Advertisment

Indian Sailor Missing at Sea: କୁଆଡ଼େ ନିଖୋଜ ହେଲେ ସାର୍ଥକ ମହାପାତ୍ର… ୭ ଦିନ ହେଲାଣି ମିଳୁନି ଖୋଜଖବର

କୁଆଡ଼େ ନିଖୋଜ ହେଲେ ସାର୍ଥକ ମହାପାତ୍ର ? ୭ ଦିନ ହେଲାଣି ମିଳୁନି ଖୋଜଖବର। ପୁଅ ଫେରିବା ବାଟକୁ ଅନାଇଛନ୍ତି ପରିବାର। ପୁଅର ମଙ୍ଗଳ ମନାସୀ ଘରେ ପୂଜାର୍ଚ୍ଚନା। ମହାବାହୁଙ୍କ ଉଦ୍ଦେଶ୍ୟରେ ହାତ ଟେକିଦେଲେ ପରିବାର। ସାର୍ଥକଙ୍କ ନିଖୋଜକୁ ନେଇ ନାନା ପ୍ରଶ୍ନବାଚୀ

author-image
Pramod Behera
Indian Sailor Missing at Sea

କୁଆଡ଼େ ନିଖୋଜ ହେଲେ ସାର୍ଥକ ମହାପାତ୍ର… Photograph: (OTV)

ମଝି ସମୁଦ୍ରରୁ କୁଆଡ଼େ ନିଖୋଜ ହୋଇଗଲେ ଓଡ଼ିଆ ଯୁବ ନାବିକ ସାର୍ଥକ ମହାପାତ୍ର ? ୭ ଦିନ ହେଲାଣି, କୌଣସି ଖୋଜଖବର ନାହିଁ। ପୁଅର ଫେରିବା ବାଟକୁ ପରିବାର ଅନାଇ ରହିଥିବା ବେଳେ ମନକୁ ନାନା ପାପ ବି ଛୁଉଁଛି। ପୁଅର ମଙ୍ଗଳ ମନାସିବା ସହ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନେଇ ଘରେ ପୂଜାର୍ଚ୍ଚନା ସହ ସଂକୀର୍ତ୍ତନ କରାଯାଉଛି। ମହାବାହୁଙ୍କ ଉଦ୍ଦେଶ୍ୟରେ ହାତ ଟେକି ଦେଇଛନ୍ତି ପରିବାର। ସାର୍ଥକଙ୍କ ନିଖୋଜ ଅନେକ ପ୍ରଶ୍ନବାଚୀ ଠିଆ କରିଛି।

Advertisment

କାଳିଆ ତୁ କଣ ସତରେ ଅଛୁ। ମୋ କୋଳ ଖାଲି କରିଦେଲେ ତୁ କଣ ଖୁସି ହେବୁ। ତୁ ମନର ଠାକୁର ପରା, ମୋ କଥା କଣ ତୋ କାନରେ ପଡୁନି। ହଜି ଯାଇଥିବା ପୁଅଟାକୁ ଟିକେ ଖୋଜି ଆଣେ। ମୁଁ ଆଉ ପାରୁନିରେ। ତତେ ଲାଗିଲା ମୋ ପୁଅ। ତୋ ଉପରେ ମୋର ଭରସା ଅଛି ନିଶ୍ଚୟ ପୁଅ ମୋ କୋଳକୁ ଫେରିବ। ତାର କେହି କିଛି ବି କରିପାରିବେନି।

ସମୟ ଯେତିକି ବଢୁଛି, ମନ ସେତିକି ପାପ ଛୁଉଁଛି। ପୁଅ ଯେଉଁଠି ଥାଉ ଭଲରେ ଥାଉ, ସୁରକ୍ଷିତ ଭାବରେ ରହିଥାଉ ବୋଲି ତା ନାଁରେ ଚାଲିଛି ସଂକୀର୍ତ୍ତନ। ଦୁଃଖରେ ବୁଡିଥିବା ପରିବାର ଶେଷରେ ଜଗନ୍ନାଥଙ୍କ ଶରଣରେ ପଶିଛନ୍ତି। ନିରୂପାୟ ହୋଇ ମହାବାହୁଙ୍କୁ ପ୍ରାର୍ଥନା କରିବା ଛଡା ଏମାନଙ୍କ ପାଖରେ ଯେମିତି ଆଉ କିଛି ଶକ୍ତି ନାହିଁ। ପ୍ରଶ୍ନ ପରେ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଛି । 

Advertisment

୭ ଦିନ ହେଲାଣି ଗଭୀର ସମୁଦ୍ରରେ ଓଡିଆ ପୁଅ ସାର୍ଥକ ମହାପାତ୍ର ନିଖୋଜ ରହିଛି। ସର୍ଚ୍ଚ ଅପରେଶନ ଜାରି ରହିଥିବା କଥା ଶିପିଂ ସଂସ୍ଥା କହୁଥିଲେ ବି ପରିବାର ଲୋକଙ୍କ ମନ କିନ୍ତୁ ବୁଝୁନି। ବୁଝିବ ବା କିପରି ? ବିଦେଶରେ ପୁଣି ମଝି ସମୁଦ୍ରରେ ପୁଅ ନିଖୋଜ କଥା ଆସିବା ପରେ ଘର ଲୋକଙ୍କ ରେଞ୍ଜ ବାହାରେ। ସେପଟେ ପୁଅର ନିଖୋଜ ଘଟଣାକୁ ଏବେ ବି ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର, ସମ୍ପର୍କୀୟ ଓ ସାଙ୍ଗସାଥୀ। ସମସ୍ତଙ୍କ ମନରେ ମାଳମାଳ ପ୍ରଶ୍ନ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସହାୟତା ମାଗିବା ପରେ ସିଙ୍ଗାପୁର ଯିବାକୁ ସମ୍ପର୍କୀୟ ପ୍ରସ୍ତୁତ ହେଉଛନ୍ତି। 

ପୁଅକୁ ନେଇ ପରିବାର ଲୋକଙ୍କୁ ଠିକ ଭାବେ ସୂଚନା ଦିଆଯାଉନି। କମ୍ପାନୀ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ସାମଞ୍ଜସ୍ୟ ରହୁନାହିଁ । ଘଟଣାରେ ୫ ଟି ଦାବି ରଖିଛନ୍ତି ପରିବାର ଲୋକ । ସିପରେ ଥିବା ଭଏସ ଡାଟା ରେକର୍ଡ ସହ ସେହି ଦିନର ସିସିଟିଭି ଫୋଟେଜ୍ କୁ ପରିବାର ଲୋକଙ୍କୁ ହସ୍ତାନ୍ତର ସହ ସାର୍ଥକଙ୍କ ଫୋନକୁ ଖୋଜି ତଦନ୍ତର ପରିସରଭୁକ୍ତ କରାଯାଉ ବୋଲି ପରିବାର ଲୋକ ଦାବି କରିଛନ୍ତି । ଅନ୍ୟପଟେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ତଦନ୍ତକୁ ଅଧିକ ସଶକ୍ତ କରାଯାଉ । 

ସକାଳ ୪ ଟାରୁ ୮ ପର୍ଯ୍ୟନ୍ତ ରିପୋର୍ଟ ଟାଇମ୍ ଥିଲା ବେଳେ କେଉଁ କାରଣ ପାଇଁ ମଝି ଡ୍ୟୁଟିରୁ ଅର୍ଥାତ୍ ସକାଳ ୬ଟାରେ ସାର୍ଥକ ନିଜ ରୁମ୍ କୁ ଆସିଥିଲେ ? ଏମିତି ଅନେକ ପ୍ରଶ୍ନ ଘର ଲୋକଙ୍କ ମୁଣ୍ଡରେ ଘୁରି ବୁଲୁଛି। ସେପଟେ ନିରପକ୍ଷ ତଦନ୍ତ ଦାବି କରିଛନ୍ତି ଓଡିଶା ସି ଫେୟାର ଆସୋସିଏସନ । 

ବାରମ୍ବାର ଏଭଳି ଘଟଣା ମର୍ଚଣ୍ଟ ନେଭିର ଜୁନିୟର କାଡେଟଙ୍କ ସହ ହେଉଥିବାରୁ ଏହା ଉପରେ ଗୁରୁତ୍ୱାରୋପ କରିବାକୁ ଦାବି କରିଛି ସଂଘ। ତଦନ୍ତକୁ ନେଇ ପ୍ରଶ୍ନ କରିବା ସହ ୨୩ ବର୍ଷୀୟ ସାର୍ଥକଙ୍କୁ ଉପରିସ୍ଥ କର୍ମଚାରୀ ଅଧିକ ମାନସିକ ଚାପ ପକାଉଥିଲେ କି ? ସାର୍ଥକ ନିଖୋଜ ହେବାର କେତେ ସମୟ ପରେ କ୍ରୁ ମେମ୍ବରମାନେ ସୂଚନା ପାଇ ତାଙ୍କୁ ଖୋଜାଖୋଜି କଲେ ବୋଲି ପ୍ରଶ୍ନ କରିଛନ୍ତି। ରହସ୍ୟ ଘେରରେ ପୁରା ଘଟଣା ଥିଲା ବେଳେ ଏଥିରୁ ପରଦା କେବେ ଉଠିବ ତାହା ବଡ ପ୍ରଶ୍ନ। 

Tragedy Breaking News Odisha News
Advertisment
Advertisment