/odishatv-khabar/media/post_attachments/uploadimage/library/16_9/16_9_0/puri-road_1626507920.jpg)
puri road
ପୁରୀ : ରାତି ପାହିଲେ ମହାପ୍ରଭୁଙ୍କର ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ଟ୍ରାଫିକ ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ସମଗ୍ର ପୁରୀ ସହରକୁ ୧୦ଟି ଜୋନ୍ରେ ବିଭକ୍ତ କରାଯାଇଛି। ପ୍ରତି ଜୋନ ଦାୟିତ୍ୱରେ ଜଣେ ଜଣେ ଡେପୁଟି କମାଣ୍ଡାଣ୍ଟ କିମ୍ବା ଆଡିସିନାଲ ଏସ୍ପି ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସହରକୁ ଆସୁଥିବା ସମସ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି।
ଚାରି ଚକିଆ ଯାନ ପାଇଁ ରୁଟ୍ ଚାର୍ଟ
ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁରୀ ପୁଲିସ୍ ପକ୍ଷରୁ ଜାରି କରାଯାଇଛି ଆନିମେଟେଡ୍ ରୁଟ୍ ଚାର୍ଟ। ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଗାଡ଼ି ଉତ୍ତରା, ମାଳତୀପାଟପୁର ଦେଇ ତାଳବଣିଆ, ଭୁଦାନ ଛକ, ଇଣ୍ଡୋର ଷ୍ଟାଡିୟମ୍ କିମ୍ବା ଆଇଟିଆଇ ପାର୍କିଂ ସ୍ଥଳରେ ରହିବେ। ସେମାନେ ବାଲିଘାଟ ଓ ବୀର ହରେକୃଷ୍ଣପୁର ଦେଇ ଫେରିବେ।
ଭୁବନେଶ୍ୱରରୁ ବାଇକ୍ରେ ଯାଉଥିବା ଲୋକେ ଉତ୍ତରା, ମାଳତୀପାଟପୁର ପରେ ବାଟଗାଁ, ମଙ୍ଗଳାଘାଟ ଦେଇ ଓଲ୍ଡ ଜେଲ ଏରିଆ, ଜଗନ୍ନାଥବଲ୍ଲଭ କିମ୍ବା ମଶାଣି ଚଣ୍ଡି ଛକ ପାର୍କିଂ ସ୍ଥଳରେ ରହିବେ। ଆଉ ଜଟିଆବାବାଜୀ ଛକ ଓ ଅଠରନଳା ରୁଟ୍ ମାଳତୀପାଟପୁର ଦେଇ ସେମାନେ ଫେରିବେ।
ଅପରପକ୍ଷରେ ବ୍ରହ୍ମଗିରି ପଟୁ ଆସୁଥିବା ଚାରିଚକିଆ ଯାନ ମଙ୍ଗଳାଘାଟ ନିକଟରେ ପାର୍କିଂ କରିବେ। କୋଣାର୍କରୁ ଆସୁଥିବା ଗାଡ଼ି ତାଳବଣିଆରେ ପାର୍କିଂ କରିବେ। ବସ୍ ଓ ଟ୍ରେନ୍ରେ ଆସୁଥିବା ଯାତ୍ରୀମାନେ ମାଳତିପାଟପୁର ଓ ତାଳବଣିଆକୁ ଆସିବେ। ଏଠାରୁ ଯାତ୍ରୀଙ୍କୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ନେବା ଆଣିବା କରିବା ପାଇଁ ମୋଟ ୬୦ଟି ବସ୍ ବ୍ୟବସ୍ଥା କରାଯାଇଛି।
ପାଗ ଭଲ ଥିବାରୁ ଏଥର ରଥଯାତ୍ରାରେ ଅଧିକ ଭକ୍ତ ସମାଗମ ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ରେଲୱେ ପକ୍ଷରୁ ରଥଯାତ୍ରା ସମୟରେ ୧୯୪ଟି ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାର ମଧ୍ୟ ପୁରୀକୁ ଅତିରିକ୍ତ ୨ ଶହ ବସ୍ ଚଳାଚଳ ବ୍ୟବସ୍ଥା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)