Corona
ଗର୍ବ ଆଉ ଗୌରବର ଦିନ ଥିଲା । କୀର୍ତ୍ତି ଅର୍ଜନର ସମୟ ବି ଥିଲା । କବାଡ଼ିର ଯୁଦ୍ଧ ପଡ଼ିଆରେ ବାଜି ମାରିବାର ଝୁଙ୍କ୍ ଆଉ ସଫଳତାର ଶୀଖରକୁ ଛୁଇଁବାର ଆଶାର ପକ୍ଷୀରେ ଡେଣା ବି ଲାଗିସାରିଥିଲା । ହେଲେ ବଦଳିଗଲା ସମୟର ସୁଅ । ଦିନେ ଯିଏ ଜାତୀୟସ୍ତରର କବାଡ଼ି ଖେଳାଳୀ ଥିଲେ, ସିଏ ଆଜି ସ୍ୱିଗି ବୟ । ଆଜି ଦେହରେ ସ୍ପୋର୍ଟ ଓୟାର୍ ନାହିଁ, କିନ୍ତୁ ନାରଙ୍ଗୀ ଗଂଜି ଆଜି ପେଟକୁ ଦାନା ଯୋଗାଉଛି । ବୟସ୍କ ବାପା, ମାଙ୍କ ଦାୟିତ୍ୱ ନେବାକୁ ସାହସ ଯୋଗାଇଛି । ମନରେ ଦୁଃଖ ଅଛି, ପେଟରେ ଭୋକ ବି ଅଛି । ତଥାପି ଚାଲିଛନ୍ତି ସେ ଜୀବନଯାତ୍ରାରେ ।
କଟକ ସାମନ୍ତସାହିର କେ.ମାଧବ ରାଓ । ବୟସ୍କ ମାଙ୍କୁ ଧରି ରହୁଛନ୍ତି ଭଡ଼ାରେ । ଆଜିକୁ ୧୫ ବର୍ଷ ଧରି କବାଡ଼ିକୁ କ୍ୟାରିୟର୍ ଭାବେ ଗ୍ରହଣ କରିଥିଲେ ସେ । ହାଇଦ୍ରାବାଦ, ଗୁଜୁରାଟ, ରାଜସ୍ଥାନରେ ଅନୁଷ୍ଠିତ ଏକାଧିକ ଜାତୀୟ ସ୍ତରର କବାଡ଼ି ଚାମ୍ପିଅନ୍ସିପ୍ରେ ଓଡ଼ିଶାର ପ୍ରତିନିଧିତ୍ୱ ବି କରିଛନ୍ତି । କିନ୍ତୁ କରୋନା ମାଡ଼ରେ ସବୁ ଖେଳକୁଦ ବନ୍ଦ ହେବା ପରେ ତାଙ୍କ ଭଳି ଖେଳାଳୀଙ୍କୁ ପଚାରେ କିଏ ? ନା ସରକାରୀ ସ୍ତରରେ ନା ଘରୋଇ ସ୍ତରରେ, କୌଣସି ପ୍ରୋତ୍ସାହନ କିମ୍ବା ସହାୟତା ମିଳୁନଥିବାରୁ ଗୁଜରାଣ ମେଣ୍ଟାଇବାକୁ ଏବେ ସେ ପାଲଟି ଯାଇଛନ୍ତି ସ୍ୱିଗି ବୟେ । କେ.ମାଧବଙ୍କ ଭଳି ଅନେକ ଖେଳାଳୀଙ୍କ ବଦଳିଯାଇଛି ପରିଚୟ ।
ସେହିଭଳି ଆଉ ଜଣେ ବ୍ୟକ୍ତି ହେଉଛନ୍ତି ହକିର ଗଡ଼ ସୁନ୍ଦରଗଡ଼ ଡାଇଜିରା ଗାଁର ସୁଜିତ ସଏ । ୨୦ ବର୍ଷ ବୟସର ଏହି ଯୁବ ଖେଳାଳୀ ଜମିରେ ହଳ କରୁଛନ୍ତି, ଘାସ ବାଛୁଛନ୍ତି, ଧାନ ବୁଣୁଛନ୍ତି । ଆଜିକୁ ଅନେକ ଦିନ ହେଲାଣି ଚାଷବାସ ଏବେ ତାଙ୍କର ବେଉଷା ପାଲଟିଗଲାଣି । ପିଲାଟି ଦିନରୁ କବାଡ଼ି ପ୍ରତି ଅହେତୁକ ଦୁର୍ବଳ ଥିବାରୁ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ସ୍ୱୀକୃତି । ଦିନେ ବଣର ମଲ୍ଲି ସାଜିଥିବା ଏହି ପ୍ରତିଭା ଜାତୀୟ ସ୍ତରରେ ପାଞ୍ଚ ପାଞ୍ଚ ଥର କବାଡ଼ି ଖେଳି କମ୍ପାଇଛନ୍ତି ମୈଦାନ । ହେଲେ ନା ଚାକିରି ଖଣ୍ଡେ ମିଳିଲା ନା ମିଳିଲା କୌଣସି ରୋଜଗାରର ପନ୍ଥା । ଶେଷରେ କରୋନା କାଳରେ ବଦଳିଯାଇଛି ତାଙ୍କ ପରିଚୟ ।
ଜାତୀୟ ସ୍ତରର କବାଡ଼ି ଖେଳାଳୀଠୁ ଏବେ ସେ ବନିଯାଇଛନ୍ତି ଚାଷୀ । କେବେ ଅନ୍ୟ ଜମିରେ ମୂଲ ଲାଗି ତ, ଆଉ କେବେ ନିଜ କ୍ଷେତରେ ଚାଷବାସ କରି ପେଟ ପୋଷୁଛନ୍ତି ସୁଜିତ । ତେଣୁ ସରକାର କିମ୍ବା ଘରୋଇ ସଂସ୍ଥା ପକ୍ଷରୁ କିଛି ପ୍ରୋତ୍ସାହନ କିମ୍ବା ସହାୟତା ମିଳିଲେ ସେ ଆଗକୁ ବଢ଼ିପାରନ୍ତେ ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Corona-1_1624680257.jpg)