Advertisment

ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢୁଛି

ଗଲା ୨୪ ଘଣ୍ଟାରେ ଦେଶରେ ୬ ହଜାର ୧୪୮ ଜଣଙ୍କ ମୃତ୍ୟୁ ସହ ଦୈନିକ ମୃତ୍ୟୁସଂଖ୍ୟାରେ ସୃଷ୍ଟି ହୋଇଛି ଅଲୋଡ଼ା ରେକର୍ଡ। ଏଣେ ରାଜ୍ୟରେ ବି ଗଲା କିଛିଦିନ ଧରି ଯେଉଁ ୪୦ ପ୍ଲସ୍ ଟ୍ରେଣ୍ଡ୍ ଜାରି ରହିଛି। ତାହା ଆଜି ବି ଦେଖିବାକୁ ମିଳିଛି।

author-image
Sarbeswar
ଅଦ୍ୟତନ ହୋଇଛି
ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢୁଛି

Corona-Death

  • ଖସୁଛି ସଂକ୍ରମଣ, ହେଲେ ରେକର୍ଡ କରୁଛି ମୃତ୍ୟୁ
  • ଦେଶରେ ଦିନକରେ ୬ ହଜାର ୧୪୮ ମୃତ
  • ରାଜ୍ୟରେ ବି ଜାରି ରହିଛି ୪୦ ପ୍ଲସ୍ ଟ୍ରେଣ୍ଡ
  • ରାଜ୍ୟରେ ୧୦ ଦିନରେ ଗଲାଣି ୪୧୩ ପ୍ରାଣ
  • ମହିଳାଙ୍କ ତୁଳନାରେ ଯାଉଛି ୩ଗୁଣା ଅଧିକ ପୁରୁଷଙ୍କ ଜୀବନ
Advertisment

ଭୁବନେଶ୍ୱର(ହରିହର ଚାନ୍ଦ): ଗଲା ୨୪ ଘଣ୍ଟାରେ ଦେଶରେ ୬ ହଜାର ୧୪୮ ଜଣଙ୍କ ମୃତ୍ୟୁ ସହ ଦୈନିକ ମୃତ୍ୟୁସଂଖ୍ୟାରେ ସୃଷ୍ଟି ହୋଇଛି ଅଲୋଡ଼ା ରେକର୍ଡ। ଏଣେ ରାଜ୍ୟରେ ବି ଗଲା କିଛିଦିନ ଧରି ଯେଉଁ ୪୦ ପ୍ଲସ୍ ଟ୍ରେଣ୍ଡ୍ ଜାରି ରହିଛି। ତାହା ଆଜି ବି ଦେଖିବାକୁ ମିଳିଛି। କେବଳ ଜୁନ୍ ମାସର ପ୍ରଥମ ୧୦ ଦିନରେ ୪୧୩ ଜଣଙ୍କ ମୁଣ୍ଡ ନେଲାଣି କରୋନା। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ମହିଳାଙ୍କ ତୁଳନାରେ ପ୍ରାୟ ୩ ଗୁଣା ପୁରୁଷଙ୍କ ଜୀବନ ଯାଉଛି। ପଜିଟିଭିଟି ହାର କମୁଥିବା ବେଳେ ମୃତ୍ୟୁସଂଖ୍ୟା ନକମିବା ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।

କରୋନା କାଳରେ ମୃତ୍ୟୁର କହର ବଢୁଛି। ସଂକ୍ରମଣ ଧିରେ ଧିରେ ଖସୁଥିଲେ ବି ମୃତ୍ୟୁ ସଂଖ୍ୟା କିନ୍ତୁ କମୁନି। ଆଜି ଦେଶରେ ସର୍ବାଧିକ ୬ ହଜାର ୧୪୮ ଜଣଙ୍କ ଜୀବନ ନେଇଛି ମହାମାରୀ। ଯାହାକି ଦୈନିକ ମୃତ୍ୟୁସଂଖ୍ୟାରେ ସର୍ବାଧିକ। ଓଡ଼ିଶାରେ ବି ସଂଖ୍ୟା କିଛି କମ୍ ନୁହଁ। ଏଯାଏଁ କୋଭିଡରେ ମୋଟ୍ ୩, ୧୬୭ ଜଣଙ୍କ ମୃତ୍ୟୁ ହେଲାଣି। ଜୁନ୍ ପହିଲାରେ ୩୭ ଜଣଙ୍କ ଜୀବନ ନେଇଥିଲା କରୋନା। ଜୁନ୍ ୨ରେ ସଂଖ୍ୟା ୪୦ରେ ପହଞ୍ଚିଲ, ତାପରେ ୪୦ ଉପରେ ରହିଛି ଦୈନିକ ମୃତ୍ୟୁ ଟ୍ରେଣ୍ଡ। ୮ ତାରିଖରେ ସର୍ବାଧିକ ୪୫ ଜଣ ପ୍ରାଣ ହରାଇଥିବା ବେଳେ ଗତ ୨୪ ଘଣ୍ଟାରେ ଯାଇଛି ୪୪ ଜଣଙ୍କ ଜୀବନ।

Advertisment

ଜୁନ୍ ମାସର ପ୍ରଥମ ୧୦ ଦିନରେ ସମୁଦାୟ ୪୧୩ ଜଣଙ୍କୁ ଗ୍ରାସି ସାରିଲାଣି କରୋନା ରାକ୍ଷାସ। ଗତ ମେ ମାସରେ ସମୁଦାୟ ୭୧୧ ଜଣଙ୍କ ଜୀବନ ନେଇଥିଲା କୋଭିଡ୍। ଏସବୁ ତଥ୍ୟ ସ୍ୱାସ୍ଥ୍ୟ ବିଭାଗର କିନ୍ତୁ ଅସଲ ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଅଭିଯୋଗ ହେଉଛି। ବିଭିନ୍ନ ମଶାଣିରେ ଦିନରାତି ଦାହ ସଂସ୍କାର ଜାରି ରହିଥିବାରୁ ସଂଖ୍ୟା ଯଥେଷ୍ଟ ଅଧିକ ହୋଇଥିବା କୁହାଯାଉଛି। ସେପଟେ ମେରେ କରୋନା ବିସ୍ଫୋରକ ରୂପ ଧାରଣ କରିବା ସହିତ ଅନେକ ରୋଗୀ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଏବେ ମଧ୍ୟ ୬୨ ପ୍ରତିଶତ ଆଇସିୟୁ ବେଡର ରୋଗୀ ଚିକିତ୍ସିତ ହେଉଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ମହିଳାମାନଙ୍କ ତୁଳନାରେ ୩ ଗୁଣା ଅଧିକ ପୁରୁଷଙ୍କ ପ୍ରାଣ ଯାଇଛି। କରୋନାରେ ଜୁନ୍ ୭ ତାରିଖ ସୁଦ୍ଧା ରାଜ୍ୟରେ ୭୭୭ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୨୩୦୨ ଜଣ ପୁରୁଷ ଜୀବନ ହାରିଛନ୍ତି। ବୟସ ଅନୁଯାୟୀ ଦେଖିଲେ ୪୫ରୁ ୬୦ ବର୍ଷ ବୟସ ବର୍ଗରେ ସର୍ବାଧିକ ୧୨୭୭ ଜଣ ଏବଂ ୬୦ ବର୍ଷରୁ ଅଧିକ ବୟସ ବର୍ଗରେ ୧୧୬୭ ଜଣଙ୍କ ମୃତ୍ୟୁ ଘଟିଛି। ୧୫ରୁ ୪୪ ବର୍ଷ ବା ଯୁବବର୍ଗରେ ୬୨୪ ଜଣ ଏବଂ ୧୪ ବର୍ଷ ଭିତରେ ୧୨ ଜଣ ଶିଶୁଙ୍କ ଜୀବନ ନେଇଛି କରୋନା। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ। ତାଛଡ଼ା ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଘରୁ ବାହାରକୁ ବାହାରୁଥିବାରୁ ସେମାନେ ବେଶି ସଂକ୍ରମିତ ହେଉଛନ୍ତି ଓ କରୋନାର ଶିକାର ହେଉଛନ୍ତି।

କରୋନା ସଂକ୍ରମଣ କଥା ଦେଖିଲେ ଏଯାଏଁ ମୋଟ୍ ସଂଖ୍ୟାରୁ ୬୪ ପ୍ରତିଶତ ପୁରୁଷ ଓ ୩୬ ପ୍ରତିଶତ ମହିଳା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଗକୁ ସମ୍ଭାବ୍ୟ ତୃତୀୟ ଲହରରେ ଛୋଟ ଶିଶୁ ଓ କିଶୋରମାନେ ଅଧିକ ଆକ୍ରାନ୍ତ ହେବେ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

Corona Case Today
Advertisment
Advertisment