/odishatv-khabar/media/post_attachments/uploadimage/library/16_9/16_9_0/disability_1626685760.jpg)
disability
ଆଳି( ବନମାଳି ସାହୁ)/ ଆନନ୍ଦପୁର (ମୁନା ସିଂହ) : ଭିନ୍ନକ୍ଷମ ହେଲେ ବି ସେମାନେ ସକ୍ଷମ। ଜୀବନର ଅପରାହ୍ନରେ ପାଦ ଦେଲେଣି, ତଥାପି ସେମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା । ସେହି ଦୁଇଜଣ ଦିବ୍ୟାଙ୍ଗ ମହିଳା ହେଲେ ଆନନ୍ଦପୁର ଅଞ୍ଚଳର ଭାମା ଅପା ଏବଂ ଆଳି କଳସପୁର ଗାଁର ଉର୍ବଶୀ ଦାଶ। ପିଲା ଦିନରୁ ଦୁହେଁ ଦିବ୍ୟାଙ୍ଗ , ହେଲେ ସେମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଆଜି ସମାଜରେ ଦେଇଛି ତାଙ୍କୁ ନୂଆ ପରିଚୟ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ କଳସପୁର ଗାଁର ଉର୍ବଶୀ ଦାଶ। ଗାଁର ଅଙ୍ଗନାବାଡ଼ି କେନ୍ଦ୍ରରେ ଶିକ୍ଷକତା କରନ୍ତି। ପିଲା ଦିନରେ ପୋଲିଓ ଆକ୍ରାନ୍ତ ହୋଇ ହରାଇଥିଲେ ହାତ। ହେଲେ ଆଜି କିଏ ବି ତାଙ୍କୁ ଦିବ୍ୟାଙ୍ଗ କହିବାକୁ ସାହାସ କରିବେନି । ନିଜ ହାତରେ ରୋଷେଇ ଠାରୁ ଆରମ୍ଭ କରି ଘରର ନିତ୍ୟ ବ୍ୟବହାର୍ଯ୍ୟ କାମ କରୁଛନ୍ତି। କେବଳ ସେତିକି ନୁହେଁ ନାରୀ ମାନଙ୍କୁ ସ୍ୱାବଲମ୍ବୀ କରିବା ଲାଗି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କରି ତାହାର ନେତୃତ୍ୱ ନେଇଛନ୍ତି। ଗାଁର ସମସ୍ତଙ୍କ ପ୍ରିୟ ଉର୍ବଶୀ ଅପା ନିଜ ଅସାଧାରଣ ପ୍ରତିଭା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବହୁଥର ପୁରସ୍କୃତ ହୋଇଛନ୍ତି।
ଆଳିର ଉର୍ବଶୀଙ୍କ ପରି ଆଉ ଜଣେ ହେଲେ ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକ ଯଶବନ୍ତପୁର ଗ୍ରାମର ସତ୍ୟଭାମା ସାହୁ ,ଓରଫ୍ ଭାମା ଅପା l ଜନ୍ମର ୧୧ ମାସରେ ପୋଲିଓ ରୋଗରେ ଅକ୍ରାନ୍ତ ହୋଇ ସମ୍ପୂର୍ଣ ଭିଣ୍ଣକ୍ଷମ ହୋଇଥିଲେ l ଏବେ ସେ ବୟସର ଅପରାହ୍ନରେ । ତଥାପି ହାର ମାନିନାହାଁନ୍ତି । ୬୪ ବର୍ଷ ବୟସରେ ଗ୍ରାମର ମହିଳାଙ୍କୁ ନେଇ ସେ ସିଲେଇ ଶିକ୍ଷା ଦେବା ସହ ସ୍ୱାବଲମ୍ବୀ କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି। ଏହାଛଡ଼ା ଆଶ୍ରମରେ ରହି ପିଲାଙ୍କୁ ଟ୍ୟୁସନ ବି କରୁଛନ୍ତି । ଭିନ୍ନକ୍ଷମ ହେଲେ ବି ବିନା ସରକାରୀ ସହାୟତାରେ ସମସ୍ତଙ୍କ ଦିଗଦର୍ଶକ ପାଲଟିଛନ୍ତି ଗାଁର ଅତିପ୍ରିୟ ଭାମା ଅପା ।
ଜନ୍ମରୁ ଭିନ୍ନକ୍ଷମ ହେଲେ ବି ବଞ୍ଚିବାର ଆଶା ସହ ଦୃଢ଼ ଇଚ୍ଛା ଶକ୍ତି ଆଜି ଏହି ଦୁଇ ମହିଳାଙ୍କୁ ଦେଇଛି ନୂଆ ପରିଚୟ। ଆଉ ଭିନ୍ନକ୍ଷମ ହେଲେ ବି ସକ୍ଷମ ଆଖ୍ୟାକୁ ବଜାୟ ରଖିଛନ୍ତି ଆଳିର ଉର୍ବଶୀ ଓ ଆନନ୍ଦପୁରର ଭାମା ଅପା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)