/odishatv-khabar/media/media_files/2026/01/10/puc-politics-heats-up-2026-01-10-20-02-44.jpg)
ପିୟୁସିକୁ ନେଇ ରାଜନୀତି ତୀବ୍ର Photograph: (OTV)
ତୀବ୍ର ହେଲା ପ୍ରଦୂଷଣ ପଲିଟିକ୍ସ। ପିୟୁସି ସାର୍ଟିଫିକେଟକୁ ନେଇ ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରିଲା ଯୁବ କଂଗ୍ରେସ। ବିଜେଡି ବି ନିଆଁରେ ଘିଅ ଢାଳି ସରକାରକୁ ଅପାରଗ ସଜାଇବାକୁ କସରତ ଲଗାଇଛି। ଏହାରି ଭିତରେ ଗ୍ରୀନ ଷ୍ଟିକର ନ ମିଳିବାରୁ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ବଢିଲାଣି। ଅନ୍ୟପଟେ ପରିବହନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ପ୍ରଦୂଷଣଜନିତ ଫାଇନକୁ କମାଇବା ପାଇଁ ସରକାର ବିଚାର କରୁଛନ୍ତି।
ଭୁବନେଶ୍ୱରରେ ପ୍ରଦୂଷଣ ସାର୍ଟିଫିକେଟକୁ ନେଇ ଅଭିନବ ଉପାୟରେ ବିକ୍ଷୋଭ କରିଛି କଂଗ୍ରେସ। ସାଇକେଲ ଚଳାଇ ଯୁବ କଂଗ୍ରେସ ନେତା ପରିବହନ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିବାକୁ ଯାଇଥିଲେ। ପୋଲିସ ବାଧାଦେବାରୁ ଧସ୍ତାଧସ୍ତି ବି ହୋଇଥିଲା। ଆଇନଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବା ଦେଖି ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା ପୋଲିସ୍। ତିନି ଦିନ ଭିତରେ ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଚେତାବନୀ ଦେଇଛି ଯୁବ କଂଗ୍ରେସ।
ବିଜେଡି ମଧ୍ୟ ପ୍ରଦୂଷଣ ସାର୍ଟିଫିକେଟ ଯନ୍ତ୍ରଣାକୁ ନେଇ ସରକାରଙ୍କୁ କଡା ସମାଲୋଚନା କରିଛି। ଅନ୍ୟପଟେ ବିରୋଧୀଙ୍କୁ ପାଲଟା ଟାର୍ଗେଟ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଛାଟ ପଡିବା ପରେ ଅମାନିଆ ବେଶି କହୁଛନ୍ତି। ପୂର୍ବରୁ ୧୦ ହଜାର ଜରିମାନା ନିୟମ ଯେଉଁମାନେ ଲାଗୁ କରିଥିଲେ ସେମାନେ ଏବେ ବେଶି ପାଟି କରୁଛନ୍ତି ବୋଲି କହି ପୂର୍ବ ସରକାର ଉପରେ ନିଶାନା ସାଧିଛନ୍ତି ମନ୍ତ୍ରୀ।
ସେପଟେ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଶନିବାର ଗ୍ରୀନ୍ ଷ୍ଟିକର ମିଳିବା କଥା। କିନ୍ତୁ ଦ୍ୱିତୀୟ ଶନିବାର ପାଇଁ ଆର୍ଟିଓ ବନ୍ଦ ଥିବାବେଳେ ଅନେକ ପ୍ରଦୂଷଣ ଟେଷ୍ଟିଂ କେନ୍ଦ୍ରରେ ଗ୍ରୀନ ଷ୍ଟିକର ମିଳି ନାହିଁ। ଏଥିପାଇଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କିନ୍ତୁ ବାଲେଶ୍ୱରର କିଛି ସ୍ଥାନରେ ଗ୍ରୀନ ଷ୍ଟିକର ଦିଆଯାଇଛି।
ପିୟୁସିସି ଯନ୍ତ୍ରଣା ଭିତରେ ପରିବହନ ମନ୍ତ୍ରୀ କିନ୍ତୁ ଆଶ୍ୱସ୍ତିକର ଖବର ଦେଇଛନ୍ତି। କହିଛନ୍ତି କମିପାରେ ପ୍ରଦୂଷଣଜନିତ ତଣ୍ଡ। ମଧ୍ୟପ୍ରଦେଶ ଢାଞ୍ଚାରେ ଲୋକଙ୍କୁ ନ ବାଧିଲା ଭଳି ଲାଗୁ ହୋଇପାରେ ନୂଆ ଜରିମାନା ନିୟମ। ଏପରିକି ୧୦ ହଜାରରୁ କମାଇ ଦୁଇ ହଜାର ଟଙ୍କା ଫାଇନ ବ୍ୟବସ୍ଥା ଲାଗୁ କରିବାକୁ ସରକାର ବିଚାର କରୁଥିବା ସେ କହିଛନ୍ତି। ସେହିପରି ମନ୍ତ୍ରୀ ପୁଣି ଦୋହରାଇ ଗ୍ରୀନ ଷ୍ଟିକର ବାଧ୍ୟତାମୂଳକ ନୁହେଁ ବୋଲି ବି କହିଛନ୍ତି।
ଏବେ ଅପେକ୍ଷା ପରିବହନ ମନ୍ତ୍ରୀଙ୍କ ତଣ୍ଡ ରିହାତି ଆଶ୍ୱାସନା କେତେ ଶୀଘ୍ର ପୂର୍ଣ୍ଣାଙ୍ଗ ରୂପରେଖ ନେଉଛି ଆଉ ସାଧାରଣ ଲୋକେ କେବେ ଯନ୍ତ୍ରଣାରୁ ମୁକ୍ତି ପାଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)