/odishatv-khabar/media/media_files/2026/01/07/love-dispute-violence-2026-01-07-17-11-36.jpg)
ଏକତରଫା ପ୍ରେମରୁ ହିଂସା Photograph: (OTV)
ଗଜପତି ଜିଲ୍ଲା ଚନ୍ଦ୍ରଗିରି ଢେପାସାହିରେ ପ୍ରେମ ସମ୍ପର୍କକୁ ନେଇ ଗୁଳିକାଣ୍ଡ ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରେମିକ ଲାଜାର୍ ପ୍ରଧାନକୁ ଗିରଫ କରିବା ସହ ତା’ ଠାରୁ ବନ୍ଧୁକ ଜବତ କରିଛି। ଅନ୍ୟପଟେ ପାରଳାଖେମୁଣ୍ଡିରୁ ସାଇଣ୍ଟିଫିକ୍ ଟିମ୍ର ୩ ଜଣ ସଦସ୍ୟ ଗାଁକୁ ଯାଇ ଘଟଣାର ଅନୁଧ୍ୟାନ କରିବା ସହ ୩ଟି ଖୋକା ଜବତ କରିଛନ୍ତି।
ସୂଚନା ମୁତାବକ ଅଭିଯୁକ୍ତ ଲାଜାର୍ ପ୍ରଧାନ ଓ ଭାଇ ସନ୍ତୋଷ ପ୍ରଧାନ ଦୁହେଁ ମିଶି ଯୋଜନାବଦ୍ଧ ଭାବେ ଏହି ଗୁଳିମାଡ଼ କରିଥିଲେ। ଜବତ ପିଷ୍ଟଲକୁ ଅଭିଯୁକ୍ତ ଲାଜାର ୧୫ ହଜାର ଟଙ୍କା ଦେଇ ବାହାର ରାଜ୍ୟରୁ କିଣିଥିବା ପୋଲିସ ଆଗରେ ସ୍ଵୀକାର କରିଛି। ଗୁଳିମାଡ଼ରେ ଶିକାର ହୋଇଥିବା ଝିଅର ସମ୍ପର୍କୀୟ ଭାଇ ଅନିଲ କରାଡ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।
ପ୍ରକାଶଥାଉ ଯେ, ଲାଜର ପ୍ରଧାନ ସେହି ଗାଁର ଏକ ଝିଅକୁ ଏକ ତରଫା ପ୍ରେମ କରି ଜୋର୍ ଜବରଦସ୍ତି ଉଠାଇ ନେଇଥିଲା। ପରିବାର ଲୋକେ ଖୋଜାଖୋଜି କରି ଝିଅକୁ ଆଣିଥିଲେ ଆଉ ଅନ୍ୟତ୍ର ବିବାହ କରାଇଥିଲେ। କିଛି ଦିନ ପରେ ଯେତେବେଳେ ଝିଅ ନିଜ ଗାଁକୁ ଆସିଥିଲା ତାହାର ଫାଇଦା ନେବାକୁ ପୁଣି ଥରେ ଲାଜର ଜୋର୍ ଜବରଦସ୍ତି ଉଠାଇ ନେଇ ଏକ ଘରେ ଲୁଚାଇ ରଖିଥିଲା।
ଘଟଣା ଜାଣିବା ପରେ ପରିବାର ଲୋକେ ଝିଅକୁ ଉଦ୍ଧାର କରି ସମାଧାନ ପାଇଁ ଗାଁରେ ଏକ ବୈଠକ କରାଯାଇଥିଲେ। ହେଲେ ସେହି ସମୟରେ ସନ୍ତୋଷ ପ୍ରଧାନ ନାମକ ଜଣେ ଯୁବକ ଗୁଳି ମାଡ଼ କରିଥିଲା। ଫଳରେ ଗୁଳି ଝିଅର ସମ୍ପର୍କୀୟ ଭାଇ ଅନିଲ କୁମାର କରାଡଙ୍କ ଡାହାଣ ଗୋଡ଼ରେ ବାଜିଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଡାକ୍ତର ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେl
ପୋଲିସ ବର୍ତ୍ତମାନ ଅଭିଯୁକ୍ତ ଲାଜାରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ସମ୍ପୃକ୍ତ ବଡ ଭାଇ ସନ୍ତୋଷ ପ୍ରଧାନ ଏବେ ବି ଫେରାର ରହିଛି। ସନ୍ତୋଷ ପ୍ରଧାନ ଗିରଫ ହେବା ପରେ ପୋଲିସକୁ ଅଧିକ ତଥ୍ୟ ମିଳିବା ନେଇ ଆଶା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)