/odishatv-khabar/media/media_files/2026/02/18/high-drama-at-bolagarh-block-2026-02-18-20-23-16.jpg)
ତେଜିଲା ବୋଲଗଡ଼ ବିଡିଓ ହଟାଓ ଆନ୍ଦୋଳନ Photograph: (OTV)
ଖୋର୍ଦ୍ଧା ବୋଲଗଡ ବ୍ଲକ ଅଫିସରେ ହାଇଡ୍ରାମା। ବିଡିଓଙ୍କ ବଦଳି ଦାବିରେ ଗତ ୧୦ ଦିନ ଧରି ବ୍ଲକ ବାହାରେ ଧାରଣାରେ ବସିଥିବା ବିଜେଡି ନେତା ଓ କର୍ମୀ ହଠାତ ବ୍ଲକ ଅଫିସକୁ ଧସେଇ ପଶିବା ସହ ବିଡିଓଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗ। ଉତ୍ତ୍ୟକ୍ତ ଲୋକେ ବ୍ଲକ ଭିତରେ ଥିବା ବିଡିଓଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ଖରାପ ଭାଷା ପ୍ରୟୋଗ କରିଥିବା ଅଭିଯୋଗ। ସେପଟେ କାହିଁକି ଅଧ୍ୟକ୍ଷାଙ୍କୁ ଭିତରକୁ ଯିବା ପାଇଁ ଦିଆଗଲାନି କହି ବ୍ଲକର ପଞ୍ଚାୟତ ସ୍ତରର ନିର୍ବାଚିତ ପ୍ରତିନିଧିଙ୍କ ହଙ୍ଗାମା। ଥାନାରେ ପହଞ୍ଚିଛି ମାମଲା।
ମହିଳା ବିଡିଓଙ୍କ ଆଡକୁ ଚିହିଁକି ଆସିଲେ ଯୁବକ। ବ୍ଲକ ଅଫିସରେ ନାଲି ଆଖି ଦେଖାଇ ଘେରିଗଲେ। କଦର୍ଯ୍ୟ ଭାଷା ବ୍ୟବହାର କରିବା ସହ ଦେଲେ ଧମକ । ବିଡିଓଙ୍କ ଚାମ୍ବର ଭିତରକୁ ପଶୁଥିବା ବେଳେ ପୋଲିସ ସହ ଠେଲାପେଲା। ଆଇନକୁ ହାତକୁ ନେଲେ, ରାଗରେ ସରକାରୀ ଗାଡି ଭାଙ୍ଗିଲେ।
ବ୍ଲକ ପରିସରରେ ବିଜେଡି ନେତାଙ୍କ ଏମିତି ଦାଦାଗିରି। ମହିଳା ବିଡିଓଙ୍କ ଉପରେ ସୁଝାଇଲେ ରାଜନୈତିକ ରାଗ। ବେଗୁନିଆ ବିଜେଡି ବିଧାୟକଙ୍କ ନେତୃତ୍ବରେ ୧୦ ଦିନ ହେବ ଧାରଣାରେ ବସିଥିଲେ ବିଜେଡି ସମର୍ଥିତ ପଞ୍ଚାୟତ ପ୍ରତିନିଧି ଓ ବିଧାୟକଙ୍କ ସମର୍ଥକ। ହେଲେ ଆଜି କିନ୍ତୁ ହଠାତ ବୋଲଗଡ ବ୍ଲକ ବିଡିଓ ସୁମନ ସୁଧା କୁଣ୍ଡୁ ଙ୍କୁ ଦେଖି ତାତିଗଲେ। ପରୀକ୍ଷା ଡ୍ୟୁଟିରୁ ନିଜ ଅଫିସକୁ ପ୍ରବେଶ କରୁଥିବା ବେଳେ ବିକ୍ଷୋଭକାରୀ ବିଡିଓଙ୍କୁ ଘେରିଥିଲେ।
ତେବେ ବିଡିଓ ନିଜ ଚାମ୍ବର ଭିତରକୁ ପଶିଯିବାରୁ ଆନ୍ଦୋଳନକାରୀ ମଧ୍ୟ ଅଫିସ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ହେଲେ ଉପସ୍ଥିତ କର୍ମଚାରୀ ଗେଟ ବନ୍ଦ କରିଦେଇଥିଲେ। ପରେ ପୋଲିସ ପହଞ୍ଚି ସମସ୍ତ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା। ହେଲେ ବିଧାୟକଙ୍କ ସମର୍ଥକ କିଛି ଶୁଣିବା ସ୍ଥିତିରେ ନଥିଲେ।
ପୋଲିସ ସହ ଧସ୍ତାଧସ୍ତି କରି ଜୋର ଜବରଦସ୍ତ ବିଡିଓଙ୍କ ଚାମ୍ବର ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ତେବେ ଏଥିରେ ବିଫଳ ହେବା ପରେ ବିଡିଓଙ୍କ ଗାଡି ଉପରେ ରାଗ ସୁଝାଇଥିବା ଅଭିଯୋଗ ହୋଇଛି । ଏପରିକି ଖରାପ ଭାଷାରେ ଗାଳି ଦେସବା ସହ ଚରିତ୍ର ସଂହାର କରିଥିବା କଥା ବିଡିଓ ଅଭିଯୋଗ କରିଛନ୍ତି। ତେବେ ଆନ୍ଦୋଳନକାରୀଙ୍କ କହିବାର କଥା, ବ୍ଲକ ଅଧ୍ୟକ୍ଷାଙ୍କୁ ଭିତରକୁ ଯିବା ପାଇଁ ଛଡାନଯିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଗତ କିଛି ଦିନ ହେବ ବ୍ଲକରେ ବିଡିଓ ଓ ବିଧାୟକଙ୍କୁ ନେଇ ତୁତୁ ମେ ଲାଗି ରହିଛି। ବିଡିଓଙ୍କ ବଦଳି ପାଇଁ ବିଧାୟକଙ୍କ ସମର୍ଥକ ଦାବି କରିଆସୁଛନ୍ତି। ସମର୍ଥକଙ୍କ କହିବାର କଥା, ବିଡିଓ ଆମ ନେତାଙ୍କୁ ଅପମାନିତ କରିଛନ୍ତି। ଏପରିକି ଏନେଇ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଯାଏ ଫେରାଦ ହୋଇଛନ୍ତି। ତେବେ ଏହାପଛରେ ରାଜନୈତିକ ଆକ୍ରୋଶ ଥିବା ସହ ବିଡିଓଙ୍କ ସପକ୍ଷରେ ଏକ ଗୋଷ୍ଠୀ ମଧ୍ୟ ଜିଲ୍ଲାପାଳ ଅଫିସ ଯାଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ।
ଏହାରି ଭିତରେ ବିଡିଓ ମଧ୍ୟ ବିଭିନ୍ନ ପଞ୍ଚାୟତରେ ଜନଶୁଣାଣୀ ସହ ସରକାରୀ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେପଟେ ଗାଡି ଭଙ୍ଗାରୁଜା ଘଟଣାରେ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି ବିଡିଓ। ଘଟଣାର ସିସିଟିଭି ଫୁଟେଜ ଦେଖି ତଦନ୍ତ କରୁଛି ପୋଲିସ। ଏଠାରେ ପ୍ରଶ୍ନ, ବିଡିଓଙ୍କ ବିରୋଧ କାହିଁକି ରକ୍ତ ଚାଉଳ ଚୋବାଉଛି ବିଜେଡି ? ଯଦି ବିଡିଓ ଭୁଲ କରିଥିବା ପ୍ରମାଣ ଅଛି ତାହେଲେ ଉପରିସ୍ଥ ଅଧିକାରୀ ଆକ୍ସନ ନେଉ ନାହାନ୍ତି କାହିଁକି ? ଯଦି ବିଡିଓ ଭୁଲ ତେବେ ଶାସକ ବିଜେପି ତାଙ୍କ ବିରୋଧରେ କାହିଁକି ସ୍ବର ଉଠାଉ ନାହିଁ ? ସାଧାରଣ ଲୋକ ବିଡିଓଙ୍କ ସପକ୍ଷରେ ବାହାରି ଦାବି ପତ୍ର ଦେଲେ କିପରି ? ଚର୍ଚ୍ଚା ବିଡିଓଙ୍କ ସପକ୍ଷରେ ରହିଛନ୍ତି ବିଜେପି ନେତା ।
ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବିଜେଡି ନେତାଙ୍କ ଏଭଳି ଦାଦାଗିରି ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ବୁମେରାଂ ହୋଇପାରେ। ତେବେ ପୂରା ଘଟଣା ନେଇ ବିଡିଓଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)