Tiaka-ctc
ଭୁବନେଶ୍ୱର: ଟିକା ପାଇଁ ଠେଲା ପେଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ସହରର ଜିଲ୍ଲା ସ୍କୁଲରେ ହୋଇଥିବା ଟିକାକରଣ କେନ୍ଦ୍ରରେ । ଶତାଧିକ ଲୋକ ଟିକା ନେବାକୁ ଆସିବାରୁ କେନ୍ଦ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସମସ୍ତେ ପ୍ରଥମେ ଟିକା ନେବା ପାଇଁ ଚେଷ୍ଟା କରିବାରୁ ଅସମ୍ଭାଳ ପରିସ୍ଥିତି ଉପୁଜିଥିଲା । ଉପସ୍ଥିତ ପୋଲିସ ବି ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହେଉଥିବା ଦେଖିବାକୁ ମିଳିଥିଲା । ଉଭୟ ଅନ୍ଲାଇନ୍ ଓ ଅଫଲାଇନ୍ରେ ଟିକା ପାଇଁ ପଞ୍ଜିକରଣ ହେଉଥିବାରୁ ଟିକାକରଣ କେନ୍ଦ୍ରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ଆସନ୍ତାକାଲି ରବିବାର ଟିକାକରଣ ବନ୍ଦ ରହୁଥିବାରୁ ଆଜି ଟିକା କେନ୍ଦ୍ରରେ ପ୍ରବଳ ଭିଡ଼ ହୋଇଥିବା ଜଣାପଡ଼ିଛି । ଭିଡ଼ ଏମିତି ଯେ କେହି କୋଭିଡ୍ ନିୟମ ମାନିନଥିଲେ । ଅନ୍ୟପଟେ ସିଡିଏମ୍ଓ କହିଛନ୍ତି ଜିଲ୍ଲା ସ୍କୁଲ କେନ୍ଦ୍ରରେ ୬ଶହ ଟିକା ପାଇଁ ବ୍ୟବସ୍ଥା ଥିବା ବେଳେ ହଜାରେରୁ ଅଧିକ ଲୋକ ଆସିଥିଲେ । ଫଳରେ ଏଭଳି ସ୍ଥିତି ଉପୁଜିଥିଲା ।
ଏପଟେ କଟକ ଏସ୍ସିବି ମେଡିକାଲରେ ହୋଇଥିବା ଟିକାକରଣ କେନ୍ଦ୍ରରେ ବି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଲୋକ ଧାଡ଼ି ଭାଙ୍ଗି ପ୍ରଥମେ ଟିକା ନେବା ପାଇଁ ଉଦ୍ୟମ କରିବାରୁ ସ୍ଥିତି ଅସମ୍ଭାଳ ହୋଇଥିଲା । ଏତେ ଭିଡ଼ କେମିତି ସମ୍ଭାଳିବେ, ସେନେଇ ଉପସ୍ଥିତ ଅଧିକାରୀଙ୍କ ଅକଲଗୁଡ଼ୁମ ହୋଇଯାଇଥିଲା । ଏସସିବିର ଜରୁରୀକାଳୀନ ଅଧିକାରୀ କହିଛନ୍ତି ଉଭୟ ଅଫ୍ ଲାଇନ୍ ଓ ଅନ୍ଲାଇନ୍ରେ ଟିକା ପଞ୍ଜିକରଣ ହେଉଥିବାରୁ ଅଧିକ ଭିଡ଼ ହେଉଛି । ଏହାଛଡ଼ା ମହାମାରୀଠୁ ରକ୍ଷା ପାଇବା ପାଇଁ ଟିକା ଗୋଟିଏ ମାତ୍ର ବିକଳ୍ପ । ତେଣୁ ଲୋକ ଟିକା ନେବାକୁ ଭିଡ଼ କରୁଥିବା ସେ କହିଛନ୍ତି । ତେବେ ଭିଡ଼ ନିୟନ୍ତ୍ରଣ ପାଇଁ ଆଗକୁ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବିନିକାର ସିଦ୍ଧାର୍ଥ କଲେଜରେ ଚାଲିଥିବା ଟିକାକରଣ କେନ୍ଦ୍ରରେ ମଧ୍ୟ ପ୍ରବଳ ଭିଡ ହୋଇଛି । ଲୋକେ ସିଧାସଳଖ କୋଭିଡ୍ ନିୟମକୁ ଫୁ’ କରି ଉଡାଇ ଦେଇଥିବା ଦେଖିବାକୁ ମିଳିଛି । ଏତେ ମାତ୍ରାରେ ଗହଳି ହୋଇଛି ଯେ, ଲୋକେ ଘଣ୍ଟା ଘଣ୍ଟା ଧରି ଅଟକି ରହିବା ପରେ ନିରାଶ ହୋଇ ଘରକୁ ଫେରି ଯାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Tiaka-ctc_1624713939.jpg)