Advertisment

ଖୁଲମଖୁଲା ଚାଲିଛି ବିଷାକ୍ତ ନକଲି ମଦ ବେପାର

ବ୍ରହ୍ମପୁରରେ ନକଲି ମଦର ବନ୍ୟା। ଗତ କିଛି ଦିନ ମଧ୍ୟରେ ୪ଟି ନକଲି ମଦ ଫ୍ୟାକ୍ଟ୍ରି ଜବତ ପରେ ଏବେ ଚିନ୍ତାର କାରଣ ପାଲଟିଛି ଉଭୟ ଅବକାରୀ ଓ ପୋଲିସ ପାଇଁ

author-image
Sarbeswar
ଖୁଲମଖୁଲା ଚାଲିଛି ବିଷାକ୍ତ ନକଲି ମଦ ବେପାର

cold drinks

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁରରେ ନକଲି ମଦର ବନ୍ୟା। ଗତ କିଛି ଦିନ ମଧ୍ୟରେ ୪ଟି ନକଲି ମଦ ଫ୍ୟାକ୍ଟ୍ରି ଜବତ ପରେ ଏବେ ଚିନ୍ତାର କାରଣ ପାଲଟିଛି ଉଭୟ ଅବକାରୀ ଓ ପୋଲିସ ପାଇଁ। ହୋମିଓପ୍ୟାଥି ସ୍ପିରିଟରେ କଲର, ଏସେନ୍ସ ପକାଇ ତିଆରି ହେଉଥିବା ଏହି ନକଲି ମଦ ଦ୍ୱାରା ରାଜ୍ୟ ସରକାର ରାଜସ୍ୱ ହରାଉଥିବା ବେଳେ ଏହା ବିଷାକ୍ତ ମଦ ମୃତ୍ୟୁର କାରଣ ମଧ୍ୟ ହୋଇପାରେ ବୋଲି ସମସ୍ତେ ଆଶଙ୍କା କରିଛନ୍ତି। ଏଣୁ ହୋମିଓପ୍ୟାଥିକ ସ୍ପିରିଟ ସହ ଏହାର ବେପାରୀକୁ ଧରିବାକୁ ଏକ ଅପରେସନ୍ ଆରମ୍ଭ କରିଛି ବ୍ରହ୍ମପୁର ପୋଲିସ।

Advertisment

ନକଲି ପାନମସଲା, ଖାଦ୍ୟ, ସସ୍, କୋଲଡ ଡ୍ରିକ୍ସ ପରେ ଏବେ ବ୍ରହ୍ମପୁରରେ ନକଲି ବିଦେଶୀ ମଦ ବେପାର ଚାଲିଛି। ନାମୀ ଦାମୀ ବ୍ରାଣ୍ଡର ସିଲ୍ ଲଗାଇ ମାର୍କେଟକୁ ଛଡ଼ାଯାଉଛି ଏହି ନକଲି ବିଦେଶୀ ମଦ। କମ୍ ଦାମରେ ବିଦେଶୀ ମଦ ପାଇଁ ଗ୍ରାହକ ବି ଖୁସ୍। ଚାରିଆଡ଼େ ଲକଡାଉନ୍ ଓ ସଟଡାଉନ୍ ହେଉଥିବା ହେତୁ ସରକାରୀ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନ ଗୁଡ଼ିକ ସବୁ ବନ୍ଦ। ଆଉ ଏହି ଲକଡାଉନର ସୁଯୋଗ ନେଇ ଗତ ଏକ ବର୍ଷ ହେଲା ମାର୍କେଟରେ ମୁଣ୍ଡ ଟେକିଛନ୍ତି ଏହି ନକଲି ବିଦେଶୀ ମଦ ବେପାରୀ। ଗତ ବର୍ଷ ଭିତରେ ୧୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ କରି ହଜାର ହଜାର ଲିଟର ହୋମିଓପ୍ୟାଥି ସ୍ପିରିଟ ସହ ବହୁ ପରିମାଣରେ ନକଲି ବିଦେଶୀ ମଦକୁ ଜବତ କରିଛନ୍ତି ଅବକାରୀ ଓ ପୋଲିସ ଅଧିକାରୀ ମାନେ।

ଆସାମୀ ଗିରଫ ହୋଇ ଜାମିନରେ ଆସି ପୁଣି ଥରେ କରୁଛନ୍ତି ବେପାର। ତେବେ ଏହି ମଦ ବେପାରକୁ ସମ୍ପୂର୍ଣ୍ଣ ଭାବେ ଧରିବାକୁ ଦାବି କରିଛନ୍ତି ମଦ ବେପାରୀ ସଂଘ ସଭାପତି। ନଚେତ୍ ଏହା ଆଗାମୀ ଦିନରେ ବ୍ରହ୍ମପୁରରେ ମଦ ବିଭୀଷିକା ତିଆରି କରିବ ବୋଲି ମଧ୍ୟ ଚେତାଇ ଦେଇଛନ୍ତି।

Advertisment

ତେବେ ଏହି ନକଲି ବିଦେଶୀ ମଦ ଗୁଡ଼ିକ ତିଆରି ହେଉଛି ହୋମିଓପ୍ୟାଥି ସ୍ପିରିଟରୁ। ହଜାର ହଜାର ଲିଟର ହୋମିଓପ୍ୟାଥି ସ୍ପିରିଟ ଆସୁଛି ବ୍ରହ୍ମପୁରକୁ। ହୋମିଓପ୍ୟାଥି ଔଷଧରେ ବ୍ୟବହାର ନାଁରେ କିଛି ହୋମିଓପ୍ୟାଥି ଡାକ୍ତର ବିିକ୍ରି କରୁଛନ୍ତି ଏହି ମଦ ମାଫିଆଙ୍କୁ। ସେମାନେ ତାହାକୁ ନେଇ ଭଡ଼ା ଘରେ କରୁଛନ୍ତି ମଦର ତିଆରି। ହୋମିଓପ୍ୟାଥି ସ୍ପିରିଟରେ ମିଶାଯାଉଛି କିଛି ଲାଲ ରଙ୍ଗ ଓ ଏସେନ୍ସ। ଯେଭଳି ତାହା ଗ୍ରାହକଙ୍କୁ ଜଣାପଡ଼ିବ ବିଦେଶୀ ମଦ ଭଳି। ତାହାକୁ ଭର୍ତ୍ତି କରାଯାଉଛି ବୋତଲ ଭିତରେ। ଆଉ ଉପରେ ଲାଗୁଛି ନାମୀ ଦାମୀ ବ୍ରାଣ୍ଡର ଷ୍ଟିକର। ଏଭଳି ୪ରୁ ଉର୍ଦ୍ଧ୍ୱ ବଡ଼ ବଡ଼ ମଦ ଫ୍ୟାକ୍ଟ୍ରି ଧରିବା ସହ ଏହି ଅଭିଯୋଗରେ ୬ରୁ ଉର୍ଦ୍ଧ୍ୱ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କର ଟଙ୍କା ନେଣଦେଣ ଆକାଉଣ୍ଟକୁ ଫ୍ରିଜ୍ କରିଛି ବ୍ରହ୍ମପୁର ପୋଲିସ। ଏଭଳିକି ପୂର୍ବରୁ ଏହି ଅଭିଯୋଗରେ ଜଣେ ହୋମିଓପ୍ୟାଥି ଡାକ୍ତରଙ୍କୁ ଗିରଫ କରାଯାଇଥିଲା। ଆଗକୁ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସମସ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଏସ୍ପି।

Advertisment
Advertisment