Advertisment

ପୁଣି ଆସିଲାଣି ବାତ୍ୟା: ବାଲେଶ୍ୱର ପାଖପାଖି ସ୍ଥଳ ଭାଗ ଛୁଇଁବା ନେଇ ECMWF ର ଆକଳନ

ଗୋଟିଏ ବାତ୍ୟା ନ ଯାଉଣୁ ଆଉ ଏକ ବାତ୍ୟାର ପଦଧ୍ୱନୀ ଶୁଣିବାକୁ ମିଳିଲାଣି। ପଶ୍ଚିମ ଉପକୂଳରେ ବାତ୍ୟା ତାଉତେ ରଚିଥିବା ଧ୍ୱଂସଲୀଳାର ଆକଳନ ସରିବା ଆଗରୁ ପୂର୍ବ ଉପକୂଳରେ ଆଉ ଏକ ବାତ୍ୟା ଦାନା ବାନ୍ଧିଲାଣି।

ପୁଣି ଆସିଲାଣି ବାତ୍ୟା: ବାଲେଶ୍ୱର ପାଖପାଖି ସ୍ଥଳ ଭାଗ ଛୁଇଁବା ନେଇ ECMWF ର ଆକଳନ

cyclone

Advertisment

ଭୁବନେଷ୍ୱର: ଗୋଟିଏ ବାତ୍ୟା ନ ଯାଉଣୁ ଆଉ ଏକ ବାତ୍ୟାର ପଦଧ୍ୱନୀ ଶୁଣିବାକୁ ମିଳିଲାଣି। ପଶ୍ଚିମ ଉପକୂଳରେ ବାତ୍ୟା ତାଉତେ ରଚିଥିବା ଧ୍ୱଂସଲୀଳାର ଆକଳନ ସରିବା ଆଗରୁ ପୂର୍ବ ଉପକୂଳରେ ଆଉ ଏକ ବାତ୍ୟା ଦାନା ବାନ୍ଧିଲାଣି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଆସନ୍ତା ୨୬ ତାରିଖରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ ଏହି ବାତ୍ୟା। ଏହାର ପ୍ରଭାବରେ ୨୫ ତାରିଖରୁ ରାଜ୍ୟର ଉପକୂଳ ଅଞ୍ଚଳରେ ଆରମ୍ଭ ହୋଇଯିବ ବର୍ଷା। ସମ୍ଭାବ୍ୟ ବାତ୍ୟା କେଉଁଠି, କେବେ ଲ୍ୟାଣ୍ଡଫଲ୍ କରିବ  ତାହା ସ୍ପଷ୍ଟ ହୋଇନଥିବା ବେଳେ INCOIS ମଡେଲ୍ କହୁଛି ଏହା ବାଲେଶ୍ୱର ଓ ଦୀଘା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ। ସେପଟେ ଆଜି ତାଉତେ କ୍ଷୟକ୍ଷତିର ସମୀକ୍ଷା କରି ଗୁଜରାଟ ପାଇଁ ଏକ ହଜାର କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ଓଡ଼ିଶାକୁ ପୁଣି ବାତ୍ୟା ଭୟ। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା। ୨୬ ତାରିଖ ସକାଳେ ଏହା ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ଆସନ୍ତା ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି  କରି ୨୬ ତାରିଖ ସକାଳେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି।

ତେବେ ଏହି ବାତ୍ୟା କେଉଁଠି ଓ କେବେ ଲ୍ୟାଣ୍ଡଫଲ୍ କରିବ, ତାର ତୀବ୍ରତା କେତେ ହେବ, ତାହା ଲଘୁଚାପ ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ହେବ ବୋଲି ଆଇଏମଡ଼ି ଡିଜି କହିଛନ୍ତି। ଏହାର ପ୍ରଭାବରେ ୨୫ ତାରିଖ ରାତିଠାରୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଆଇଏମଡ଼ି ପକ୍ଷରୁ କୁହାଯାଇଛି। ସେହିପରି ମତ୍ସ୍ୟଜୀବୀମାନଙ୍କୁ ଏହି ସମୟରେ ସମୁଦ୍ର ଭିତରକୁ ନଯିବାକୁ  ସତର୍କ କରି ଦିଆଯାଇଛି।

Advertisment

ଇଣ୍ଡିଆନ୍‌ ନ୍ୟାସ୍ନାଲ୍ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସ୍ ବା INCOISର ମଡେଲ୍ କହୁଛି ସମ୍ଭାବ୍ୟ ବାତ୍ୟା ୟସ୍, ଓଡ଼ିଶାର ବାଲେଶ୍ୱର ଓ ପଶ୍ଚିମବଙ୍ଗର ଦୀଘା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ। ସେହିପରି ଆଉ ଏକ ଜଣାଶୁଣା ପ୍ରତିଷ୍ଠାନ ECMWFର ପୂର୍ବାନୁମାନ ଅନୁଯାୟୀ ବାତ୍ୟା ବାଲେଶ୍ୱର ଆଖପାଖରେ ସ୍ଥଳଭାଗ ଛୁଇଁପାରେ।

ତେଣେ ପଶ୍ଚିମ ଉପକୂଳରେ ବ୍ୟାପକ ଧ୍ୱଂସଲୀଳା ରଚାଇଛି ସାମୁଦ୍ରିକ ଝଡ଼ ତାଉତେ। ମୁମ୍ବାଇ ଉପକୂଳରୁ କିଛି ଦୂରରେ ଥିବା ତୈଳକୂପ ନିକଟରେ କାମ କରୁଥିବା ଓଏନସିଜିର ୫୧ଜଣ କର୍ମଚାରୀ ନିଖୋଜ ଅଛନ୍ତି।  ଏ ପର୍ଯ୍ୟନ୍ତ ୨୨ଟି ମୃତଦେହ ଉଦ୍ଧାର ହୋଇଛି। ନୌସେନା ଜାହାଜ ଆଇଏନ୍ଏସ୍ କୋଚି ଦ୍ୱାରା ପ୍ରାୟ ୧୮୮ ଜଣଙ୍କୁ ଉଦ୍ଧାର କରାଯାଇଛି। ରେସ୍କ୍ୟୁ ପରେସନରେ ଆଇଏନ୍ଏସ୍ କୋଲକାତା ବି ନିୟୋଜିତ ହୋଇଥିଲା

Advertisment

ସେପଟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଓ  ଡିୟୁର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ ଏହାପରେ ଅହମ୍ମଦାବାଦରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରି ଗୁଜରାଟରେ ତତ୍କାଳ ରିଲିଫ୍ କାର୍ଯ୍ୟ ପାଇଁ ୧ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ତାଉତେରେ ମୃତକଙ୍କ ପରିବାର ବର୍ଗକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି। ୧୯୯୮ ପରେ କୌଣସି ସାମୁଦ୍ରିକ ଝ଼ଡରେ ଗୁଜରାଟରେ ସବୁଠୁ ଅଧିକ କ୍ଷୟକ୍ଷତି ଘଟିଛି। ତାଉତେ ଦୁର୍ବଳ ହୋଇ ଉତ୍ତର-ଉତ୍ତରପୂର୍ବ ଦିଗକୁ ଆଡକୁ ଗତିକରୁଛି। ଏହାର ପ୍ରଭାବରେ ଗୁଜରାଟ, ଦକ୍ଷିଣ ରାଜସ୍ଥାନ, ଦିଲ୍ଲୀ ସମେତ ଉତ୍ତର ଭାରତର କେତେକ ସ୍ଥାନରେ ବର୍ଷା ହେଉଛି।

Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ