/odishatv-khabar/media/media_files/2026/01/17/operation-go-raksha-2026-01-17-19-55-36.jpg)
ଗୋ-ମାଫିଆଙ୍କ ପାଖରୁ କୋଟିଏ ୪୦ ଲକ୍ଷ ଟଙ୍କା Photograph: (OTV)
ବେଆଇନ୍ ଗୋ ଚାଲଣକାରୀଙ୍କ ଘରୁ ମିଳିଲା ଆଖି ଖୋସିଲା ଭଳି ସମ୍ପତ୍ତି। ଘରେ ଭିତରେ ଲୁଚାଇ ରଖିଥିଲେ ଟଙ୍କାର ପାହାଡ଼ ଆଉ ସୁନାରୁପାର ଭଣ୍ଡାର। ବର୍ଷ ବର୍ଷ ଧରି ପୋଲିସ ଆଖିରେ ଧୂଳି ଦେଇ ତିଆରି କରିଥିଲେ ବିଶାଳ ବେଆଇନ ସିଣ୍ଡିକେଟ୍। ଯାହାର ରହସ୍ୟ ଭେଦ କରିଛି କେନ୍ଦୁଝର ପୋଲିସ।
ଅପରେସନ୍ ଗୋ-ରକ୍ଷା ଜରିଆରେ କେନ୍ଦୁଝର ପୋଲିସ ଆଜି ୪ ଜିଲ୍ଲାରେ ଚଢାଉ କରି ଗୋ-ମାଫିଆଙ୍କ ପୋଲ ଖୋଲିଛି। ସେପଟେ ଗୋମାଫିଆ ଆଗକୁ ସାବଧାନ ନହେଲେ ଜେଲକୁ ଯିବେ ବୋଲି ଚେତାବନୀ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ।
ଟଙ୍କାର ପାହାଡ଼, ସୁନା ରୂପାର ଭଣ୍ଡାର। କୋଠାବାଡ଼ି ଯେତିକି, ଗାଡ଼ିଘୋଡ଼ା ବି ସେତିକି। କେନ୍ଦୁଝର ପୋଲିସ ପକ୍ଷରୁ ରାଜ୍ୟରେ ପ୍ରଥମ କରି ଗୋ-ମାଫିଆଙ୍କ ଉପରେ ଆରମ୍ଭ ହୋଇଥିବା ବଡ଼ ଧରଣର ରେଡ୍ ବେଳେ ସାମ୍ନାକୁ ଆସିଛି ଆଖି ତରାଟିବା ଭଳି ତଥ୍ୟ। ଆଜି ସକାଳୁ କେହି କିଛି ବୁଝିବା ଆଗରୁ କେନ୍ଦୁଝର ପୋଲିସର ୬୫ଟି ସ୍ବତନ୍ତ୍ର ଟିମ୍, ରାଜ୍ୟର ୪ ଜିଲ୍ଲାରେ ଏକକାଳୀନ ଆରମ୍ଭ କରିଥିଲା ଅପରେସନ୍ ଗୋ-ରକ୍ଷା।
କେନ୍ଦୁଝର, ଯାଜପୁର, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାର ୪୬ଟି ଲୋକେସନରେ ଆରମ୍ଭ ହୋଇଥିଲା ଚଢାଉ। କେନ୍ଦୁଝର ଜିଲ୍ଲାର ସନ୍ତରାପୁର ଗାଁର ଅଭିଯୁକ୍ତ ଟିପୁ ସୁଲତାନ ଆଉ ମହମ୍ମଦ ରହିମ୍ ଘରେ ରେଡ୍ ବେଳେ ମିଳିଥିଲା ୩୦ ଲକ୍ଷରୁ ଅଧିକ ନଗଦ କ୍ୟାସ୍, ସୁନା ଗହଣା ଓ ଅନ୍ୟ ସମ୍ପତ୍ତି। କେନ୍ଦୁଝରରେ ୪ ସ୍ଥାନରେ ୪ ଜଣଙ୍କ ଘରେ ରେଡ୍ ବେଳେ ମିଳିଥିଲା ଅମାପ ସମ୍ପତ୍ତି।
ଏପଟେ ଭଦ୍ରକରେ ଗୋ ମାଫିଆ ଗୋଷ୍ଠୀର ମାଷ୍ଟରମାଇଣ୍ଡ କୁହାଯାଉଥିବା ସେକ୍ ତାଜୁଦ୍ଦିନ୍ ଓରଫ୍ ରାଜନ ଘରେ ରେଡ୍ ବେଳେ ଯାହା ମିଳିଲା, ତାକୁ ଦେଖି ତାଜୁବ୍ ପୋଲିସ ଟିମ୍। ଏତେ ଟଙ୍କା ଦେଖି, ଶେଷରେ ଟଙ୍କାଗଣା ମେସିନ୍ ମଗାଇବାକୁ ପଡ଼ିଥିଲା। ରାଜନ ଘରୁ ନଗଦ ୬୦ ଲକ୍ଷ ଟଙ୍କା, ୭ ଶହ ଗ୍ରାମରୁ ଅଧିକ ସୁନା ଓ ଆଉ ଦୁଇଟି ସ୍କର୍ପିଓ ଜବତ ହୋଇଛି। ତା ସହ ଏକ ମାର୍କେଟ୍ କଂପ୍ଲେକ୍ସ, ନର୍ସିଂ କଲେଜ୍ ଚାଲୁଥିବା କୋଠା ଏବଂ ଆଉ ଏକ ନିର୍ମାଣାଧିନ ବହୁତଳ କୋଠାର ତଥ୍ୟ ମିଳିଛି।
ସେପଟେ ମୟୂରଭଂଜ ଜିଲ୍ଲାର କୁମୁଡ଼ା, ମାଣ୍ଡୁଆ, କରଞ୍ଜିଆ, ବିଷୋୟୀ, ଝାରପୋଖରୀ ଓ ଗୁହାଳିଆରେ ଚଢାଉ କରି ପ୍ରାୟ ୪୦ ଲକ୍ଷର ନଗଦ କ୍ୟାସ୍ ଓ ୩୦୦ ଗ୍ରାମରୁ ଅଧିକ ସୁନା ଓ ବହୁ କାର ଜବତ ହୋଇଛି।
ତେବେ ଏଠାରେ ପ୍ରଶ୍ନ ଉଠୁଛି, ରାଜ୍ୟରେ ପ୍ରତିଦିନ ବେଆଇନ୍ ଗୋ-ଚାଲାଣ ଓ ଗୋ-ମାଫିଆଙ୍କ ଉତ୍ପାତ ଅଭିଯୋଗ ଭିତରେ କେନ୍ଦୁଝର ପୋଲିସର ଏ ବଡ଼ ଧରଣର ଆନ୍ତଃ ଜିଲ୍ଲା ଅପରେସନ୍ ଗୋ-ରକ୍ଷା କାହିଁକି? କେନ୍ଦୁଝର ଏସପି କହିଛନ୍ତି, ପ୍ରାୟ ୧୦ ମାସ ତଳେ ବେଆଇନ୍ ଗୋ-ଚାଲାଣ ବେଳେ ବିଷୋୟୀ ଥାନା ପୋଲିସକୁ ଆକ୍ରମଣ କରିଥିଲେ ଗୋ-ମାଫିଆ। ଆଉ ସେହି ଘଟଣା ପରେ ମାମଲାକୁ ଅତି ଗୁରୁତର ସହ ନେଇ ଏହା ପଛରେ ଏକ ସଂଗଠିତ ଅପରାଧିକ ଗୋଷ୍ଠୀ କାର୍ଯ୍ୟ କରୁଥିବା ଜାଣିବାକୁ ପାଇଥିଲା।
ଗଲା ୧୦ ମାସ ଧରି ବିଭିନ୍ନ ଉପାୟରେ ଗୋମାଫିଆଙ୍କ ଆନ୍ତଃଜିଲ୍ଲା ନେଟୱର୍କ ଓ ନେକ୍ସସର ଡାଟା ସଂଗ୍ରହ କରୁଥିଲା। ହାତରେ ସବୁ ତଥ୍ୟ ଲାଗିବା ପରେ କେନ୍ଦୁଝର JMFC କୋର୍ଟରୁ ସର୍ଚ୍ଚ ୱାରେଣ୍ଟ ଆଣି ପୂର୍ବ ଯୋଜନା ଅନୁଯାୟୀ ଶନିବାର ଭୋରରୁ ଆରମ୍ଭ ହୋଇଥିଲା ଅପରେସନ୍ ଗୋ ରକ୍ଷା। ଯାହାର ନେତୃତ୍ବ ନେଇଥିଲା କେନ୍ଦୁଝର ପୋଲିସ।
ଅପରେସନ ଗୋ ରକ୍ଷାରେ ସାମିଲ ଥିଲେ କେନ୍ଦୁଝର ପୋଲିସର ୬୮ ଅଫିସର ଆଉ ୧୮ ପ୍ଲାଟୁନ୍ ଫୋର୍ସ। ସଂଧ୍ୟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ପୋଲିସ ଏ ମାମଲାରେ ମୋଟ ୯ ଜଣଙ୍କୁ ଗିରଫ ସହ ୧ କୋଟି ୪୦ ଲକ୍ଷର ନଗଦ କ୍ୟାସ୍, ୧ କିଲୋରୁ ଅଧିକ ସୁନା, ୩ କିଲୋ ରୁପା ଗହଣା ଜବତ ହୋଇଛି।
ସେହିଭଳି ଗୋ ମାଫିଆଙ୍କର ବହୁ କୋଠାବାଡ଼ି, ବ୍ୟାଙ୍କ୍ ବାଲାନ୍ସ ଓ ଅନ୍ୟ ସମ୍ପତ୍ତିର ହିସାବ ଲାଗିଥିବା ବେଳେ ସ୍କର୍ପିଓ, କ୍ରେଟା, ବଲେରୋ ଓ ପିକ୍ ଭ୍ୟାନ ଭଳି ୧୩ଟି କାର ଜବତ ହୋଇଛି। ଏକାଧିକ ମାମଲାରେ ଅଭିଯୁକ୍ତ ଥିବା ଏ ଗୋମାଫିଆଙ୍କ ସମ୍ପତ୍ତି ୧୦୦ କୋଟିରୁ ଅଧିକ ହେବ ବୋଲି ଏବେ ଅନୁମାନ କରୁଛି କେନ୍ଦୁଝର ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)