Advertisment

Illegal Mine Blast: ଖଣି ଲୋଭ ନେଲା ଦୁଇ ଜୀବନ; ଅଘଟଣ ପରେ ଚେଇଁ ଉଠିଲା ପ୍ରଶାସନ

ଖଣିରେ ଗଲା ଜୀବନ। ବେଆଇନ ଖଣି ବିସ୍ଫୋରଣ ସମୟରେ ମାଟି ଓ ପଥର ଅତଡା ଖସି ଦୁଇ ନୀରିହ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ମୋଟଙ୍ଗା ଥାନା ଗୋପାଳପୁରସ୍ଥିତ ବେଆଇନ ପଥର ଖଣିରେ ଘଟିଛି ଏଭଳି ଅଭାବନୀୟ ଘଟଣା।

author-image
Pramod Behera
Illegal Mine Blast

ଖଣି ଲୋଭ ନେଲା ଦୁଇ ଜୀବନ Photograph: (OTV)

ଖଣିରେ ଗଲା ଜୀବନ। ବେଆଇନ ଖଣି ବିସ୍ଫୋରଣ ସମୟରେ ମାଟି ଓ ପଥର ଅତଡା ଖସି ଦୁଇ ନୀରିହ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ମୋଟଙ୍ଗା ଥାନା ଗୋପାଳପୁରସ୍ଥିତ ବେଆଇନ ପଥର ଖଣିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଚାରି ଘଣ୍ଟା ଧରି ଚାରୋଟି ବଡ ଜେସିବି ମେସିନ୍‌ରେ ପଥର ସବୁ କାଢ଼ିବା ପରେ ଉଦ୍ଧାର ହେଲା ଦୁଇ ମୃତ ଦେହ। ବ୍ଲାଷ୍ଟିଂ ପରମିଶନ ନ ଥିବା ଓ ଲିଜ୍ ଅବଧି ସରିବା ପରେ ବି କିଭଳି ହେଉଥିଲା ଖଣି ଖନନ ତାକୁ ନେଇ ଉଠିଲା ପ୍ରଶ୍ନ।

Advertisment

ସୂଚନା ମୁତାବକ, ଦିନେ ନୁହଁ କି ମାସେ ନୁହଁ, ବର୍ଷ ବର୍ଷ ଧରି ବେଆଇନ ଭାବେ ବ୍ଲାଷ୍ଟିଂ କରି କୋଟି କୋଟି ଟଙ୍କାର ଖଣିଜ ପଦାର୍ଥ ଲୁଟ୍ ହେଉଥିଲା। ସବୁ ଜାଣି ଶୁଣି ଚୁପ୍ ବସିଥିଲା ଖଣି ବିଭାଗଠୁ ନେଇ ଜିଲ୍ଲା ପ୍ରଶାସନ। ଆଉ ଦୁଇ ଶ୍ରମିକଙ୍କ ମୃତ୍ୟୁ ପରେ ଚେତା ପଶିଲା ପ୍ରଶାସନର। 

ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ ଗୋପାଳପୁର ମେଟାଲ୍ ଖଣିରେ ଗତକାଲି ବିସ୍ଫୋରଣ ସମୟରେ ମାଟି ଓ ପଥର ଅତଡା ଖସିବାରୁ ଦୁଇଜଣ ଶ୍ରମିକଙ୍କ ଜୀବନ ଯାଇଛି। ଖବରପାଇ ଓଡ଼ାପଡ଼ା ତହସିଲଦାର ଓ ମୋଟଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦି କରି ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ଘନ ଅନ୍ଧାର ଭିତରେ ଅନୁସନ୍ଧାନ କରିବା ଏତେଟା ସହଜ ନଥିଲା। 

Advertisment

ପରଦିନ ସକାଳୁ ନିଜେ ଜିଲ୍ଲାପାଳ, ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦୁଇଟି ଅଗ୍ନିଶମ ଟିମ୍, ଗୋଟିଏ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ବଡ ବଡ ପଥର ଖଣ୍ଡ ତଳେ କାଳେ କିଛି ବିସ୍ଫୋରକ ରହି ଯାଇଥିବ ଯେଉଁଥିରେ ଜୀବନହାନୀ ହେବାର ସମ୍ଭାବନାକୁ ଆଖି ଆଗରେ ରଖି ଅନୁଗୁଳରୁ ଡଗ୍ ସ୍କ୍ୱ।ର୍ଡ ଆସି ପହଞ୍ଚିଥିଲା। ସନ୍ଧାନୀ କୁକୁରର ତଲାସି ପରେ ଆରମ୍ଭ ହୋଇଥିଲା ଉଦ୍ଧାରକାର୍ଯ୍ୟ। ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଚାରୋଟି ଜେସିବି ମେସିନ ଲାଗିଥିଲା।

ତେବେ ରେସ୍‌କ୍ୟୁ ଅପରେସନ ସେତେଟା ସହଜ ନଥିଲା। ଚାରି ଘଣ୍ଟା ଧରି ଅତଡା ଖସିଥିବା ପଥରଖଣ୍ଡକୁ ଜେସିବି ସହାୟତାରେ ବାହାର କରିବା ପରେ ତା’ ଭିତରେ ଫସି ରହିଥିବା ଦୁଇ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ଦୁଇ ମୃତକଙ୍କ ମଧ୍ୟରୁ ଜଣଙ୍କର ଘର ବାଲେଶ୍ଵର ଓ ଅନ୍ୟ ଜଣେ କେନ୍ଦୁଝର କିମ୍ବା ମୟୁରଭଞ୍ଜର ବୋଲି ଜିଲ୍ଲାପାଳ କହିଛନ୍ତି। 

ଏପଟେ ଓଡ଼ାପଡ଼ା ଅଞ୍ଚଳରେ ଶତାଧିକ କ୍ରସର ଓ ଖଣି ବେଆଇନ ଭାବରେ ଚାଲୁଥିବା ଓ ଏଥିପାଇଁ ଅନେକ ଧନଜୀବନ ହାନୀ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଡିନାମାଇଟ୍‌ ଲଗାଇ ଦିନରାତି ବ୍ଲାଷ୍ଟିଂ ହେଉଥିଲେ ମଧ୍ୟ ଖଣି ବିଭାଗ, ତହସିଲ କିମ୍ବା ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି। ଯେଉଁଥିରେ ସରକାର କୋଟି କୋଟି ରାଜସ୍ୱ ହରାଉଥିବା ବେଳେ କୋଟି କୋଟି ଟଙ୍କାର ଖଣିଜ ପଦାର୍ଥ ଲୁଟ୍ କରି ମାଲାମାଲ ହେଉଛନ୍ତି ଖଣି ମାଫିଆ। 

ତେବେ ଜିଲ୍ଲାପାଳ କହିଛନ୍ତି ଏହି ଗୋପାଳପୁର ଖଣିର ବ୍ଲାଷ୍ଟିଂ ଅନୁମତି ସେପ୍ଟେମ୍ବର ମାସରୁ ସରିବା ସତ୍ତ୍ୱେ କିଭଳି ବେଆଇନ ଭାବରେ ବ୍ଲାଷ୍ଟିଂ ହେଉଥିଲା ସେନେଇ ତଦନ୍ତ କରାଯିବ। ଏହା ସହିତ ଡିସେମ୍ବର ମାସରୁ ଲିଜ୍‌ ଅବଧି ମଧ୍ୟ ସରିଥିବା ଜିଲ୍ଲାପାଳ କହିଛନ୍ତି। ଘଟଣାର ତଦନ୍ତ କରାଯାଇ ଖଣି ମାଲିକ ମାନସ ରାଉତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଆଗାମୀ ଦିନରେ ଜିଲ୍ଲାରେ ଚାଲିଥିବା ସମସ୍ତ ବେଆଇନ ଖଣି ଉପରେ ରେଡ୍ କରାଯାଇ ଦୃଷ୍ଟାନ୍ତମୁଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏପଟେ ରେସକ୍ୟୁ ଅପରେସନ ପରେ ଗୋପାଳପୁର ଖଣିକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ।

Dhenkanal Accident In Mines Illegal Mining
Advertisment
Advertisment