/odishatv-khabar/media/media_files/2026/01/04/meter-reader-turns-thief-2026-01-04-15-34-56.jpg)
ମିଟର ରିଡ଼ିଂ କରିବାକୁ ଆସି; ଘରେ ବୁଲାଉଥିଲେ କଳା କନା Photograph: (OTV)
ଚାକିରି ମିଟର ରିଡ଼ିଂ ନେବା କିନ୍ତୁ ମୁଖ୍ୟ ପେଶା ହେଲା ମିଟର ରିଡିଂ ବେଳେ ଖାଲି ଘର ଦେଖି ଚୋରୀ କରିବା। ଏହି ମାମଲାରେ ଗଜପତି ପୋଲିସକୁ ମିଳିଛି ବଡ଼ ସଫଳତା। ଗତ କିଛି ମାସ ଧରି ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦୁଇ ଜଣିଆ ଚୋରୀ ଗ୍ୟାଙ୍ଗକୁ ଧରିଛି ପୋଲିସ୍। ଗିରଫ ଦୁଇ ଚୋର ହେଲେ ପାରଳାଖେମୁଣ୍ଡି କଣ୍ଡରା ସାହିର ଦୁର୍ଗା ପ୍ରସାଦ ବେଣିଆ ଓ ଦେବ ମଣ୍ଡଳ।
ସେମାନଙ୍କ ନିକଟରୁ ୧୦ ତୋଳା ସୁନା ଓ ୯ କେଜି ରୂପା, ଏକ ହାର୍ଲେ ଡେଭିଡସନ ବାଇକ, ଏକ ସ୍କୁଟି ସହିତ ଚୋରିରେ ବ୍ୟବହୃତ ସରଞ୍ଜାମ ମଧ୍ୟ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଦୁର୍ଗା ଟିପିଏସଓଡିଏଲର ମିଟର ରିଡର୍ ଭାବେ କାମ କରୁଥିବା ବେଳେ ଦେବ ତା’ର ସହଯୋଗୀ ଭାବେ କାମ କରେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ସୂଚନା ମୁତାବକ ଟିପିଏସଓଡିଏଲର ମିଟର ରିଡର୍ ଭାବେ କାମ କରୁଥିବା ଦୁର୍ଗା ପ୍ରସାଦ ବେଣିଆ ଗତ କିଛି ଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ଚୋରି ଘଟଣାର ମାଷ୍ଟର ମାଇଣ୍ଡ ଥିଲା। ସେ ଅଳ୍ପ କିଛି ଦରମା ପାଉଥିଲେ ମଧ୍ୟ ତା ଚାଲିଚଳଣି କିନ୍ତୁ ଖୁବ୍ ରାଜକୀୟ ଥିଲା। ସେ ହାର୍ଲେ ଡେଭିଡସନ ଭଳି ଲକ୍ଷାଧିକ ଟଙ୍କା ଦାମୀ ବାଇକ୍ ବ୍ୟବହାର କରୁଥିବା ବେଳେ ବିଭିନ୍ନ ସ୍ଥାନ ବୁଲି ଷ୍ଟାର୍ ହୋଟେଲରେ ରହି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିଲା।
ରିପୋର୍ଟରୁ ଜଣାପଡିଛି ଯେ ମିଟର ରିଡିଂ ପାଇଁ ଗଲାବେଳେ ଯେଉଁ ଘରେ ତାଲା ପଡୁଥିବା ଦେଖୁଥିଲା ତାର ସହଯୋଗୀ ଦେବ ସହ ମିଶି ସେହି ଘରେ ପଶି ଚୋରୀ କରୁଥିଲା। ତେବେ ଗତ ଡିସେମ୍ବର ମାସ ୧୨ ତାରିଖରେ ବରିଷ୍ଠ ସାମ୍ବାଦିକ ଦ୍ୱିଜେନ୍ଦ୍ରନାଥ ପାଢ଼ୀଙ୍କ ଘରେ କେହି ନଥିବା ବେଳେ ତାଙ୍କ ଘରେ ପଶି ଚୋରୀ କରିଥିଲା।
ଏହା ପରେ ଗତ ୨୭ ତାରିଖରେ ଉଭୟ କୁମୁଟି ସାହିର ଏକ ଘରୁ ସେମାନେ ଚୋରୀ କରିଥିଲେ। ଏହି ସମୟରେ ସେମାନେ ଦ୍ୱିଜେନ୍ଦ୍ରନାଥଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲେ। ଏହାକୁ ଆଧାର କରି ପୋଲିସ ଏମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦ ତୋଳା ସୁନା ଓ ୯ କେଜି ରୂପା ସହ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
ତେବେ ଟିପିଏସଓଡିଏଲର କର୍ମଚାରୀ ଏଭଳି କାର୍ଯ୍ୟରେ ଲିପ୍ତ ଥିବା ଯୋଗୁଁ ତାଙ୍କୁ ଏ ସଂପର୍କରେ ଚିଠି କରାଯିବ ଏବଂ ଚୋରି ଜିନିଷ ବନ୍ଧକ ରଖୁଥିବା ପ୍ରାଇଭେଟ୍ ଫାଇନାନ୍ସ କମ୍ପାନୀକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଗଜପତି ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଗତ କିଛି ଦିନ ହେଲା ଚୋରୀକୁ ନେଇ ଆତଙ୍କିତ ହୋଇ ପଡିଥିବା ସାଧାରଣ ଲୋକେ ପୋଲିସର ଏଭଳି ସଫଳତା ପରେ ସନ୍ତୋଷ ପ୍ରକାଶ କରିବା ସହ ଧନ୍ୟବାଦ ଜଣାଇଛନ୍ତି। ଏନେଇ ଚୋରୀର ଶିକାର ହୋଇଥିବା ବରିଷ୍ଠ ସାମ୍ବାଦିକ କହିଛନ୍ତି ଯେ, ଅତି କମ୍ ସମୟ ମଧ୍ୟରେ ପୋଲିସ ଚୋରକୁ ଠାବ କରିବା ସହ ଚୋରୀ ସାମଗ୍ରୀ ଉଦ୍ଧାର କରିପାରିଛନ୍ତି। ଏଥିପାଇଁ ସେ ପୋଲିସକୁ ସାଧୁବାଦ ଜଣାଇଛନ୍ତି।
ସେହିପରି ପାରଳାଖେମୁଣ୍ଡି ସହରରେ ଦିନକୁ ଦିନ ଚୋରୀ ବୃଦ୍ଧି ପାଉଥିବା ବେଳେ ଏଥିପାଇଁ କଡା ପୋଲିସ ପ୍ରାଟ୍ରୋଲିଂ ସହିତ ଟିପିଏସଓଡିଏଲର ମିଟର ରିଡର୍ମାନଙ୍କୁ ନିଯୁକ୍ତି ଦେବା ପୂର୍ବରୁ ଚରିତ୍ର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ଏମ. ପୃଥ୍ୱୀରାଜ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)