Advertisment

Honest Panchayat Leadership: ୨୦ ବର୍ଷ କ୍ଷମତାରେ ରହିଲେ; ନିଜ ପାଇଁ ଘର ଖଣ୍ଡେ କରି ପାରିଲେନି

ଦୀର୍ଘ ୨୦ ବର୍ଷ ପଞ୍ଚାୟତରେ କ୍ଷମତାରେ ଥିଲେ ମଧ୍ୟ ନିଜ ପାଇଁ ଭଲ ଘର ଖଣ୍ଡେ କରି ପାରିଲେନି ପୂର୍ବତନ ସରପଞ୍ଚ ଦମ୍ପତି। ଏବେ ଚାଷବାସ କରି ଜୀବିକା ନିର୍ବାହ କରୁଛନ୍ତି। ଏବେ ଲୋକେ ତାଙ୍କୁ ଜନପ୍ରତିନିଧି ଭାବେ ଚାହାନ୍ତି।

author-image
Pramod Behera
Honest Panchayat Leadership

୨୦ ବର୍ଷ କ୍ଷମତାରେ ରହିଲେ; ନିଜ ପାଇଁ ଘର ଖଣ୍ଡେ କରି ପାରିଲେନି Photograph: (OTV)

ଲୋକଙ୍କ ପାଇଁ ପଞ୍ଚାୟତ ପ୍ରତିନିଧି ଭାବେ ୨୦ ବର୍ଷ କାମ କଲେ, ହେଲେ ନିଜ ପରିବାରର ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘର ଖଣ୍ଡେ କରିପାରିଲେନି। ଏବେ ନିଜ ଜେଜେ ବାପାଙ୍କ ଜମିରେ ଚାଷବାସ କରି ଜୀବିକା ନିର୍ବାହ କରୁଛନ୍ତି ପୂର୍ବତନ ସରପଞ୍ଚ ଦମ୍ପତି। ଏହି ଦମ୍ପତି ହେଲେ ଗଜପତି ଜିଲ୍ଲା ମୋହନା ବ୍ଲକ କର୍ଚବାଡି ପଂଚାୟତ ପରମଙ୍ଗା ଗାଁର ପୂର୍ବତନ ସରପଞ୍ଚ ଦମ୍ପତି କାମ୍ବି ମଲ୍ଲିକ ଓ ଗାବିଲୀମାଂଗା ମଲ୍ଲିକ। 

Advertisment

ଗତ ୨୦୦୨ ମସିହାରୁ ୨୦୨୨ ମସିହା ପର୍ଯ୍ୟୟ ଉଭୟ ଦମ୍ପତି କର୍ଚବାଡି ପଞ୍ଚାୟତରେ ବିଭିନ୍ନ ପଦ ପଦବୀରେ ରହି ଲୋକଙ୍କ ପାଇଁ ଉନ୍ନୟନମୂଳକ କାମ କରିଛନ୍ତି। ଲୋକଙ୍କ ପାଇଁ ଭଲ କାମ କରିଥିବାରୁ ଜନସାଧାରଣ ବାରଂବାର ତାଙ୍କୁ ଭୋଟ ଦେଇ ନିର୍ବାଚିତ କରିଥିଲେ। 

ଗତ ୨୦୦୨ ରୁ ୨୦୦୭ ମସିହା ପର୍ଯ୍ୟନ୍ତ ପ୍ରଥମେ ପତ୍ନୀ ଗାବିଲିମଙ୍ଗା ମଲ୍ଲିକ ନାଏବ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ତାପରେ ୨୦୦୭ ରୁ ୨୦୧୭ ମସିହା ଯାଏଁ ପତ୍ନୀ ସମିତି ସଭ୍ୟା ଓ ପରେ ସରପଞ୍ଚତ ଭାବେ ନିର୍ବାଚିତ ହୋଇଥିଲେ। ପରେ ସ୍ୱାମୀ କାମ୍ବି ମଲ୍ଲିକ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ସରପଂଚ ଭାବେ ନିର୍ବାଚିତ ହୋଇଥିଲେ। ଦୀର୍ଘ ୨୦ ବର୍ଷ ଉଭୟ ପତି-ପତ୍ନୀଙ୍କୁ ଜନସାଧାରଣ ଭୋଟ ଦେଇ ଦୁଇ ଥର ସରପଞ୍ଚ, ଗୋଟିଏ ଥର ସମିତି ସଭ୍ୟ  ଓ ନାଏବ ସରପଞ୍ଚ ଭାବେ ନିର୍ବାଚିତ କରିଥିଲେ।

Advertisment

ଲୋକଙ୍କ ପାଇଁ ନିଃସ୍ୱାର୍ଥ ପର ଭାବେ କାମ କଲେ, ହେଲେ ନିଜ ପାଇଁ ଘର ଖଣ୍ଡେ କରି ପାରିଲେ ନାହିଁ କି କିଛି ସଞ୍ଚୟ କରି ପାରିଲେନି। କାରଣ ସେ ନିଜଠାରୁ ଅଧିକ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉଥିଲେ। ବର୍ତ୍ତମାନ ଏହି ଦମ୍ପତି ଜେଜେ ବାପା ଅମଳର ସେହି ପୁରୁଣା ନୁଆଣିଆ ଟିଣ ଛପର ଘରେ ନିଜ ପରିବାରକୁ ନେଇ ଚାଷବାସ କରି ଜୀବିକା ନିର୍ବାହ କରୁଛନ୍ତି। ଗୋଟିଏ ପୁଅ ବି-ଟେକ୍‌ରେ ଅଧ୍ୟୟନ କରୁଥିବା ବେଳେ ଅନ୍ୟ ଜଣେ ପୁଅ ଯୁକ୍ତ ତିନିରେ ପାଠ ପଢୁଛି। 

ଲୋକେ ପୁଣିଥରେ ଗତ ୨୦୨୨ ମସିହାରେ ନିର୍ବାଚନ ସମୟରେ ସରପଂଚରେ ଛିଡ଼ା ହେବା ପାଇଁ ବାଧ୍ୟ କରୁଥିଲେ, ହେଲେ କାମ୍ବି ମଲ୍ଲିକ ଅନ୍ୟମାନଙ୍କୁ  ସୁଯୋଗ ଦେବା ପାଇଁ ଏବେ ସେ ରାଜନୀତିରୁ ବିଦାୟ ନେଇ ଘରେ ରହି ଚାଷବାସ କରୁଛନ୍ତି। 
କାମ୍ବୀ ମଲ୍ଲିକ ଲୋକ ହିସାବରେ ଜଣେ ଶାନ୍ତ ସରଳ ସ୍ଵଭାବ ଓ ନିଃସ୍ୱାର୍ଥ୍ୟପର ବ୍ୟକ୍ତି। ୨୦ ବର୍ଷର ଜନସେବା ଭିତରେ ସେ କୌଣସି ଠକ ଓ ଦୁର୍ନୀତିକୁ ପ୍ରଶୟ ଦେଇ ନାହାନ୍ତି। ସରପଂଚ ଭାବେ ସରକାରଙ୍କ ଠାରୁ ଯେତିକି ଭତା ପାଉଥିଲେ ସେତିକିରେ ସେ ସନ୍ତୁଷ୍ଟ ହୋଇ ଲୋକଙ୍କ ପାଇଁ କାମ କରୁଥିଲେ। ତାଙ୍କର ଭଲ କାମ ଯୋଗୁଁ ପଞ୍ଚାୟତବାସୀ ତାଙ୍କୁ ପୁଣି ଥରେ ପ୍ରତିନିଧି ଭାବେ ଦେଖିବାକୁ ଚାହାଁନ୍ତି।

Mohana Human Interest Story Sarapancha
Advertisment
Advertisment