Advertisment

Yatra Superstar Piyush Faces Court Restriction: ମାଲିକ କଳି, କୋର୍ଟ ରୋକ୍: ମଞ୍ଚ ଚଢ଼ିବେ କି ଯାତ୍ରା ସୁପରଷ୍ଟାର ପୀୟୂଷ?

କୋର୍ଟଙ୍କ ନୋଟିସ୍ ପାଇନଥିବା ପୀୟୁଷ କହିଛନ୍ତି, ଯାତ୍ରାକୁ ନେଇ ବଞ୍ଚିଛି, ମଞ୍ଚ ଛାଡ଼ିବିନି। ତେବେ କୋର୍ଟଙ୍କ ନୋଟିସ୍ ଯଦି ମିଳିଯାଏ, ତାପରେ ବି ପୀୟୁଷ ମଞ୍ଚ ଚଢ଼ିବେ ନା ଦୂରେଇ ଯିବେ ? ତାକୁ ନେଇ ବଢ଼ିଛି ନାନା ଚର୍ଚ୍ଚା।

author-image
Pramod Behera
Yatra Superstar Piyush Faces Court Restriction

ମାଲିକ କଳି, କୋର୍ଟ ରୋକ୍: ମଞ୍ଚ ଚଢ଼ିବେ କି ଯାତ୍ରା ସୁପରଷ୍ଟାର ପୀୟୂଷ? Photograph: (OTV)

ଯାତ୍ରା ସୁପରଷ୍ଟାର ପୀୟୂଷଙ୍କୁ ନେଇ ମଞ୍ଚ ଉପରେ ଯେତିକି ବିବାଦ, ମଞ୍ଚ ବାହାରେ ବି ସେତିକି ସଂଶୟ। କାରଣ ସୂର୍ଯ୍ୟ ମନ୍ଦିର ମାଲିକ ପ୍ରମୋଦ ଏବଂ ସିଂହ ବାହିନୀ ମାଲିକ ସଞ୍ଜୀବ ପାଢ଼ୀଙ୍କ କଳି ଭିତରେ ବଳିପଡ଼ିଛନ୍ତି ପୀୟୂଷ। କୋର୍ଟଙ୍କ କଟକଣା ପରେ ବି ପିୟୁଷଙ୍କ ଜାରି ରହିଛି ଅଭିନୟ। ଆଶ୍ଚସ୍ତ ହୋଇଛନ୍ତି ଦର୍ଶକ। କୋର୍ଟଙ୍କ ନୋଟିସ୍ ପାଇନଥିବା ପୀୟୁଷ କହିଛନ୍ତି, ଯାତ୍ରାକୁ ନେଇ ବଞ୍ଚିଛି, ମଞ୍ଚ ଛାଡ଼ିବିନି। ତେବେ କୋର୍ଟଙ୍କ ନୋଟିସ୍ ଯଦି ମିଳିଯାଏ, ତାପରେ ବି ପୀୟୁଷ ମଞ୍ଚ ଚଢ଼ିବେ ନା ଦୂରେଇ ଯିବେ ? ତାକୁ ନେଇ ବଢ଼ିଛି ନାନା ଚର୍ଚ୍ଚା।

Advertisment

ପ୍ରମୋଦ-ସଞ୍ଜିବଙ୍କ କଳି ନାଟକରେ ବଳି ପଡ଼ିଯିବେ କି ପୀୟୂଷ ? ପୀୟୂଷଙ୍କ ଉପରେ ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ବ୍ୟକ୍ତିଗତ ରାଗ ନା ସିଂହବାହିନୀ ମାଲିକ ସଞ୍ଜୀବ ପାଢ଼ୀଙ୍କୁ ଚାଲେଞ୍ଜ ? ଯାତ୍ରା ପାଟିଂ ସୂର୍ଯ୍ୟମନ୍ଦିରର ୨ ବର୍ଷିଆ ଚୁକ୍ତି ଖିଲାପ ଅଭିଯୋଗ ଓ ଭୁବନେଶ୍ୱର କୋର୍ଟଙ୍କ ରୋକ୍ ପରେ ଜଲିଉଡ୍ ଅଭିନେତା ପୀୟୁଷ ତ୍ରିପାଠୀଙ୍କୁ ନେଇ ବଢ଼ିଛି ଆଶଙ୍କା। 

ଏହି ବିବାଦକୁ ନେଇ ବଢ଼ିଛି ରହସ୍ୟ। ରାତି ଅଧରେ ଝିଲିମିଲି ଆଲୁଅର ମଞ୍ଚ ତଳେ ଉପସ୍ଥିତ ଦର୍ଶକଙ୍କୁ ହସାଉଥିବା ଏବଂ କନ୍ଦାଉଥିବା କଳାକାର ଏବେ ଅକଳରେ। ଓଡ଼ିଶା ଯାତ୍ରା ଜଗତରେ ମାଲିକଙ୍କୁ ଭଗବାନ ମାନି ବିଶ୍ୱାସ ଓ ଭରସା ସହ କେବଳ ଧଳା କାଗଜରେ ଦସ୍ତଖତ କରୁଥିବା କଳାକାର କେବେ ଚିନ୍ତା କରି ନଥିବେ, ଗୋଟିଏ କ୍ୟାମ୍ପ୍‌ ଛାଡ଼ି ଅନ୍ୟ କ୍ୟାମ୍ପକୁ ଗଲେ କ’ଣ ଭୋଗିବାକୁ ପଡ଼େ ଏଭଳି ଦଶା?

Advertisment

ଅନେକ କଳାକାର ଗୋଟିଏ ପାର୍ଟିରେ ଚୁକ୍ତି ଥାଇ ଅନ୍ୟ ପାର୍ଟିକୁ ପଳାଇଛନ୍ତି। ତଥାପି କୌଣସି ମାଲିକ କୋର୍ଟ ଯିବା କଥା ବୋଧହୁଏ କେବେ ଘଟିନି। କିନ୍ତୁ ପୀୟୂଷଙ୍କ କ୍ଷେତ୍ରରେ ହୋଇଛି ବ୍ୟତିକ୍ରମ। ତଥାପି ଗୁରୁବାର କଟକ ଟାଙ୍ଗିରେ ସିଂହବାହିନୀ ମଞ୍ଚରେ ନାଟକ ପ୍ରଦର୍ଶନ କରିଥିଲେ ପୀୟୁଷ। ନିଜ ପସନ୍ଦର ଅଭିନେତାଙ୍କୁ ଦେଖି ଦର୍ଶକ ବି ଥିଲେ ଖୁବ ଆଶ୍ୱସ୍ତ। 


ସୂଚନା ମୁତାବାକ, ୨୦୨୫-୨୬ ସିଜନ୍ ପୂର୍ବରୁ ସଞ୍ଜୀବ ପାଢ଼ୀଙ୍କ ସିଂହବାହିନୀ କ୍ୟାମ୍ପ୍‌ ଛାଡ଼ିଥିଲେ ଯାତ୍ରା ଦମ୍ପତ୍ତି କାହ୍ନା ଏବଂ ଟିକି, ଅଜୁ ଏବଂ ଆପୁ। ଏମାନେ ପ୍ରମୋଦ ସ୍ୱାଇଁଙ୍କ ଶ୍ରୀମନ୍ଦିର ନାଟ୍ୟ ଅନୁଷ୍ଠାନରେ ଯୋଗଦେଇଥିଲେ। ସେହିପରି ସୂର୍ଯ୍ୟ ମନ୍ଦିର ସହ ଚୁକ୍ତି କରିଥିବା ପୀୟୂଷଙ୍କ ସହ କ୍ଷିତିଶ ବିଶ୍ୱାଳ, ଦମ୍ପତ୍ତି ବବୁଲ-ପିଙ୍କିଙ୍କ ଭଳି ନାମୀଦାମୀ କଳାକାର ସିଂହବାହିନୀ କ୍ୟାମ୍ପକୁ ଲମ୍ଫ ମାରିଥିଲେ। 

ସେହି ଦିନଠୁ ଲାଗି ରହିଛି ସଞ୍ଜୀବ-ପ୍ରମୋଦ କଳି। ପୂର୍ବରୁ ଅଭିନେତ୍ରୀ ତମସା ମିଶ୍ର ଏବଂ ତୁଳସୀ ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁଙ୍କ ଏକ ବିବାଦୀୟ ଅଡ଼ିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସିଂହବାହିନୀ ନାଟକକୁ ଭାଙ୍ଗି ଦେବାକୁ ଷଡ଼ଯନ୍ତ୍ର କଥା ବାର୍ତ୍ତାଳାପରେ ଥିଲା। ସଞ୍ଜୀବ ପାଢ଼ୀଙ୍କ ଉପରେ ଆଉ କିଛି ଯାତ୍ରା ମାଲିକ ବି ଭିତିରିଆ ରାଗ ରଖିଥିବା କୁହାଯାଉଛି। 

ତେବେ ୨୦୨୬-୨୭ରେ ପୀୟୂଷ କେଉଁ ଯାତ୍ରା ଅନୁଷ୍ଠାନରେ କାମ କରିବେ, ତାହା ମାଲିକ ସଂଘ ନିଷ୍ପତ୍ତି ନେବ ବୋଲି ଘୋଷଣା ହୋଇଥିଲା। ତେଣୁ ଏଭଳି ଘଟଣାକ୍ରମ ହିଁ ବିବାଦ ପଛର କାରଣ ବୋଲି କୁହାଯାଉଛି। 

ଏଭଳି ବିବାଦ ଭିତରେ ଆଉ କେଉଁ କଳାକାର ବଳି ପଡୁଛନ୍ତି, ତାହା ତ ଭିନ୍ନ କଥା। କିନ୍ତୁ ଯାତ୍ରା ଜଗତର ସୁପରଷ୍ଟାର୍ କୁହାଯାଉଥିବା ପୀୟୁଷ ତ୍ରିପାଠୀ ଏବେ ଚର୍ଚ୍ଚାରେ। କାରଣ ସୂର୍ଯ୍ୟ ମନ୍ଦିର ମାଲିକଙ୍କ ମାମଲାର ଶୁଣାଣି କରି କୋର୍ଟ କହିଥିଲେ, ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ପୀୟୁଷ ମଞ୍ଚ ଚଢ଼ିପାରିବେ ନାହିଁ। 

ତେବେ ଏହି ବିବାଦକୁ ନେଇ ପୀୟୁଷ କହିଛନ୍ତି, ବିବାଦ ଅହଙ୍କାରକୁ ନେଇ, ଯାହାର ସମାଧାନ ସମ୍ଭବ। କୋର୍ଟଙ୍କ ନୋଟିସ ପାଇବା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବି। ଯାତ୍ରାକୁ ନେଇ ବଞ୍ଚିଛି, ମଞ୍ଚ ଛାଡିବିନି ବୋଲି ସେ କହିଛନ୍ତି। 

ଗୁରୁବାର ରାତି ପୀୟୁଷ ଅଭିନୟ କରିଛନ୍ତି ସତ, ହେଲେ ଆଗକୁ କଣ ହେବ, ତାକୁ ନେଇ ବଢ଼ିଛି ଉତ୍କଣ୍ଠା। ଯଦି ପୀୟୂଷଙ୍କୁ କୋର୍ଟଙ୍କ ନୋଟିସ ମିଳିଯାଏ, ତେବେ ମଞ୍ଚ ଚଢ଼ିବେ ନା କୋର୍ଟ ରୋକ୍ ଲଗାଇଥିବାରୁ ମଞ୍ଚରୁ ଦୂରେଇ ରହିବେ? ଏହାକୁ ନେଇ ଲାଗିରହିଛି ନାନା ଚର୍ଚ୍ଚା।

Jatra Actor Piyush Tripathy piyush tripathy
Advertisment
Advertisment