍ ପାଇଁ ବେପାର ନଥିବାରୁ ଟେନସନରେ ଅଛନ୍ତି ଚାଷୀ ଆଉ ବ୍ୟବସାୟୀ। କରୋନାର ଦ୍ୱିତୀୟ ଲହର ବ୍ୟାପିବା ଓ ରାଜ୍ୟରେ ଲକଡାଉନ୍ ଘୋଷଣା ପରେ ପରିବା ଚାଷର ପ୍ରମୁଖ ଅଞ୍ଚଳ କଟକ ଜିଲ୍ଲା ବାଙ୍କୀରେ ବି ଦେଖିବାକୁ ମିଳିଛି ଚାଷୀର ଦୁଃଖ। ଗାଡ଼ି ଚଳାଚଳ ବନ୍ଦ୍ ଓ ବଜାରରେ ଚାହିଦା ନଥିବାରୁ ଏଠି କ୍ଷେତରେ ନଷ୍ଟ ହେଉଛି ପରିବା। ଅନୁରୂପ ସମସ୍ୟାରେ ସଢୁଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ଅଞ୍ଚଳର ପରିବା ଚାଷୀ। ଏଇଠୁ ଅମଳ ହୋଇଥାଏ ଜିଲ୍ଲାର ସବୁଠୁ ଅଧିକ ପନିପରିବା। ହେଲେ ଏବେ ଲକଡାଉନ୍ ପାଇଁ ଚାଷୀଙ୍କ ନିକଟକୁ ଆସୁନାହାନ୍ତି ବ୍ୟବସାୟୀ। ଫଳରେ ଚାଷୀ ଅମଳ କରୁନି, କି ବିକି ବି ପାରୁନି। ଏପଟେ ହାଟ ବଜାର ବନ୍ଦ କାରଣରୁ ବି ଚାଷୀର ହାତ ବନ୍ଧା। ତେଣୁ ଋଣ କରି ଚାଷ କରିଥିବା ଚାଷୀ କେମିତି ବଞ୍ଚିବ, ତାକୁ ନେଇ ଚିନ୍ତାରେ।

Advertisment

ଉପକୂଳ ଭଳି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବି ସ୍ଥିତି ସମାନ। ଏଠି ବି ଲକଡାଉନ୍ ମାଡ଼ରେ ଘାଇଲା ପରିବା ଚାଷୀ। ବର୍ଷ ତମାମ କେବଳ ପନିପରିବା ଚାଷ କରି ଚଳୁଥିବା ଚାଷୀକୂଳ ଏଇ ସମୟକୁ ଅପେକ୍ଷା କରିଥିଲେ ଭଲ ଦିପଇସା ପାଇଁ। ହେଲେ ମହାମାରୀ ଓ ଲକଡାଉନ୍ କଟକଣା ସେ ଖୁସିକୁ ଛଡାଇ ନେଇଛି। କୋରାପୁଟ ଜିଲ୍ଲାର ଜୟପୁର, ବୋରିଗୁମ୍ମା, କୁନ୍ଦୁରା, ସେମିଳିଗୁଡ଼ା ଆଦି ଅଞ୍ଚଳରେ ଚାଷୀର କ୍ଷେତ ହସୁଥିଲେ ବି ଅଭାବି ବିକ୍ରି ପାଇଁ ଚାଷୀ ମୁହଁରେ ହସ ନାହିଁ।

ସେହିଭଳି ଗଞ୍ଜାମ ଜିଲ୍ଲା ଆସିକାରେ ପରିବା ବ୍ୟବସାୟକୁ ନେଇ ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀଙ୍କର ବି ସମଦଶା। ସକାଳୁ ଦିନ ୧୨ଟା ଯାଏଁ ସୀମିତ ସମୟ ଭିତରେ ବେପାର ଜମୁନଥିବାରୁ ଚିନ୍ତାରେ ବ୍ୟବସାୟୀ। ଏପଟେ ନୂଆପଡ଼ା ଜିଲ୍ଲାର ଶହ ଶହ ପରିବା ଚାଷୀଙ୍କ ଭାଗ୍ୟକୁ କଳାବାଦଲ ଢାଙ୍ଗିଦେଇଛି ଲକଡାଉନ୍ କଟକଣା। ହାଟ, ବାଟ ସବୁ ବନ୍ଦ କାରଣରୁ ବିଲରେ ସଢ଼ୁଛି ପନିପରିବା।

ରାଜ୍ୟରେ ଘୋଷିତ ୧୪ ଦିନିଆ ଲକଡାଉନ୍ କଟକଣାକୁ ୟା ଭିତରେ ୧୦ ଦିନ ବିତିଲାଣି। ପରିବା ଚାଷୀଙ୍କ ଆଶା ଆଉ ୪ ଦିନ ପରେ ଯଦି ସ୍ଥିତିରେ ପରିବର୍ତ୍ତନ ହୁଏ, ତେବେ ସେମାନଙ୍କ କ୍ଷତି ଭରଣା ହେବ। ନହେଲେ ଗତ ବର୍ଷଭଳି ଏବର୍ଷ ବି ବିପନ୍ନ ହୋଇଯିବ ସେମାନଙ୍କ ଜୀବନ-ଜୀବିକା।

Advertisment
Advertisment