/odishatv-khabar/media/post_attachments/uploadimage/library/16_9/16_9_0/std_1626687872.jpg)
std
ବ୍ରହ୍ମପୁର (ଜଗନ୍ନାଥ ସାହୁ) : କମ ଖର୍ଚ୍ଚରେ ଇ-ସାଇକେଲ। କିଛି ନୂଆ କରିବାକୁ ଯାଇ ଏଭଳି ଏକ ସାଇକେଲର ଉଦ୍ଭାବନ କରିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨ ଜଣ ଛାତ୍ର। ଘର ଠାରୁ ସ୍କୁଲ ପ୍ରାୟ ୧୫ରୁ ୨୦ କିଲୋମିଟର ଦୂରରେ ଥିବାବେଳେ ଏହାର ସମାଧାନ କରିବାକୁ ଯାଇ ଛାତ୍ରମାନେ ଏହି ପ୍ରୟାସ କରିଛନ୍ତି। ସ୍କୁଲର ଶିକ୍ଷୟିତ୍ରୀଙ୍କ ପରାମର୍ଶ ନେଇ ତିଆରି କରିଛନ୍ତି ଇ-ସାଇକେଲ୍। ଗଞ୍ଜାମ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ ଏହି ସାଇକେଲ ପ୍ରଦର୍ଶିତ ହୋଇଛି।
ବେଗୁନିଆପଡ଼ା ଆଦର୍ଶ ବିଦ୍ୟାଳୟର ଦୁଇ ଛାତ୍ର ସୁବାସ ଚନ୍ଦ୍ର ପଣ୍ଡା ଓ ରୋଶନ କୁମାର। ଉଭୟଙ୍କ ଗାଁ ସ୍କୁଲଠାରୁ ପ୍ରାୟ ୧୫ରୁ ୨୦ କିଲୋମିଟର ଦୂରରେ। ପ୍ରତିଦିନ ସାଇକେଲରେ ସ୍କୁଲ ଆସୁଥିବା ବେଳେ ଉଭୟ କ୍ଲାନ୍ତ ହୋଇ ପଡୁଥିଲେ। ଅଟୋ କିମ୍ବା ଅନ୍ୟ ଗାଡ଼ିରେ ଯିବା ଆସିବା କଲେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା। ଏହି ସମସ୍ୟାର ସମାଧାନ ପାଇଁ ଦୁଇ ଛାତ୍ର ସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ଲକ୍ଷ୍ମୀ ପ୍ରିୟା ମିଶ୍ରଙ୍କ ପରାମର୍ଶ ନେଇଥିଲେ। ଆଉ ତା’ ପରେ ଉଦ୍ଭାବନ କଲେ ଏହି ଇ-ସାଇକେଲ।
ଥରେ ଚାର୍ଜ କଲେ ସାଇକେଲ ଚାଲୁଛି ପ୍ରାୟ ୩୦ରୁ ୪୦ କିଲୋମିଟର। ଏହି ସାଇକେଲ ପ୍ରସ୍ତୁତ କରିବାକୁ ଖର୍ଚ୍ଚ ହୋଇଛି ମାତ୍ର ୩୦୦୦ ଟଙ୍କା। ଏହି ସାଇକେଲ ପ୍ରସ୍ତୁତ ପାଇଁ ଲାଗିଥିଲା ପ୍ରାୟ ୨୦ ଦିନ। ସାଇକେଲରେ ଲାଗିଛି ଏକ୍ସିଲେରେଟର୍, ଡାଇନାମୋ ସହ ଏକ ମୋଟର। ସମ୍ମୁଖ ପାଖ ହେଡ୍ଲାଇଟ୍ ପାଇଁ ଲାଗିଛି ୩ଟି ଏଲ୍ଇଡି ଲାଇଟ୍। ତା ସହ ୨ଟି ଲିଥିୟମ୍ ଆଇଅନ୍ ବ୍ୟାଟେରୀ। ସାଇକେଲଟି ଘଣ୍ଟାପ୍ରତି ୧୦ରୁ ୨୦ କିଲୋମିଟର ବେଗରେ ଗଡିବ। ଆଗକୁ ଏଥିରେ ସେନ୍ସର ଲଗାଇବାକୁ ଯୋଜନା କରିଛନ୍ତି ଦୁଇ ଛାତ୍ର ସୁବାସ ଓ ରୋଶନ।
ସାଇକେଲରେ ବ୍ୟାଟେରୀ ରିଚାର୍ଜ ପାଇଁ ୩ ପ୍ରକାର ବ୍ୟବସ୍ଥା ହୋଇଛି। ସାଇକେଲ ଚାଳକ ପ୍ୟାଡେଲ ମାରିଲେ ଚକକୁ ଲାଗିଥିବା ଡାଇନାମୋରୁ ବିଦ୍ୟୁତ ଉତ୍ପାଦନ ହେବ। ଏଥିସହ ବ୍ୟାଟେରୀକୁ ସୋଲାର ପ୍ୟାନେଲ ସହ ସଂଯୋଗ କରାଯାଇଛି। ଏଭଳିକି ବ୍ୟାଟେରୀକୁ ଚାର୍ଜ କରିହେବ। ବିଦ୍ୟୁତ ଦ୍ୱାରା ମଧ୍ୟ ବ୍ୟାଟେରୀକୁ ଚାର୍ଜ କରି ହେବ। ବାଇକ ଷ୍ଟାର୍ଟ ଭଳି ରହିଛି ସାଇକେଲ ଷ୍ଟାର୍ଟ ପାଇଁ ମଧ୍ୟ ଚାବି ରହିଛି। ଯଦି ଅଧାବାଟରେ ବ୍ୟାଟେରୀର ଚାର୍ଜ ସରିଯାଏ, ତେବେ ଗୋଟିଏ କିଲୋମିଟର ପ୍ୟାଡେଲ ମାରି ଚଲାଇଲେ ଆଉ ୫ କିଲୋମିଟର ବିନା ପ୍ୟାଡେଲରେ ଚାଲିପାରିବ। ବିଜ୍ଞାନ ପ୍ରଦର୍ଶନୀରେ ଏହି ସାଇକେଲକୁ ନିଜେ ଚଳାଇଥିଲେ ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା। ଦୁଇ ଛାତ୍ରଙ୍କ ଉଦ୍ୟମକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏହି ପ୍ରୟାସ ଅନେକ ସହାୟକ ହେବ ବୋଲି କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)