/odishatv-khabar/media/media_files/2026/02/17/plus-two-and-matric-exams-2026-02-17-19-49-16.jpg)
ଆସନ୍ତାକାଲି +୨, ଗୁରୁବାରଠୁ ମାଟ୍ରିକ Photograph: (OTV)
ଆସନ୍ତାକାଲି ପ୍ଲସଟୁ ଏବଂ ପହରଦିନ ମାଟ୍ରିକ ପରୀକ୍ଷା। ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଚି ସାରିଥିବା ବେଳେ ଉଭୟ ବୋର୍ଡ ଏବଂ ପ୍ଲସ ଟୁ କାଉନସିଲ ପରୀକ୍ଷାକୁ ସ୍ବଚ୍ଛ ଏବଂ ତ୍ରୁଟିଶୂନ୍ୟ କରିବାକୁ ଅଣ୍ଟା ଭିଡ଼ିଛି। ପ୍ରଥମ ଥର ପ୍ରଶ୍ନପତ୍ର ହବଠାରୁ ଆରମ୍ଭକରି ପରୀକ୍ଷା କେନ୍ଦ୍ରକୁ ଏଆଇ କ୍ୟାମେରାେ ନଜର ରଖିଛି। ବୋର୍ଡ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ ସହ ଯୋଡ଼ି ହୋଇଛି ପ୍ରଶ୍ନପତ୍ର ହବ ଏବଂ ପରୀକ୍ଷା କେନ୍ଦ୍ର । ପ୍ରଶ୍ନପତ୍ର ପହଁଚିବାଠାରୁ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ସବୁ କିଛି ଲାଇଭ ଷ୍ଟ୍ରିମିଂ କରାଯିବ।
ସାରା ରାଜ୍ୟର କ୍ବିଶ୍ଚେନ ହବ୍ ଉପରେ ନଜର । କେଉଁଠି କିଭଳି ରହିଛି ପ୍ରଶ୍ନପତ୍ର ? ପରୀକ୍ଷା କେନ୍ଦ୍ର ପାଇଁ କଣ ହୋଇଛି ବ୍ୟବସ୍ଥା ? ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟାଳୟରୁ ସିଧାସଳଖ ନିରୀକ୍ଷଣ କରାଯାଉଛି। ପ୍ଲସ୍ ଟୁ ପରୀକ୍ଷା ଲାଗି ଏଠାରେ ଖୋଲା ଯାଇଛି ଚବିଶ ଘଣ୍ଟିଆ କମାଣ୍ଡ କଣ୍ଟ୍ରୋଲ ରୁମ୍ । ଆଉ ଏଠାରୁ ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ୨୧୧ଟି ପ୍ରଶ୍ନପତ୍ର ହବ ଓ ୧୩୬୪ଟି ପରୀକ୍ଷା କେନ୍ଦ୍ର ଉପରେ ନଜର ରଖାଯାଇଛି
ଆସନ୍ତାକାଲିଠାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ବେଳେ ପରିଷଦ ପକ୍ଷରୁ ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। କଡ଼ା ସୁରକ୍ଷାରେ ହବରୁ ପ୍ରଶ୍ନପତ୍ର ନେବା ଠାରୁ ଆସନ୍ତାକାଲି ପ୍ରଶ୍ନପତ୍ର ଖୋଲାଯିବା ପର୍ଯ୍ୟନ୍ତ ସିଧାସଳଖ ଲାଇଭ ଷ୍ଟ୍ରିମିଂ କରାଯିବ। ଚଳିତବର୍ଷ ପ୍ରଥମକରି ପ୍ରଶ୍ନପତ୍ର ହବକୁ ଜଗିବ ସିସିଟିଭି ସହ AI କ୍ୟାମେରା । ଯାହାର ନିୟନ୍ତ୍ରଣ ସିଧାସଳଖ ପ୍ଲସ ଟୁ କାଉନସିଲରେ ହିଁ ରହିବ । ପରୀକ୍ଷାକୁ ସ୍ବଚ୍ଛ ଏବଂ ନିରପକ୍ଷ ଭାବେ କରିବା ପାଇଁ ଲକ୍ଷ୍ୟ ରଖିଛି ସିଏଚଏସଇ। ଏଥିପାଇଁ ପାଞ୍ଚଟି ସ୍ତରରେ ୧୦୨ଟି ସ୍କ୍ବାଡ୍ ଗଠନ କରାଯାଇଛି । ଆସନ୍ତାକାଲି ସକାଳ ୯ଟା ୩୦ ସୁଦ୍ଧା ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାଇଁ ପରାମର୍ଶ ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ। ଚଳିତ ବର୍ଷ ରାଜ୍ୟରେ ୪ ଲକ୍ଷ ୧ ହଜାର ୬୨୩ ପରୀକ୍ଷାର୍ଥୀ ପ୍ଲସ୍ ଟୁ ପରୀକ୍ଷା ଦେବାକୁ ଯାଉଛନ୍ତି ।
ସେହିପରି ଦିନକ ପରେ ଅର୍ଥାତ୍ ୧୯ ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ଚଳିତବର୍ଷ ରାଜ୍ୟରେ ୫ ଲକ୍ଷ ୬୧ ହଜାର ୯୭୯ ଜଣ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ବେଳେ ଏଥିପାଇଁ ୩ ହଜାର ୮୨ଟି ପରିକ୍ଷା କେନ୍ଦ୍ର କରାଯାଇଛି। ବୋର୍ଡ ପକ୍ଷରୁ ୩୨୨ଟି ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଯାଇଛି । ସକାଳ ୯ଟାରେ ଆରମ୍ଭ ହେବ ପରୀକ୍ଷା । ସକାଳ ୮ଟା ୧୫ରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ । ୮ଟା ୪୫ ସୁଦ୍ଧା ହଲରେ ଓଏମଆର ସିଟ୍ ପିଲାଙ୍କୁ ଦିଆଯିବ । ୯ଟାରୁ ସାଢେ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ବୋର୍ଡ ମୁଖ୍ୟାଳୟରେ କମାଣ୍ଡ କଣ୍ଟ୍ରୋଲ ରୁମ ଖୋଲାଯାଇ ପ୍ରତି ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ନୋଡାଲ ସେଣ୍ଟରକୁ କଣ୍ଟ୍ରୋଲ ରୁମ ସହିତ ସିଧାସଳକ ଯୋଡାଯାଇଛି। କିଛି ପରୀକ୍ଷାକେନ୍ଦ୍ରରେ ଲାଇଭ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ଯେପରି ପ୍ରଘଟ ନହେବ ସେଥିପାଇଁ ସେନେଇ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ବୋର୍ଡ ଉପ-ସଭାପତି ।
ପ୍ଲସୁ ଟୁ ପରୀକ୍ଷା ଫେବୃଆରୀ ୧୮ ତାରିଖରୁ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ତ୍ରୁଟିଶୂନ୍ୟ ପରୀକ୍ଷା ସହ ରେଜଲ୍ଟ ଶୀଘ୍ର ପ୍ରକାଶ ପାଇଁ ଲକ୍ଷ୍ୟ ରଖିଛି ଉଭୟ ବୋର୍ଡ ଏବଂ ପ୍ଲସ ଟୁ କାଉନସିଲ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)