/odishatv-khabar/media/post_attachments/uploadimage/library/16_9/16_9_0/marrage_1621327630.jpg)
marrage
ଭୁବନେଶ୍ୱର: ବାହାଘର ଆଉ ୫୦ ନୁହେଁ ବରଂ ୨୫ ଜଣଙ୍କୁ ଏଣିକି ମିଳିବ ଅନୁମତି। ଏହାସହ ସେଠାରେ କୌଣସି ବ୍ୟକ୍ତି ଭୋଜିଭାତ କରିବେ ନାହିଁ ବରଂ ପ୍ୟାକେଟ୍ରେ ଖାଦ୍ୟ ନେଇ ଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିବାହ କାର୍ଯ୍ୟକ୍ରମରେ କୌଣସି ବାଜା କିମ୍ବା ରୋସଣି ହେବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। କେବଳ ଏତିକି ନୁହେଁ ବରଂ ରାଜ୍ୟରେ ଲକଡାଉନ୍ କଟକଣାକୁ ଆହୁରି ବଢାଇ ଦେଇଛନ୍ତି ରାଜ୍ୟ ସରକାର। ଜୁନ୍ ୧ ପର୍ଯ୍ୟନ୍ତ କଟକଣା ବଢାଇଛନ୍ତି ସରକାର।
ତେବେ ରାଜ୍ୟରେ ଲଗାତାର ଭାବରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଛି। ଲକ୍ଡାଉନ୍ ଓ ସପ୍ତାହାନ୍ତ ସଟ୍ଡାଉନ୍ ସତ୍ତ୍ୱେ ମଧ୍ୟ ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସି ନଥିବା ଦେଖିବାକୁ ମିଳିଛି। ଆଉ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟରେ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ, ରାଜ୍ୟରେ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ବୃଦ୍ଧି କରାଯାଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲକଡାଉନ୍ ସହ ରାଜ୍ୟରେ ସଟଡାଉନ୍ ମଧ୍ୟ ଜାରି ରହିବ। ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ମିଳୁଥିବା ମହଲତ କମାଇ ଦିଆଯାଇଛି। ଏଣିକି ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ ମଧ୍ୟରେ ଦୈନଦିନ ସାମଗ୍ରୀ କିଣିପାରିବେ ଲୋକେ। ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ପରିବାପତ୍ର କିଣିବାକୁ ଅନୁମତି ଦିଆଯାଇଛି। ଆବଶ୍ୟକ ଅନୁସାରେ, ଲୋକମାନେ ନିକଟସ୍ଥ ଦୋକାନକୁ ଚାଲି ଚାଲି ଯାଇ ଜିନିଷ କିଣିପାରିବେ। ଏହାସହ ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟରେ ଭୋଜିଭାତକୁ ସମ୍ପୂର୍ଣ୍ଣ ମନା କରାଯାଇଛି। ଘରକୁ ଡାକି କୌଣସି ଅତିଥିମାନଙ୍କୁ ଭୋଜିଭାତ ଦିଆଯାଇ ପାରିବ ନାହିଁ। ବରଂ ଅତିଥିମାନଙ୍କୁ ପ୍ୟାକେଟ ଜରିଆରେ ଖାଦ୍ୟ ଦିଆଯାଇପାରିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।
ଓଡ଼ିଶାରେ ଆଜି ବି ୧୦ ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୧୦,୭୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦, ୩୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧,୫୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ ସୁନ୍ଦରଗଡ଼ରୁ ୮୧୯ ଓ କଟକରୁ ୭୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୨୨ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୩୫୭କୁ ବୃଦ୍ଧି ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)