Advertisment

Pravati vs Sameer: High-Voltage Political Battle: ତୀବ୍ର ହେଲା ପ୍ରଭାତୀ ଓ ସମୀର ବିବାଦ; ତାଗିଦ ପରେ ବି ଥମୁନି କଳି

ରୋଚକ ସ୍ଥିତିରେ ନିମାପଡ଼ା ରାଜନୀତି। ଜିଲ୍ଲା ବିଜେପି ସଭାପତିଙ୍କ ତାଗିଦ ସତ୍ତ୍ୱେ ଥମୁନି କଳି। ପତିଆରା ପାଇଁ ଉପ-ମୁଖ୍ୟମନ୍ତ୍ରୀଙ୍କୁ ସମୀରଙ୍କ ଖୋଲା ଚାଲେଞ୍ଜ। ପୁରୁଣା ପାଠ ଉଖାରି କଡ଼ା ନିଶାନା କଲେ ପ୍ରଭାତୀ।

author-image
Pramod Behera
Pravati vs Sameer: High-Voltage Political Battle

ତୀବ୍ର ହେଲା ପ୍ରଭାତୀ ଓ ସମୀର ବିବାଦ Photograph: (OTV)

ତୀବ୍ର ହେଲା ପ୍ରଭାତୀ ଓ ସମୀର ବିବାଦ। ବିଜେପି ଜିଲ୍ଲା ସଭାପତିଙ୍କ ତାଗିଦ ପରେ ବି ଥମୁନି ଆରୋପ-ପ୍ରତ୍ୟାରୋପ। ରୋଚକ ମୋଡରେ ନିମାପଡା ଦୁଇ ହାଇପ୍ରୋଫାଇଲ୍ ନେତାଙ୍କ କଳି। ବିଜେଡିରୁ ବିଜେପିକୁ ଆସି ପ୍ରଭାତୀଙ୍କୁ ସମର୍ଥନ କରିଥିବା ସମୀର ଏବେ ପତିଆରା ପାଇଁ ପ୍ରଭାତୀଙ୍କୁ ଚାଲେଞ୍ଜ ଦେଇଛନ୍ତି। ପ୍ରଭାତୀ ବି ପୁରୁଣା ପାଠର ଆଲୋଚନା କରି ସମୀରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି।

Advertisment

ଉପମୁଖ୍ୟମନ୍ତ୍ରୀ ବନାମ ପୂର୍ବତନ ମନ୍ତ୍ରୀ। ମୁହାଁମୁହିଁ ପ୍ରଭାତୀ–ସମୀର। ସରଗରମ ନିମାପଡା ରାଜନୀତି। ଚାଲିଛି ସମାନ୍ତରାଳ ସଂଗଠନ । ଆରମ୍ଭ ହେଲା ଓପନ ୱାର । ତେଜିଲା ବୟାନ ବାଜି। ନିର୍ବାଚନ ପରଠାରୁ ଉଭୟଙ୍କ ଭିତରେ ତିକ୍ତତା ବଢିଛି। ଖୋଲାଖୋଲି ଭାବେ ଉଭୟ ଉଭୟଙ୍କ ବିରୋଧରେ ବର୍ଷୁଛନ୍ତି। ଗତ ବର୍ଷ ନଭେମ୍ବରରେ ନିମାପଡାର ଏକ ସଭାମଞ୍ଚରେ ସମୀର ଖୋଲାଖୋଲି କହିଥିଲେ ଯେ, ଯେଉଁ ଆଶା ନେଇ ଲୋକେ ଉପମୁଖ୍ୟମନ୍ତ୍ରୀଙ୍କୁ ଜିତାଇଥିଲେ ତାହା ଏବେ ପୂରଣ ହେଉନି। ନିମାପଡାବାସୀଙ୍କ କାମ ଅଟକି ରହୁଛି।

ଏହା ପରେ ପରେ ନୂଆ ବର୍ଷରୁ ସମୀର ନିମାପଡାରେ ଆରମ୍ଭ କରିଛନ୍ତି ଅଭିଯୋଗ ଶୁଣାଣି। ପ୍ରଭାତୀଙ୍କୁ କାଉଣ୍ଟର କରି ପ୍ରତି ବୁଧବାର ଓ ଶନିବାର ଲୋକଙ୍କ ଅଭିଯୋଗକୁ ଶୁଣୁଛନ୍ତି ସମୀର। ତେଣେ ସରକାରଙ୍କ ଅଭିଯୋଗ ଶୁଣାଣି ବ୍ୟବସ୍ଥା ଥାଉ ଥାଇ ସମୀରଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇ ପ୍ରଭାତୀ ବିଖପ୍ପା। ଯେଉଁଥିପାଇଁ ନିମାପଡାର ଏକ ସଭାରେ ସମୀରଙ୍କୁ ଟାର୍ଗେଟ କରି ଭାଷଣ ରଖିଛନ୍ତି। 

Advertisment

ସେ କହିଛନ୍ତି, ୨୪ ବର୍ଷ ଧରି କିଛି କରି ନଥିବାରୁ ଆଜି ଆମ ପାଖକୁ ମାଳ ମାଳ ଅଭିଯୋଗ ଆସୁଛି। ଏବେ କିନ୍ତୁ ସେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଅନ୍ୟପଟେ ସମୀର ଏହାକୁ ପୁଣି ଚାଲେଞ୍ଜ କରି କହିଛନ୍ତି, ବିଜେପି ସଂଗଠନ ବଞ୍ଚାଇବା ଲାଗି ଅଭିଯୋଗ ଶୁଣାଣି ଆରମ୍ଭ କରିଛି। ୫୦ ହଜାର ଭୋଟ୍ ଆମେ ଦେଇ ଜିତାଇଛୁ । ଲୋକଙ୍କ ସମସ୍ୟା ଉପମୁଖ୍ୟମନ୍ତ୍ରୀ ଶୁଣୁ ନଥିବାରୁ ସେମାନେ ଏବେ ମୋ ପାଖକୁ ଆସୁଛନ୍ତି ବୋଲି କହିଛନ୍ତି ସମୀର ଦାଶ।

ପ୍ରଭାତୀ ଓ ସମୀରଙ୍କ ଭିତରେ ଦୂରତା ବଢୁଛି। କାହାର କେତେ ସମର୍ଥନ ତାକୁ ନେଇ ବଳ କଷାକଷି ଆରମ୍ଭ ହୋଇଯାଇଛି। ସମୀରଙ୍କ ଏଭଳି ଆଭିମୁଖ୍ୟ ପାଇଁ ତାଙ୍କୁ ଦଳ ପକ୍ଷରୁ ଦୁଇ ଦୁଇ ଥର ନୋଟିସ୍ ଜାରି ହୋଇଛି। ଆଗକୁ ନସୁଧୁରିଲେ ସିଧା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପୁରୀ ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ତରାଇ। ସେପଟେ ସମୀରଙ୍କ ସମର୍ଥକ କହିଛନ୍ତି ଜିଲ୍ଲା ସଭାପତିଙ୍କ ତାଗିଦ୍ ହାସ୍ୟାସ୍ପଦ।

ଆସନ୍ତା ବର୍ଷ ପଞ୍ଚାୟତ ନିର୍ବାଚନ। ତାକୁ ଦୃଷ୍ଟିରେ ରଖି ଶକ୍ତି ପ୍ରଦର୍ଶନ ପାଇଁ ସମୀର ସମରସଜ୍ଜା ଆରମ୍ଭ କଲେଣି। ଆଉ ଏପଟେ ପ୍ରଭାତୀ ବି ଦୀର୍ଘ ଦିନର ନୀରବତା ପରେ ଏବେ କାଉଣ୍ଟର କରିବା ବି ଆରମ୍ଭ କରିଛନ୍ତି। ଏହାରି ଭିତରେ ନିମାପଡା ବିଜେପିରେ ଆଗକୁ ଆହୁରି ରୋଚକ ଚିତ୍ର ଦେଖିବାକୁ ମିଳିପାରେ। ତେବେ ରାଜ୍ୟ ନେତୃତ୍ୱ ଏ ଦିଗରେ କି ପଦକ୍ଷେପ ନେଉଛନ୍ତି ତାକୁ ଅପେକ୍ଷା।

Pravati Parida Odisha News Odisha Politics
Advertisment
Advertisment