Advertisment

Assembly Uproar Over Paddy Procurement: ଗୃହରେ ଥମୁନି ମଣ୍ଡି ପାଲା। ଧୋଇଗଲା ପ୍ରଶ୍ନ କାଳ, ଚାଲିଲାନି ଶୂନ୍ୟକାଳ

ଗୃହରେ ଥମୁନି ମଣ୍ଡି ପାଲା। ଧୋଇଗଲା ପ୍ରଶ୍ନ କାଳ, ଚାଲିଲାନି ଶୂନ୍ୟକାଳ। ଧାନ ଧରି ବିଧାନସଭା ଭିତରକୁ ଆସିଲେ ବିଜେଡି ବିଧାୟକ। ସରକାର ବିରୋଧୀ ନାରାରେ ସ୍ବର ମିଶାଇଲା କଂଗ୍ରେସ। ଇନପୁଟ୍ ସହାୟତା ରାଶିକୁ ନେଇ ଘେରିଲେ ବିରୋଧୀ। ବିରୋଧୀଙ୍କ ଅଭିଯୋଗ ଉପରେ ବିଜେପିର କଡ଼ା କାଉଣ୍ଟର।

author-image
Pramod Behera
Assembly Uproar Over Paddy Procurement

ଗୃହରେ ଥମୁନି ମଣ୍ଡି ପାଲା Photograph: (OTV)

ବିଧାନସଭାରେ ଧାନ ମଣ୍ଡି ତାତି। ଗୃହ ଭିତରକୁ ଧାନ ଧରି ଆସିଲେ ବିଜେଡି ବିଧାୟକ, ପ୍ରତିବାଦରେ ସାଥ୍ ଦେଲା କଂଗ୍ରେସ। ଫଳରେ ଗୃହ ହୁଲୁସ୍ତୁଲ ହେବା ସହ ବାରମ୍ବାର ଅଚଳ ହୋଇଛି। ଇନପୁଟ୍ ସହାୟତା ରାଶି ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ଲିଖିତ ଉତ୍ତର ଉପରେ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବାବେଳେ ପୂର୍ବ ଘୋଷଣା ମୁତାବକ ଧାନ କୁଇଣ୍ଟାଲ ପିଛା ୮ଶହ ବଦଳରେ ସରକାର ୭୩୧ଟଙ୍କା କାହିଁକି ଦେଉଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଥିବାବେଳେ ବିଜେପି କରିଛି କଡ଼ା କାଉଣ୍ଟର। ତେଣେ ଗ୍ରାଉଣ୍ଡ ଜିରୋରେ ବି ଲାଗି ରହିଛି ଅନ୍ନଦାତାଙ୍କ ମଣ୍ଡି ଯନ୍ତ୍ରଣା।

Advertisment

ବିଧାନସଭାରେ ମଣ୍ଡି ପାଲା। ଧୋଇଗଲା ପ୍ରଶ୍ନ କାଳ, ଚାଲିଲାନି ଶୂନ୍ୟକାଳ। ଧାନ ମୁଣ୍ଡେଇ ଗୃହକୁ ଆସିଲେ ବିଜେଡି ଏମଏଲଏ ରୋମାଞ୍ଚ ବିଶ୍ବାଳ। ରିପୋଟର୍ସ ଟେବୁଲ୍ ଉପରେ ଧାନ ମୁଣି ଖୋଲି ପ୍ରତିବାଦ କଲେ ସାଥୀ ବିଧାୟକ। ବ୍ୟାନର ପୋଷ୍ଟର ଧରି ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ ବି କଲେ। କଂଗ୍ରେସ ସ୍ବର ମିଶାଇଲା, ବାଚସ୍ପତିଙ୍କ ପୋଡିୟମ୍ ତଳେ ନାରାବାଜି କଲା। 

ଫଳରେ ଗୃହକୁ ବାଚସ୍ପତି ପ୍ରଥମେ ଦିନ ସାଢ଼େ ଏଗାର ଯାଏଁ ମୁଲତବି କରିଥିଲେ, ପରେ ସମାନ ସ୍ଥିତି ଲାଗି ରହିବାରୁ ବିଧାନସଭା ପୁରା ଅଚଳ ହୋଇଥିଲା। ଉଭୟ ବିଜେଡି ଓ କଂଗ୍ରେସର ଯୁକ୍ତି- ମଣ୍ଡିରୁ ଧାନ ନଉଠିବା ଯାଏଁ ଚାଷୀଙ୍କ ପାଇଁ ଆନ୍ଦୋଳନ ଜାରି ରହିବ। ତେଣେ ବିଜେପିର କାଉଣ୍ଟର, ବିରୋଧୀ ଗୃହ ଚଳାଇ ଦେଉନାହାନ୍ତି- ଆଲୋଚନା ମାଧ୍ୟମରେ ମଣ୍ଡି ପ୍ରସଙ୍ଗ ଉଠା ଯାଇପାରିଥାନ୍ତା।

Advertisment

ଏପଟେ ଇନପୁଟ୍ ସହାୟତା ରାଶିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଲିଖିତ ଉତ୍ତର ପରେ ତେଜିଛି ରାଜନୀତି। ଦେଢ଼ ଶହ କୁଇଣ୍ଟାଲ ବାଦ ଚାଷୀ ଏମଏସପି ଦରରେ ବାକି ଧାନ ବିକ୍ରି କରିବେ ବୋଲି ମନ୍ତ୍ରୀ କହିଥିବାବେଳେ ବିରୋଧୀ ଏହାକୁ ପ୍ରସଙ୍ଗ କରିଛନ୍ତି। ପୂର୍ବରୁ ଘୋଷଣା କରିଥିବା ୮ଶହ ଟଙ୍କା ବଦଳରେ କାହିଁକି କୁଇଣ୍ଟାଲ୍ ପିଛା ୭୩୧ ଟଙ୍କା ଚାଷୀଙ୍କୁ ସରକାର ଦେଉଛନ୍ତି  ବୋଲି ବିଜେଡି ପ୍ରଶ୍ନ କରିବା ସହ ୬୯ ଟଙ୍କାରୁ ଅନ୍ନଦାତାଙ୍କୁ ବଞ୍ଚିତ କରାଯାଉଥିବା ଆପତ୍ତି ଉଠାଇଛି। ସେଥିପାଇଁ ଚାଷୀ ଆନ୍ଦୋଳନ ତେଜୁଥିବା ଦଳ ଆକ୍ଷେପ କରିଛି। 

ତେଣେ ଜବାବ ରଖି ବିଜେପି କହିଛି- ଯିଏ ଶହେ ଟଙ୍କା ଘୋଷଣା କରି ଦେଇନଥିଲେ, ସେମାନେ କେଉଁ ମୁହଁରେ ୮ଶହ ଟଙ୍କା କଥା କହୁଛନ୍ତି। ଆମେ ନିର୍ବାଚନ ବେଳେ ଦେଇଥିବା ୩୧ଶହ ଟଙ୍କାର ପ୍ରତିଶ୍ରୁତି ପାଳନ କରିଛୁ। ଏଥିରେ ଚାଷୀ ଖୁସି ଅଛନ୍ତି, ବିରୋଧୀ କେବଳ ରାଜନୀତି କରୁଛନ୍ତି।

ଆଉ ଇଏ ଖୋଦ୍ ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲା ଢେଙ୍କାନାଳ ଜିରାଳ ମଣ୍ଡିରେ ଚାଷୀ ଯନ୍ତ୍ରଣାର ଚିତ୍ର। ଅନ୍ନଦାତାଙ୍କ ଅଭିଯୋଗ- ମିଲର କଟନୀ ଛଟନୀ କରି ଧାନ ନେଉଛନ୍ତି, ତଥାପି ଶହ ଶହ ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ସରକାର କି ପ୍ରଶାସନ କେହି ଶୁଣୁ ନାହାନ୍ତି। 

ସେମିତି ରାଜ୍ୟର ଅନ୍ୟତମ ଭାତହାଣ୍ଡି ବୋଲାଉଥିବା ବରଗଡ଼ ଜିଲ୍ଲାରେ ବି ମଣ୍ଡିରେ ସଢୁଛନ୍ତି ଚାଷୀ। ନଭେମ୍ବର ୨୮ରୁ ଏଠି ମଣ୍ଡି ଖୋଲିଲାଣି। ଏବର୍ଷ ୭୭ଲକ୍ଷ କ୍ବିଣ୍ଟାଲ ଧାନ କିଣିବାରୁ ଲକ୍ଷ୍ୟ ରଖାଯାଇଥିଲା, ହେଲେ ଏଯାଏଁ ଆହୁରି ୬ଲକ୍ଷ କୁଇଣ୍ଟାଲ ଧାନ ଉଠାଯାଇ ପାରିନି।

ଏବେ ଦେଖିବାର କଥା- ବିଧାନସଭା ବଜେଟ୍ ଅଧିବେଶନରେ ବି ଜୋରଦାର ମଣ୍ଡି ତାତି ପରେ ଚାଷୀଙ୍କୁ କେତେ ଶୀଘ୍ର ମିଳୁଛି ଯନ୍ତ୍ରଣାରୁ ମୁକ୍ତି।

Odisha News Odisha Assembly Odisha Politics
Advertisment
Advertisment