/odishatv-khabar/media/post_attachments/uploadimage/library/16_9/16_9_0/Untitled-1-52_1620719228.jpg)
Untitled-1
ଭୁବନେଶ୍ଵର: ରାଜ୍ୟରେ ଅଧିକ ପରିମାଣର ଟିକା ମହଜୁଦ୍ ରଖିବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଗ୍ଲୋବାଲ୍ ଟେଣ୍ଡର। ରାଜ୍ୟବାସୀଙ୍କୁ କରୋନା ଟିକା ଯୋଗାଇବା ଉଦ୍ଦେଶ୍ୟରେ ଗ୍ଲୋବାଲ ଟେଣ୍ଡରକରି ଟିକା କିଣିବ ସ୍ଵାସ୍ଥ୍ୟ ବିଭାଗ। କ୍ୟାବିନେଟର ଅନୁମୋଦନ ପରେ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ପାଇଁ ୨ଟି କମିଟି ଗଠନ କରିଛନ୍ତି। ଖୁବଶୀଘ୍ର ଏହି କମିଟିର ବୈଠକ ବସି ମୋଡାଲିଟି ସ୍ଥିର କରାଯିବ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଗ୍ଲୋବାଲ ଟେଣ୍ଡର ହେଲେ ରାଜ୍ୟକୁ ଅଧିକ କମ୍ପାନୀ ମିଳିବା ସହିତ ଟିକାର ମୂଲ୍ୟ ମଧ୍ୟ କମ ରହିପାରେ। ଫଳରେ ରାଜ୍ୟ ପର୍ଯ୍ୟାପ୍ତ ପରିମାଣର ଟିକା ପାଇପାରିବ ଏବଂ ରାଜ୍ୟରେ ଟିକାକରଣ ଅଭିଯାନକୁ ବ୍ୟାପକ କରାଯାଇ ପାରିବ ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ତେବେ ଗ୍ଲୋବାଲ ପାଇଁ ସ୍ଵାସ୍ଥ୍ୟ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍। ଗ୍ଲୋବାଲ ଟେଣ୍ଡର ପାଇଁ ଗଠିତ ଦୁଇ କମିଟିରେ ଟେଣ୍ଡର ପ୍ରକ୍ରିୟାର ସୁପରଭାଇଜ୍ ପାଇଁ ରାଜ୍ୟ ସରକାର ଏକ ବୈଷୟିକ କମିଟି ଏବଂ ଆଉ ଏକ ମ୍ୟାନେଜରିଆଲ କମିଟି ଗଠନ କରିଛନ୍ତି। ବୈଷୟିକ କମିଟିରେ ଡିଏମ୍ଇଟି ଏବଂ ଆର୍ଏମ୍ଆରସି ନିର୍ଦ୍ଦେଶକଙ୍କ ସମେତ ୧୦ ଜଣ ସଦସ୍ୟ ରହିଥିବାବେଳେ ମ୍ୟାନେଜରିଆଲ କମିଟିରେ ରାଜ୍ୟ ଔଷଧ ନିଗମର ଏମଡିଙ୍କ ସମେତ ୯ ଜଣ ସଦସ୍ୟ ରହିଛନ୍ତି।
ସ୍ଵାସ୍ଥ୍ୟ ବିଭାଗ ଏକ ପ୍ରେସ ରିଲିଜ ଜାରି କରି ଦର୍ଶାଇଛି ଯେ, ୧୮ରୁ ୪୪ ବର୍ଷ ବୟସ୍କ ଏକକୋଟି ତେୟାନବେ ଲକ୍ଷ ଷାଠିଏ ହଜାର ଲୋକଙ୍କୁ ମାଗଣାରେ ଟିକା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଦେଶର ଦୁଇ ଟିକା ଉତ୍ପାଦନକାରୀ ସଂସ୍ଥା ମାସକୁ ଯୋଗାଇ ଦେଇଥିବା ଟିକାର ପରିମାଣର ହିସାବକୁ ଦେଖିଲେ ରାଜ୍ୟରେ ଟିକାକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ବହୁବର୍ଷ ଲାଗିଯିବ। ତେଣୁ ଓଡ଼ିଶା ରାଜ୍ୟ ଔଷଧ ନିଗମ ଦ୍ୱାରା ଇ-ଗ୍ଲୋବାଲ ଟେଣ୍ଡର ଦ୍ୱାରା ଖୋଲା ବଜାରରୁ ପ୍ରତିଷେଧକ ଟିକା କ୍ରୟ କରାଯିବ। ତେବେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ଅନେକ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି। ବିଶେଷ କରି ଲକଡାଉନକୁ ରାଜ୍ୟବାସୀ ସମର୍ଥନ କରିଥିବାରୁ ସରକାର କୃତଜ୍ଞତା ପ୍ରକାଶ କରିଛନ୍ତି। ଏସ୍ରାଏଲ୍ ଭଳି ଦେଶ ଟିକାକରଣ କରି ସ୍ଵାଭାବିକ ଅବସ୍ଥାକୁ ଫେରିଥିବାରୁ ସେହିଭଳି ରାସ୍ତା ଆପଣାଇବାକୁ ଏଥିରେ କୁହାଯାଇଛି।
ଏହାବ୍ୟତୀତ ଟିକା ଉପରୁ ସବୁ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଥିବା କହିଛନ୍ତି। ଏହାଦ୍ୱାରା ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ ବୋଲି କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)