p
ଭୁବନେଶ୍ୱର: ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ତଥ୍ୟ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ତିନିଟି ପ୍ରସଙ୍ଗରେ ବିଧାନସଭାରେ ମନ୍ତ୍ରୀ ଦେଇଥିବା ତଥ୍ୟ ଏବେ ସରକାରଙ୍କ ପାଇଁ ବୁମେରାଂ ହୋଇଛି। ବେକାରୀରେ ଦେଶରେ ରାଜ୍ୟ ଏକ ନମ୍ବର, ୭୦ ଲକ୍ଷ ପରିବାର ଉତ୍କଟ ଗରିବୀରେ ଥିବା ଓ କାଳିଆର ୮ ଲକ୍ଷ ଚାଷୀଙ୍କ ହିସାବ ନ ମିଳିବା ଏବେ ବିରୋଧୀଙ୍କ ପାଇଁ ସରକାରଙ୍କୁ ଘେରିବାକୁ ଅମୋଘ ଅସ୍ତ୍ର ହୋଇଛି।
ବଡ଼କଥା ହେଉଛି ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀଙ୍କ ଗରିବୀ ତଥ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା ଉପରେ ବି ବଡ଼ ପ୍ରଶ୍ନ ଚିହ୍ନ ଲଗାଇଛି।
ଗୃହରେ ତଥ୍ୟ ରଖିଲା ବେଳେ ଅର୍ଥମନ୍ତ୍ରୀ କହିଥିଲେ, ରାଜ୍ୟରେ ୭୦ ଲକ୍ଷ ପରିବାର ଉତ୍କଟ ଦାରିଦ୍ର୍ୟ ଭିତରେ ଅଛନ୍ତି। ମନ୍ତ୍ରୀଙ୍କ ମୁହଁରୁ ଏପରି ତଥ୍ୟ ଆସିବା ପରେ ଏବେ ବିରୋଧୀଙ୍କ ଟାର୍ଗେଟ୍ରେ ସରକାର।
/odishatv-khabar/media/post_attachments/wp-content/uploads/2020/02/pl.jpg)
ତେବେ ମନ୍ତ୍ରୀ ବିଜୁସ୍ୱାସ୍ଥ୍ୟ କଲ୍ୟାଣର ଗୁଣ ଗାଇଲା ବେଳେ ଏମିତି କହୁ କହୁ କହିଦେଲେ ନା ପ୍ରକୃତରେ ୭୦ ଲକ୍ଷ ପରିବାର ଗରିବୀରେ ସଢୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯଦି ମନ୍ତ୍ରୀଙ୍କ ଏ କଥା ସତ, ତେବେ ୨୦ ବର୍ଷ ଭିତରେ ସରକାର କରିଥିବା ୪୨୮ ଯୋଜନା କାହାପାଇଁ ବୋଲି ପ୍ରଶ୍ନ ଉଠୁଛି।ତେବେ କେବଳ ଏଇ ଗୋଟିଏ ତଥ୍ୟ ନୁହେଁ, ଅର୍ଥମନ୍ତ୍ରୀଙ୍କ ଆଉ ଏକ ତଥ୍ୟ ବି ସରକାରଙ୍କୁ ଅଡୁଆ ଜାଲରେ ଫସାଇ ଦେଇଛି।
ଅର୍ଥମନ୍ତ୍ରୀ କହିଥିଲେ, କାଳିଆ ଯୋଜନାରେ ୪୩ ଲକ୍ଷ ଚାଷୀଙ୍କୁ ୫ ହଜାର ୧୧୫ କୋଟି ସହାୟତା ମିଳିଛି, କିନ୍ତୁ ତିନିମାସ ତଳେ କୃଷିମନ୍ତ୍ରୀ କହିଥିଲେ ୫୧ଲକ୍ଷ ୫ ହଜାର ଚାଷୀଙ୍କୁ କାଳିଆ ଟଙ୍କା ମିଳିଛି। ଉଭୟ ମନ୍ତ୍ରୀଙ୍କ ତଥ୍ୟରେ ତାଳମେଳ ରହୁନଥିବାରୁ କେଉଁଠା ସଠିକ ତଥ୍ୟ, କିଏ ସତ କହୁଛନ୍ତି, ଆଉ କିଏ ମିଛ ତାହା ଜାଣିବା କଷ୍ଟକର। ଯଦି ଅର୍ଥମନ୍ତ୍ରୀଙ୍କ ତଥ୍ୟ ଠିକ୍, ତାହେଲେ ଟଙ୍କା ନେଇଥିବା ୮ ଲକ୍ଷ ଚାଷୀ ଗଲେ କୁଆଡ଼େ? ଏ ପ୍ରଶ୍ନର ପଚାରିଲା ବେଳକୁ କିଛି ଉତ୍ତର ଦେଉନାହାନ୍ତି କୃଷିମନ୍ତ୍ରୀ।
/odishatv-khabar/media/post_attachments/wp-content/uploads/2020/02/lop.jpg)
ଅନ୍ୟପକ୍ଷରେ ବେକାରୀ ତଥ୍ୟ ବି ସରକାରଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗିଛି। ଦକ୍ଷତା ବିକାଶ ମନ୍ତ୍ରୀ କହିଛନ୍ତି, ସାରା ଦେଶରେ ବେରୋଜଗାରୀରେ ଓଡ଼ିଶା ଏକ ନମ୍ବର। ସରକାରଙ୍କ ଏ ତଥ୍ୟ ଏବେ ବିରୋଧୀଙ୍କ ପାଇଁ ଅମୋଘ ଅସ୍ତ୍ର ହୋଇଛି।
୭୦ ଲକ୍ଷ ପରିବାର ଯଦି ଗରିବୀରେ ରହିଛନ୍ତି ତେବେ ୨୦ ବର୍ଷ ଧରି ସରକାର କଣ କରୁଛନ୍ତି ବୋଲି କହିବା ସହିତ ସରକାର ଲୋକଙ୍କୁ ଠିକୁଛନ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର। ସେହପରି କଂଗ୍ରେସ୍ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ସରକାରଙ୍କ ଡାଟାକୁ ନେଇ ଆମେ ବିଧାନସଭାରେ ବାହାରେ ଓ ଭିତରେ ସ୍ୱର ଉତ୍ତଳନ କରିବୁ ବୋଲି କହିବା ବେଳେ ବିଜେଡି କହିଛି ଡାଟା ୫ ପ୍ରତିଶତ ଅପ୍ ଡାଉନ୍ ହେବ। କିନ୍ତୁ ତାକୁ ନେଇ ବିରୋଧୀ ଅଭିଯୋଗ ଅଯୌକ୍ତିକର।
/odishatv-khabar/media/post_attachments/wp-content/uploads/2020/02/niranja.jpg)
ସେହିଭଳି ନିର୍ବାଚନ ପୂର୍ବରୁ କାଳିଆ ସରକାରଙ୍କ ପାଇଁ ଟ୍ରମ୍ପ କାର୍ଡ ସାଜିଥିଲା। ଏମିତିକି କାଳିଆ ଟଙ୍କା ଅଟକାଇବା ନେଇ ଷଡ଼ଯନ୍ତ୍ର ଅଭିଯୋଗରେ ନିଜେ ମୁଖ୍ୟମନ୍ତ୍ରୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେବାକୁ ପହଞ୍ଚିଥିଲେ। ଏବେ ସ୍ଥିତି ଏମିତି ଯେ ଏହି ଯୋଜନାରେ ଚାଷୀଙ୍କୁ ଆଉ ୨ କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ତହବିଲରେ ଟଙ୍କା ନାହିଁ।
ରାଜ୍ୟର ଗରିବୀ ତଥ୍ୟ ବି ବେଶ ରୋଚକ। ସରକାରଙ୍କ ତଥ୍ୟ ଅନୁସାରେ, ୨୦୦୪-୦୫ରେ ଦାରିଦ୍ର୍ୟ ସୀମାରେଖା ତଳେ ୨ କୋଟି ୨୧ ଲକ୍ଷ ଥିବା ବେଳେ ୧୧-୧୨ରେ ଏହା କମି ୧ କୋଟି ୩୮ ଲକ୍ଷକୁ ଆସିଥିଲା। ତେବେ ଅର୍ଥମନ୍ତ୍ରୀଙ୍କ ନଗଦ ତଥ୍ୟ ଅନୁସାରେ, ଯଦି ୭୦ ଲକ୍ଷ ପରିବାର ଗରିବ ହୁଅନ୍ତି ତେବେ ଏମାନଙ୍କ ସଂଖ୍ୟା ଅତି କମ୍ରେ ୩ କୋଟି ୫୦ ଲକ୍ଷ ହେବ।
ମୋଟ ଜନସଂଖ୍ୟା ୪ କୋଟି ୨୦ ଲକ୍ଷ ଭିତରୁ କେନ୍ଦ୍ରର ଖାଦ୍ୟ ସୁରକ୍ଷା ଆଇନ୍ରେ ୩ କୋଟି ୨୩ ଲକ୍ଷ ଓ ରାଜ୍ୟ ଯୋଜନାରେ ୧୨ ଲକ୍ଷ ଲୋକ ଶସ୍ତାରେ ଚାଉଳ ପାଉଛନ୍ତି। ଏସବୁ ଦେଖିଲେ, ପ୍ରଶ୍ନ ଉଠୁଛି ଟଙ୍କିକିଆ ଚାଉଳ ନେଉଥିବା ସବୁ ଲୋକଙ୍କୁ ସରକାର ଗରିବ ଭାବେ ଗଣୁଛନ୍ତି କି? ଗରିବୀ ଓ କାଳିଆକୁ ନେଇ ବିଧାନସଭାରେ ମନ୍ତ୍ରୀଙ୍କ ଭିନ୍ନ ଭିନ୍ନ ତଥ୍ୟ ଏବେ ଅନେକ ପ୍ରଶ୍ନ ଠିଆ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/p_1627107641.jpg)