/odishatv-khabar/media/post_attachments/uploadimage/library/16_9/16_9_0/Unlk_1625120279.jpg)
Unlk
ଭୁବନେଶ୍ୱର: ପ୍ରାୟ ଦୁଇ ମାସର ଲକଡାଉନ୍, ସପ୍ତାହାନ୍ତ ସଟଡାଉନ୍ ଓ ପୁଣି ଆଂଶିକ ଲକଡାଉନ୍ ପରେ ଏବେ ସମସ୍ତଙ୍କ ନଜର ଜୁଲାଇ ଗାଇଡ୍ଲାଇନ୍ ଉପରେ ରହିଛି। ଦିନକ ପରେ ଆଂଶିକ ଲକଡାଉନ୍ ଅବଧି ଶେଷ ହେଉଥିବାରୁ କେଉଁ ଜିଲ୍ଲାରେ କଟକଣା ଅଧିକ କୋହଳ ହେବ, ନୂଆ ନିୟମାବଳୀ କଣ ହେବ, ତା ଉପରେ ବିଚାର ବିମର୍ଷ ଚଳାଇଛି ସ୍ୱାସ୍ଥ୍ୟ ବିଭାଗ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। କିନ୍ତୁ ଚେତାଇ ଦେଇଛନ୍ତି ସଂକ୍ରମଣ କମୁଥିଲେ ବି ଆଶଙ୍କା ଦୂର ହୋଇନି। ନିୟମ ନମାନିଲେ ପଜିଟିଭ୍ ସଂଖ୍ୟା ବଢିବ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁୟାୟୀ, ଏବେ ବି ୧୦ଟି ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ ୫ ପ୍ରତିଶତ ଉପରେ ରହିଛି।
ଖୋର୍ଦ୍ଧା, କଟକ, ପୁରୀ, ବାଲେଶ୍ୱର ଏସବୁ ଜିଲ୍ଲାରେ ଦୋଳି ଖେଳୁଛି କୋଭିଡ୍ ସଂକ୍ରମଣ। କେଉଁଦିନ ସଂଖ୍ୟା କମୁଛି ତ, କେଉଁଦିନ ବଢୁଛି। ଏବେ ବି ୧୦ଟି ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ ୫ ପ୍ରତିଶତ ଉପରେ ରହିଛି। ସଦ୍ୟ ତଥ୍ୟ ଅନୁଯାୟୀ, ବାଲେଶ୍ୱରରେ ୧୩.୪୫ ପ୍ରତିଶତ, ପୁରୀ ୭.୪୯, ଖୋର୍ଦ୍ଧା ୫.୪୭, କଟକ ୬.୧୨, ମୟୁରଭଂଜରେ ୫.୯ ପ୍ରତିଶତ ଟିପିଆର୍ ରହିଛି। କିଛିଦିନ ପରେ ମାଲକାନଗିରିରେ ଟିପିଆର୍ ବଢି ୭.୫୪ ପ୍ରତିଶତରେ ପହଞ୍ଚିଛି। ଏଭଳି ଜିଲ୍ଲାଗୁଡ଼ିକ ପାଇଁ କଣ ହେବ ଜୁଲାଇ ଗାଇଡ୍ଲାଇନ୍? ଆଂଶିକ ଲକଡାଉନ୍ ଲାଗୁ ହେବ ନା ଅନ୍ୟ କିଛି ନିଷ୍ପତ୍ତି ନିଆଯିବ? ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ ଜିଲ୍ଲାକୁ କାଟାଗୋରୀ ଏରେ ରଖି ସକାଳୁ ୬ରୁ ସଂଧ୍ୟା ୫ ଯାଏଁ ସବୁ ଦୋକାନ ଖୋଲିବାକୁ ଯେପରି ଅନୁମତି ଦିଆଯାଇଥିଲା, ସେହି ଫର୍ମୁଲା ଉପକୂଳ ଓଡ଼ିଶାରେ ଲାଗୁ ହେବାର ସମ୍ଭାବନା ରହିଛି।
ବିଭିନ୍ନ ରାଜ୍ୟରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ଜିମ୍, ମଲ୍ ଓ ବସ୍ ସେବାକୁ ଅନୁମତି ମିଳିିଥିବାରୁ ଜୀବୀକାକୁ ଆଖି ଆଗରେ ରଖି ଆମ ରାଜ୍ୟରେ ବି ସେହି ଲାଇନରେ ନିଷ୍ପତ୍ତି ନିଆଯାଇପାରେ। ତେବେ ପଜିଟିଭିଟି ରେଟ୍ ଅଧିକ ରହୁଥିବା ଜିଲ୍ଲାଗୁଡ଼ିକରେ ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ୍ ଜାରି ରହିପାରେ କିମ୍ବା ସମସ୍ତ ଜିଲ୍ଲାକୁ ହାଇରିସ୍କ, ମୋଡେରେଟ୍ ରିସ୍କ ଓ ଲୋ ରିସ୍କରେ ବିଭକ୍ତ କରି ଅଲଗା ଅଲଗା ନିୟମାବଳୀ ଲାଗୁ କରାଯାଇପାରେ। ବିଶେଷକରି ଯେଉଁ ଜିଲ୍ଲାଗୁଡ଼ିକରେ ପଜିଟିଭିଟି ରେଟ୍ ବହୁତ କମ୍ ରହିଛି ସେଠାରେ ନିୟମ ଅଧିକ କୋହଳ କରାଯିବାର ସମ୍ଭାବନା ରହିଛି।
ତେବେ ପାର୍କ, ମନ୍ଦିର, ମଲ୍, ରେସ୍ତୋରାଁଗୁଡ଼ିକ ଉପରେ କଟକଣା ବଳବତ୍ତର ରହିବା ଦରକାର ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସଂକ୍ରମଣ କମିଥିଲେ ମଧ୍ୟ ଆଶଙ୍କା ଦୂର ହୋଇନି। ନିୟମ ନମାନିଲେ ପଜିଟିଭ୍ ସଂଖ୍ୟା ବଢିବ। ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୬୪୦ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି, ଯାହାକି ଜୁନ୍ ମାସରେ ସର୍ବନିମ୍ନ। ଏହାସହିତ ଟେଷ୍ଟ ପଜିଟିଭିଟି ରେଟ୍ ୪.୧୪ ପ୍ରତିଶିତକୁ ଖସି ଆସିଛି। ତେବେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଜିଲ୍ଲାଗୁଡିକରେ ସ୍ୱତନ୍ତ୍ର ଯୋଜନା କରାଯାଇ କଟକଣାକୁ କଡ଼ା କରାଗଲେ ଯାଇ ସଂକ୍ରମଣ ହାର କମିବ ବୋଲି ଆଶା କରିଛି ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରୁ ସଂପୂର୍ଣ୍ଣ ଭାବେ ଦ୍ୱିତୀୟ ଲହରର ବିପଦ ଟଳିନଥିବାବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚିନ୍ତା ରହିଛି। ତେଣୁ ବେଶ୍ ତର୍ଜମା କରି ସବୁ ଦିଗରୁ ବିଚାର କରି ଜୁଲାଇ ଗାଇଡଲାଇନ୍ ଆସିବ ବୋଲି କୁହଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)