Advertisment

Sarthak Mahapatra Mysteriously Missing: ମଝି ଦରିଆରୁ କୁଆଡ଼େ ଉଭାନ ହେଲେ ସାର୍ଥକ ମହାପାତ୍ର; ଚିନ୍ତାରେ ପରିବାର

ମଝି ଦରିଆରୁ କୁଆଡ଼େ ଉଭାନ ହେଲେ ସାର୍ଥକ ମହାପାତ୍ର ? ମରିସସ୍ ନିକଟରେ ଜାହାଜ ପହଞ୍ଚିବାଠୁ ନିଖୋଜ ଓଡିଆ ଯୁବକ। ପତ୍ତା ମିଳୁନଥିବା ଘରୋଇ ଜାହାଜ କଂପାନୀ ପକ୍ଷରୁ ସୂଚନା। କେନ୍ଦ୍ରକୁ ଅବଗତ କଲା ରାଜ୍ୟ, ଚିନ୍ତାରେ ପରିବାର ଲୋକେ।

author-image
Pramod Behera
Sarthak Mahapatra Mysteriously Missing

ମଝି ଦରିଆରୁ କୁଆଡ଼େ ଉଭାନ ହେଲେ ସାର୍ଥକ ମହାପାତ୍ର Photograph: (OTV)

ମଝି ଦରିଆରୁ କୁଆଡ଼େ ନିଖୋଜ ହୋଇଗଲେ ଓଡ଼ିଆ ଯୁବ ନାବିକ ସାର୍ଥକ ମହାପାତ୍ର ? ମରିସସ୍ ନିକଟରେ ଗଭୀର ସମୁଦ୍ରରୁ କେମିତି ଗାୟବ ହୋଇଗଲେ ଭଦ୍ରକର ଏହି ଓଡ଼ିଆ ପୁଅ ? ଆଜିକୁ ୪ ଦିନ ହୋଇଗଲା, ମିଳୁନି କୌଣସି ପତ୍ତା। ଫଳରେ ପରିବାର ଲୋକଙ୍କ ମଧ୍ୟରେ ନାନା ଆଶା ଆଶଙ୍କା ଲାଗିରହିଛି। ଏ ସଂପର୍କରେ ସାର୍ଥକଙ୍କ ପରିବାର ପକ୍ଷରୁ ପୁଅକୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବା ପରେ କେନ୍ଦ୍ରର ୪ଟି ବିଭାଗକୁ ଦିଲ୍ଲୀ ସ୍ଥିତ ପ୍ରିନ୍ସପାଲ୍ ରେସିଡେଣ୍ଟ କମିଶନର ଚିଠି ଲେଖିଛନ୍ତି।

Advertisment

ବୋଲ ମାନୁନି ମା’ଆଖିର ଲୁହ। ଛାତିର କୋହକୁ ଚାପି ହେଉନି। ଯିଏ ଯେତେ ବୁଝେଇଲେ ବି ମାକ୍ଷ ମନ କ’ଣ ବୁଝିବ ? ଯେଉଁଦିନଠୁ ନାବିକ ପୁଅ ନିଖୋଜ ହୋଇଗଲାଣି, ସେଦିନଠୁ ନା ଆଖିରେ ନିଦ ଆସୁଛି, ନା ଭେଟରେ ଭୋକ। ଆଜିକୁ ୪ ଦିନ ହୋଇଗଲା। ମଝି ଦରିଆରେ ମେରାଇନ ଇଞ୍ଜିନିୟର ସାର୍ଥକ ମହାପାତ୍ର ନିଖୋଜ ହେବା ପରଠୁ କେବଳ ଯାହା ଘାଣ୍ଟି ହେଉଛି ମନ ଆଉ ପ୍ରାଣ। ଆଜି ବି ମନେପଡୁଛି, ଏଇ କିଛିଦିନ ତଳେ ଶେଷଥର ପାଇଁ ପୁଅ ସହ ଭିଡ଼ିଓ କଲରେ କଥାବାର୍ତ୍ତା ହୋଇଥିବାର ଦୃଶ୍ୟ। କିନ୍ତୁ ସେହି କୁଳ ନନ୍ଦନ କେଉଁ ଅଜଣା ଉପକୂଳରେ ହଜିଯାଇଛି, ଭାବି ଭାବି ସାରା ପରିବାର ବ୍ୟାକୁଳ ହୋଇପଡ଼ିଛନ୍ତି। କେବଳ ଯାହା ସରକାରଙ୍କୁ ଯୋଡ଼ହସ୍ତରେ ନିବେଦନ କରିଛନ୍ତି, ଘରର ଏକମାତ୍ର ସନ୍ତାନ ସାର୍ଥକଙ୍କୁ ଉଦ୍ଧାର ପାଇଁ ଏବଂ ଖୋଜି ଆଣିଦେବା ପାଇଁ। 

ନିଖୋଜ ସାର୍ଥକଙ୍କ ମା’ଙ୍କ ନିବେଦନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ତତ୍ପର ହୋଇଉଠିଛନ୍ତି ରାଜ୍ୟ ସରକାର। ମାମଲାକୁ ଗୁରୁତର ସହ ନେଇ କେନ୍ଦ୍ର ବୈଦେଶିକ ସଚିବ, ସ୍ବରାଷ୍ଟ୍ର ସଚିବ, ଜଳପଥ ସଚିବ ଓ ସିପିଂ ଡିଜିଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ଦିଲ୍ଲୀ ସ୍ଥିତ ଓଡ଼ିଶାର ପ୍ରିନ୍ସିପାଲ୍ ରେସିଡେଣ୍ଟ କମିଶନର ବିଶାଲ୍ ଗନନ ଏ ସଂପର୍କରେ ୪ଟି ବିଭାଗକୁ ଚିଠି ଲେଖିଛନ୍ତି। ସାର୍ଥକ ଯେହେତୁ ନିଜ ଜିଲ୍ଲାର ତେଣୁ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ବି ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି। 

Advertisment

ସିଙ୍ଗାପୁର ଫେରୁଥିବା ଆଙ୍ଗ୍ଲୋ-ଇଷ୍ଟର୍ଣ୍ଣ ସିପ୍ ମ୍ୟାନେଜମେଣ୍ଟ ସଂସ୍ଥାର EA ଜର୍ସୀ ଭେସେଲରେ ସାର୍ଥକ ଥିଲେ କ୍ରିୟୁ ମେମ୍ବର। ୨୦୨୫, ଜୁଲାଇ ୧୪ରେ ପାଠପଢା ପରେ ଇଣ୍ଟର୍ଣ୍ଣସିପ୍ ପାଇଁ ଜାହାଜରେ ଚଢିଥିଲେ ସାର୍ଥକ। ସେଦିନ ଥିଲା ଫେବ୍ରୁୟାରୀ ୨ ତାରିଖ। (AI VIDEO) ମାଆଙ୍କ ସହ ଭିଡ଼ିଓ କଲରେ କଥା ହୋଇଥିଲେ। ଭଲମନ୍ଦ ପଚାରିବା ସହ ଜାହାଜର ଅନୁଭୂତି ସଂପର୍କରେ ପଚାରିଥିଲେ ମା’। କିଛି ସମୟ ଧରି ବେଶ ଭାବବିହ୍ବଳ ସହ ପୁଅ ସାର୍ଥକ ବି କଥା ହୋଇଥିଲେ। 

ରାତି ପାହିଲା ୩ ତାରିଖ। ସେଦିନ ପୁଣି ସାର୍ଥକଙ୍କୁ କଲ୍ କରିଥିଲେ ମା ରଶ୍ମିତା। କିନ୍ତୁ ଫୋନ୍ ଆଉ ଉଠାଇନଥିଲେ। ମା ମନରେ ବଢ଼ିଲା ନାନା ଶଙ୍କା।... ତାହାରି ଭିତରେ ସଂପୃକ୍ତ ଜାହାଜ କମ୍ପାନୀ ପକ୍ଷରୁ ଆସିଲା ଚିଠି। ଯେଉଁଠି ଲେଖାଥିଲା, ଯେଉଁ କ୍ୟାବିନରେ ସାର୍ଥକ ପ୍ରବେଶ କରିଥିଲେ, ସେଇଠୁ ଫେବୃଆରୀ ୩ ସକାଳୁ ଆଉ ପତ୍ତା ମିଳୁନି। ଜାହାଜର ବେଗ କମାଇ ସର୍ଚ୍ଚ ଅପରେସନ ବି କରାଯାଇଥିଲା, ତଥାପି ତାଙ୍କୁ ପାଇ ହେଉନି। 

ଜାହାଜ ବିଶେଷଜ୍ଞଙ୍କ କହିବା କଥା, ଯାହା ଜଣାପଡୁଛି ସାର୍ଥକ ଶେଷ ୮ ଘଣ୍ଟା ଡ୍ୟୁଟି କରିଛନ୍ତି। ସେହି ସମୟରେ ସେ ଯାହା ବି କଥା ହୋଇଥିବେ କି କମାଣ୍ଡ ଦେଇଥିବେ ସବୁକିଛିର ରେକର୍ଡ ଥିବ। ଜାହାଜର ଚାରିଆଡେ ଲାଗିଥିବା କ୍ୟାମେରାରେ ସବୁ ଦୃଶ୍ୟ ଷ୍ଟୋରେଜ୍ ହୋଇକି ରହିବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଜାହାଜ ସିଙ୍ଗାପୁରରେ ପହଞ୍ଚିବା ପରେ ସଠିକ ତଥ୍ୟ ମିଳିଯିବ। 

୨୩ ବର୍ଷିୟ ଯୁବ ନାବିକ। କେତେ ସ୍ବପ୍ନ ଥିଲା, ପୁଅକୁ ୟୁନିଫର୍ମ ସହ ଦେଖି ଗଦଗଦ୍ ହୋଇଯାଉଥିଲା ପରିବାର ସଦସ୍ୟଙ୍କ ହୃଦୟ। କିନ୍ତୁ ଆଜିକୁ ୪ ଦିନ ପରେ ବି କୌଣସି ଖୋଜଖବର ମିଳିନି। ଏବେ ଅପେକ୍ଷା ସମୁଦ୍ର ଭିତର ଦେଇ ଫେରୁଥିବା ଜାହାଜ ସିଙ୍ଗାପୁରରେ ପହଞ୍ଚିବା ପରେ ସାର୍ଥକଙ୍କ ସଂପର୍କରେ କି ବାର୍ତ୍ତା ଦେଉଛି। 

Odisha News Odisha Youth Missing
Advertisment
Advertisment