Advertisment

Heavy Rain Disrupts Life In Twin Cities: ଲଘୁଚାପ ସହ ଟ୍ରଫଲାଇନ୍, ବଦଳିଲା ପାଗ ମିଜାଜ୍; ପ୍ରବଳ ଝଡ଼ ବର୍ଷା, ଜନଜୀବନ ବେହାଲ

ଲଘୁଚାପ ସହ ଟ୍ରଫଲାଇନ୍, ବଦଳିଲା ପାଗ ମିଜାଜ୍। ସ୍ଥାନେ ସ୍ଥାନେ ପ୍ରବଳ ଝଡ଼ ବର୍ଷା, ଜନଜୀବନ ବେହାଲ। କିଛି ସ୍ଥାନରେ କୁଆପଥର ମାଡ଼ ସାଙ୍ଗକୁ ଝଡ଼ବର୍ଷା। ଆଜି ଅପରାହ୍ଣରେ ଟୁଇନ୍ସିଟିରେ ପ୍ରବଳ ବର୍ଷା। ଭୁବନେଶ୍ବରରେ ଘଡ଼ଘଡ଼ି ସାଙ୍ଗକୁ ବହିଲା ପବନ। କିଛି କିଛି ସ୍ଥାନରେ ଗଛ ଭାଙ୍ଗିଥିବା ସୂଚନା।

author-image
Pramod Behera
Heavy Rain Disrupts Life In Twin Cities

ଲଘୁଚାପ ସହ ଟ୍ରଫଲାଇନ୍, ବଦଳିଲା ପାଗ ମିଜାଜ୍ Photograph: (OTV)

ସକ୍ରିୟ ଲଘୁଚାପ କ୍ଷେତ୍ର, ପୁଣି ତା ସାଙ୍ଗକୁ ଟ୍ରଫଲାଇନ୍। ଏହାର ପ୍ରଭାବରେ ଗ୍ରୀଷ୍ମ ଆଗରୁ ଗତ କାଲିଠୁ ବଦଳିଯାଇଛି ରାଜ୍ୟ ପାଣିପାଗର ମୁଡ୍। ସ୍ଥାନେ ସ୍ଥାନେ ପ୍ରବଳ ଝଡ଼ ବର୍ଷାରେ ବେହାଲ ଜନଜୀବନ। ଗତକାଲି ସୁବର୍ଣ୍ଣପୁର, କୋରାପୁଟ ଓ ବରଗଡ଼ ଜିଲ୍ଲାର କିଛି ସ୍ଥାନରେ କୁଆପଥର ମାଡ଼ ସାଙ୍ଗକୁ ଝଡ଼ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ବେଳେ ଆଜି ଅପରାହ୍ଣରେ ଟୁଇନ୍ସିଟିରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। 

Advertisment

ଘଡ଼ଘଡ଼ି ସାଙ୍ଗକୁ ଜୋରରେ ପବନ ବହିବାରୁ ରାଜଧାନୀର କିଛି କିଛି ସ୍ଥାନରେ ଗଛ ଭାଙ୍ଗିଥିବା ସୂଚନା ମିଳିଛି। ସେହିପରି ହଠାତ୍ ଝଡ଼ ବର୍ଷା କାରଣରୁ କଟକ ବଡ଼ମ୍ବାରେ ପଡ଼ିଥିବା ଏକ ଯାତ୍ରା ପେଣ୍ଡାଲ ଭାଙ୍ଗିଯିବା ସହ ୨ ଜଣ ଆହତ ହୋଇଛନ୍ତି।

ଗ୍ରୀଷ୍ମ ଆଗରୁ ବର୍ଷାର କୋପ। କେଉଁଠି ଉଡ଼େଇଲା...ଭାଙ୍ଗିଲା... ବର୍ଷିଲା। ତ ପୁଣି କେଉଁଠି ହେଲା ନିର୍ଦ୍ଧୁମ୍ କୁଆପଥର ମାଡ଼।.... ସକ୍ରିୟ ଲଘୁଚାପ କ୍ଷେତ୍ର, ତା ସାଙ୍ଗକୁ ଟ୍ରଫ ଲାଇନର ପ୍ରଭାବ। ଗଲା କାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ଠାଆକୁ ଠାଆ ଲାଗି ରହିଛି ଏମିତି ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା। ସବୁଠୁ ଅଧିକ ପ୍ରଭାବ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର, କୋରାପୁଟ ଓ ବରଗଡ଼ ଜିଲ୍ଲାରେ। 

Advertisment

ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ କାଲି ସଂଧ୍ୟାରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସି କାଳବୈଶାଖୀ ଭଳି ଝଟକା ପରେ ଝଟ୍କା ପବନ ଓ ପ୍ରବଳ ବର୍ଷା ପରେ ଇଏ ଆଜିର ଚିତ୍ର। ପଳସାପାଲି, ବାଗଡ଼ିଆ ଆଦି ଗାଁରେ ୧୫ରୁ ୨୦ ଜଣଙ୍କ ଘର ଭାଙ୍ଗିବା ସହ ଆଜବେଷ୍ଟସ୍ ଉଡ଼ାଇ ବ୍ୟାପକ କ୍ଷୟକ୍ଷତି କରିଛି ଏ ଅଦିନିଆ ଝଡ଼।

ସେମିତି ବରଗଡ଼ ଜିଲ୍ଲାର ବରପାଲି ଅଞ୍ଚଳରେ ମଧ୍ୟ ପ୍ରବଳ ଝଡ଼ତୋଫାନ ସହ କୁଆପଥର ମାଡ଼ରେ ପନି ପରିବା ଫସଲ ପ୍ରଭାବିତ ହୋଇଛି। କଟକ ଜିଲ୍ଲା ବଡ଼ମ୍ବା ଯୋଡମୁଁରେ ମଧ୍ୟ ବର୍ଷାପବନ ତାଣ୍ଡବ ରଚିଛି। ଆଜି ଅପରାହ୍ଣରେ ହଠାତ୍ ଝଡ଼ ବର୍ଷାରେ ସ୍ଥାନୀୟ ସ୍କୁଲ ଖେଳପଡ଼ିଆରେ ପଡ଼ିଥିବା ଯାତ୍ରା ପେଣ୍ଡାଲ ଛାରଖାର ହେଇଯାଇଛି। ତେବେ ଯାତ୍ରା କଳାକାର ସମସ୍ତେ ସୁରକ୍ଷିତ ଥିବା ବେଳେ ଟେଣ୍ଟ ହାଉସର ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି।

ଟୁଇନସିଟି କଟକ ଓ ଭୁବନେଶ୍ବରରେ ମଧ୍ୟ ଅପରାହ୍ଣରେ ପ୍ରବଳ ବର୍ଷାପବନ କାରଣରୁ ଜନଜୀବନ ପ୍ରଭାବିତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ବି ସକ୍ରିୟ ରହିଛି। ଏଥିସହିତ ଗାଙ୍ଗେୟ ପଶ୍ଚିମବଙ୍ଗରୁ ଉତ୍ତର ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ହୋଇଛି। 

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୁରଭଞ୍ଜ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ମାଲକାନଗିର, କୋରାପୁଟ, ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ଘଡଘଡ଼ି ସହ ସାମାନ୍ୟ ବର୍ଷା ହୋଇପାରେ। ଏଥିସହ ଆସନ୍ତାକାଲି ସକାଳ ସାଢେ ୮ଟା ଯାଏଁ ୫ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 

ଏସବୁ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ଏବଂ ଝଟକା ପବନ ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।. ସେହିପରି ୨୫ ତାରିଖ ସକାଳ ଯାଏଁ ଦକ୍ଷିଣ, ପୂର୍ବ ଏବଂ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ମଧ୍ୟ ଠାଆକୁ ଠାଆ ବର୍ଷାର ପୂର୍ବାନୁମାନ କରାଯାଇଛି।

ଏପଟେ ଦିନ ଓ ରାତି ତାପମାତ୍ରାରେ ବୃଦ୍ଧି ସହ ଧିରେ ଧିରେ ଖରା ବି ତେଜ ଦେଖାଇବା ଆରମ୍ଭ କଲାଣି। ଆସନ୍ତାକାଲି ସକାଳ ପାଇଁ ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Odisha Weather Alert Odisha Weather Odisha News
Advertisment
Advertisment