/odishatv-khabar/media/media_files/2026/02/20/odisha-school-dropout-rate-rises-2026-02-20-20-27-24.jpg)
ସରକାରୀ ସ୍କୁଲରୁ ମନ ଫେରେଇଲେଣି ପିଲା Photograph: (OTV)
ସ୍କୁଲ ଡ୍ରପ୍ ଆଉଟକୁ ନେଇ ବିଧାନସଭାରୁ ସାଂଘାତିକ ଚିତ୍ର ଆସିବା ପରେ ବଢ଼ିଲା ଚିନ୍ତା। ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୨୦୨୪-୨୫ ଶିକ୍ଷାବର୍ଷରେ, ୧୫ ପ୍ରତିଶତ ପିଲା ପାଠ ଛାଡ଼ିଛନ୍ତି। ନବମ ଓ ଦଶମ ଶ୍ରେଣୀରେ ସବୁଠୁ ଅଧିକ ପିଲା ଛାଡୁଛନ୍ତି ପାଠପଢା। ସେପଟେ ଏଥର ମାଟ୍ରିକ ପରୀକ୍ଷାରେ ଫର୍ମପୂରଣ କରି ପରୀକ୍ଷା ଦେଇନାହାନ୍ତି ୧୨ ହଜାର ପିଲା, ଯେଉଁଥିରୁ ଅନେକ ଦାଦନ ଖଟି ଯାଇଥିବା ଜଣାପଡ଼ିଛି।
ପୁଣି ସରକାରୀ ସ୍କୁଲରୁ ମନ ଫେରେଇଲେଣି ପିଲା । ଅଧାରୁ ସ୍କୁଲ ଛାଡୁଛନ୍ତି ପିଲା । ବିଶେଷ କରି ନବମ ଓ ଦଶମ ଶ୍ରେଣୀରେ ଅଧିକ ପିଲା ଅଧାରୁ ଛାଡୁଛନ୍ତି ପାଠପଢ଼ା। ଗତ କିଛି ବର୍ଷ ହେବ ରାଜ୍ୟରେ ହ୍ରାସ ପାଇଥିଲା ଡ୍ରପ୍ ଆଉଟ୍ ହାର । ହେଲେ ଗତ ଶିକ୍ଷା ବର୍ଷରେ ଏହି ସଂଖ୍ୟା ପୁଣି ବଢିବା ପରେ ଉଦବେଗ ପ୍ରକାଶ ପାଇଛି ।
ବିଧାନସଭାରେ ଶିକ୍ଷା ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୨୦୨୧-୨୨ ଶିକ୍ଷା ବର୍ଷରେ ଡ୍ରପ୍ ଆଉଟ୍ ହାର ୨୭ ଦଶମିକ ୨୬ ଥିବା ବେଳେ ୨୦୨୨-୨୩ରେ ଏହା ୧୭ ଦଶମିକ ୭୨ ପ୍ରତିଶତକୁ ଖସି ଆସିଥିଲା । ୨୦୨୩-୨୪ରେ ଏହା ଆହୁରି ହ୍ରାସ ପାଇ ୧୨ ଦଶମିକ ୮ ହୋଇଥିଲା । ହେଲେ ୨୦୨୪-୨୫ ଶିକ୍ଷାବର୍ଷରେ ଏହା ପୁଣି ବଢି ୧୫ ପ୍ରତିଶତ ହୋଇଛି । ତେବେ ଝିଅଙ୍କ ତୁଳନାରେ ପୁଅ ଅଧିକ ସଂଖ୍ୟାରେ ପାଠ ଛାଡୁଥିବା ଦେଖିବାକୁ ମିଳିଛି ।
ତଥ୍ୟ ଅନୁସାରେ, ନବମ ଓ ଦଶମ ଶ୍ରେଣୀରେ ୧୨ ଦଶମିକ ୫ ପ୍ରତିଶତ ଝିଅ ପାଠ ଛାଡି ଥିବା ବେଳେ ୧୭ ଦଶମିକ ୩ ପ୍ରତିଶତ ପୁଅ ପାଠ ଛାଡିଛନ୍ତି । ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ଡ୍ରପ୍ ଆଉଟ୍ ହାର ୩.୨ ପ୍ରତିଶତ ଥିବା ବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଭିତରେ ଦଶମିକ ୭ ପ୍ରତିଶତ ପିଲା ପାଠ ପଢା ଛାଡିଛନ୍ତି ।
ଏଣେ ଗୁରବାରଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ପାଖାପାଖି ୧୨ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। ତେବେ କାହିଁକି ପରୀକ୍ଷା ଦେବାକୁ ଆସୁନାହାନ୍ତି ଛାତ୍ରଛାତ୍ରୀ । କଣ ରହିଛି କାରଣ । ଜାଣିବାକୁ ଆମେ ଗ୍ରାଉଣ୍ଡରେ ସ୍ଥିତି ପରଖିଥିଲୁ । ଏ ହେଉଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ କୁଇବାହାଲ ଗାଁ ।
ଏଠାରେ ଥିବା ହାଇସ୍କୁଲର ୧୧ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲପ କରିଥିଲେ ବି ପରୀକ୍ଷା ଦେଇନାହନ୍ତି । ସେମାନଙ୍କ ଗାଁ ସମରସିଂ ଯାଇ ଦେଖିଲା ବେଳକୁ ଘରେ ଝୁଲୁଛି ତାଲା l ଛାତ୍ର ଟୁପି ଜାନିଙ୍କ ସମ୍ପର୍କରେ ପଚାରିବାରୁ ପଡୋଶୀ କହିଛନ୍ତି ସେ ଦାଦନ ଖଟିବାକୁ ଯାଇଛନ୍ତି l
ସେହିପରି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ମୁଣ୍ଡିମାଲ ଗାଁର ରାମସିଂ ଜାନିଙ୍କ ପୁଅ ନିରାକାର ଜାନି ଦଶମ ପଡୁଥିଲେ। ହେଲେ ସେ ମାସେ ତଳେ କାହାକୁ ନଜଣାଇ ଗାଁ ପିଲାମାନଙ୍କ ସହିତ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ତେବେ ଏତେ ସଂଖ୍ୟାରେ ମାଟ୍ରିକ ପରୀକ୍ଷାର୍ଥୀ କାହିଁକି ଅନୁପସ୍ଥିତ ରହିଲେ ସେ ନେଇ ତର୍ଜମା କରାଯାଉଛି ବୋଲି କହିଛନ୍ତି ସ୍କ୍ଲୁଲ ଓ ଗଣଶିକ୍ଷା ମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)