potato
ଭୁବନେଶ୍ୱର : ପିଆଜ ପରେ ଖାଉଟିଙ୍କ ହୋସ୍ ଉଡ଼ାଇଲା ଆଳୁ । ବଢ଼ିଲା ଆଳୁ ଟେନ୍ସନ। ୧୫ ଦିନ ତଳେ କିଲୋ ୧୮-୨୦ ଥିବା ଆଳୁର ଦର ଏବେ ଟପିଲାଣି ୩୦। ରାଜ୍ୟର ନୂଆ ଆଳୁ ଅମଳରେ ବିଳମ୍ବ ଓ ପଶ୍ଚିମବଙ୍ଗରୁ ଆମଦାନୀ କମିବାରୁ ହଠାତ ବୃଦ୍ଧି ପାଇଛି ରୋଷେଇ ଘରର ଏ ମୁଖ୍ୟ ପରିବା ଦର। ଯାହାକୁ ନେଇ ଚିନ୍ତାରେ ଖାଉଟି।
କଟକ ଛତ୍ର ବଜାରରେ ଆଜି ଆଳୁ କିଲୋ ୩୦ ଛୁଇଁଛି। ଏପଟେ ରାଜଧାନୀ ଭୁବନେଶ୍ୱରରେ ବି ସମାନ ଅବସ୍ଥା । ହାଣ୍ଡିଶାଳର ଏ ମୁଖ୍ୟ ପରିବାର ଏ ଭାଉକୁ ଦେଖି ପୁଣି ହରଡ଼ ଘଣାରେ ଖାଉଟି।
ଆଳୁର ନିଅଣ୍ଟିଆ ସ୍ଥିତି ଓ ଚଢା ଦର ରାଜ୍ୟର ଅନ୍ୟ ଅଞ୍ଚଳରେ ବି ଦେଖିବାକୁ ମିଳିଛି। ପଶ୍ଚିମରେ ରାଉରକେଲାରୁ ଦକ୍ଷିଣରେ ବ୍ରହ୍ମପୁର ଯାଏଁ ସବୁଠି ଆଳୁର ଦର ଉପର ମୁହାଁ । ତେବେ ବ୍ୟବସାୟୀଙ୍କ ମତରେ ନିକଟରେ ବର୍ଷା ଯୋଗୁଁ ନୂଆ ଆଳୁ ଖୋଳାରେ ବିଳମ୍ବ ହୋଇଛି। ତେଣୁ ବଜାରକୁ ଯଥେଷ୍ଟ ପରିମାଣର ଆଳୁ ପହଞ୍ଚି ପାରିନି। ଏପଟେ ପଶ୍ଚିମବଙ୍ଗରେ ମଧ୍ୟ ରେଟ୍ ଉଚ୍ଚା ରହିଛି । ଯାହାର ପ୍ରଭାର ଓଡ଼ିଶା ବଜାର ଉପରେ ପଡ଼ିଛି ।
ତେବେ ୧୫ ଦିନ ଭିତରେ ଦର ସ୍ୱାଭାବିକ୍ ହେବା ଅନୁମାନ କରୁଛନ୍ତି ବ୍ୟବସାୟୀ। ପିଆଜ ଦର ସ୍ୱାଭାବିକ୍ ସ୍ଥିତିକୁ ଆସି ନଥିଲା ବେଳେ ଆଳୁର ଦର ବୃଦ୍ଧି ସାଧାରଣ ଖାଉଟି ଓ ଗରିବଗୁରୁବାଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/potato_1626689186.jpg)