/odishatv-khabar/media/media_files/2026/01/12/from-daily-wage-to-studio-songs-2026-01-12-18-59-39.jpg)
ଦାଦନ ଖଟି ଜୀବନ, ମନରେ ସଙ୍ଗୀତ ସ୍ୱପ୍ନ Photograph: (OTV)
ଆଲବମରେ ଗୀତ ଗାଇ ଚର୍ଚ୍ଚାରେ ଦୁର୍ଗମ ଅଂଚଳର ଜଣେ ମହିଳା। ସୁଯୋଗ ମିଳିଲେ ଆଗକୁ ଜଣେ ଭଲ ସଙ୍ଗୀତଜ୍ଞ ହେବାକୁ ସ୍ୱପ୍ନ ଦେଖିଛନ୍ତି। ହେଲେ ସ୍ଵାମୀଙ୍କ ମୃତ୍ୟୁ ପରେ ଏବେ ଦାଦନ ଖଟି ୫ ପ୍ରାଣୀ କୁଟୁମ୍ବଙ୍କ ମୁହରେ ଦାନା ଦେବାକୁ ପଡୁଛି। ଦୁଃଖର ସଂସାର ଓ ସଙ୍ଘର୍ଷପୁର୍ଣ୍ଣ ଜୀବନ ଭିତରେ ବି ଜଣେ ସୁନାମ ଧନ୍ୟ ଗାୟିକା ହେବାର ସ୍ୱପ୍ନ ଦେଖିଛନ୍ତି ସେ। ଏହି ମହିଳା ଜଣଙ୍କ ହେଲେ ଗଜପତି ଜିଲ୍ଲା ଦୁର୍ଗମ ମଳାସପଦର ଗାଁର ଦେବିଶ୍ରୀ ବିଷୋୟୀ।
ସୂଚନା ମୁତାବକ ୪ ବର୍ଷା ହେଲା ସ୍ୱାମୀ ଥୋମାସ ବିଷୋୟୀ ଚାଲିଯିବା ପରେ ପରିବାର ପୋଷଣର ବୋଝ ଏବେ ତାଙ୍କ ଉପରେ। ଦୁଇଟି ସନ୍ତାନ ଆଉ ଶାଶୁ ଶଶୁରଙ୍କୁ ନେଇ ଦୁଃଖର ସଂସାର ଭିତରେ କେରଳରେ ଦାଦନ ଖଟି ଯାହା ରୋଜଗାର କରୁଛନ୍ତି ସେତିକିରେ ଦୁଇ ପିଲାଙ୍କୁ ପାଠ ପଢାଇବା ସହ ଶାଶୁ-ଶଶୁରଙ୍କୁ ସେବା କରୁଛନ୍ତି। ସରକାରୀ ସହାୟତା କହିଲେ କେବଳ ହଜାରେ ଟଙ୍କା ବିଧବା ଭତା। ନିଜ ନାଁରେ ରାସନ୍ କାର୍ଡ ନ ଥିବାରୁ ଚାଉଳ ପାଇବାରୁ ବଞ୍ଚିତ। କେବଳ ଶାଶୁ-ଶଶୁରଙ୍କ ନାମରେ ୧୦ କେଜି ଚାଉଳ ହିଁ ସାହା ଭରସା। ତେଣୁ ବାଧ୍ୟ ହୋଇ ଦେବିଶ୍ରୀ ଦାଦନ ଖଟି କିଛି ରୋଜଗାର କରିବାକୁ ବାହାର ରାଜ୍ୟକୁ ଯାଉଛନ୍ତି।
ପରିବାରର ଜଞ୍ଜାଳ ଭିତରେ ବି ପିଲାଟି ଦିନରୁ ସଙ୍ଗୀତ ପ୍ରତି ରୁଚି ରଖିଥିବା ଦେବିଶ୍ରୀ ଏବେ କଟକର ଏକ ଷ୍ଟୁଡିଓରେ ୩ଟି ଆଲବମ୍ରେ ଗୀତ ଗାଇ ସାରିଲେଣି। ଆଗକୁ ଯଦି ସୁଯୋଗ ମିଳେ ତେବେ ଭଲ ଗାୟିକା ହେବାର ସ୍ୱପ୍ନ ସାକାର କରିବେ ବୋଲି ଆଶା ରଖିଛନ୍ତି।
ପିଲାଟି ଦିନରୁ ଗୀତ ପ୍ରତି ତାଙ୍କର ପ୍ରବଳ ଇଛା ରହିଛି। ତେଣୁ ସେ କଣ୍ଠଶିଳ୍ପୀ ସାଗର ସିଂଙ୍କ ସହଯୋଗରେ ୩ଟି ଆଲବମରେ ତାଙ୍କ ସହ ଡୁଏଟ୍ ଗୀତ ଗାଇ ସାରିଲେଣି। ଗୋଟିଏ ରିଲିଜ୍ ହୋଇ ସାରିଥିବା ବେଳେ ଆଉ ଦୁଇଟି ଆଲବମ୍ ରିଲିଜ୍ ହୋଇ ନାହିଁ।
ତେବେ ଏହି ଦୁଃଖୀ ପରିବର ପ୍ରତି ସରକାର ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଥିବା ବେଳେ ଏନେଇ ସ୍ଥାନୀୟ ବିଡିଓ କହିଛନ୍ତି, “ରାସନ୍ କାର୍ଡ ପାଇଁ ଆବେଦନ କରି ପଞ୍ଚାୟତରେ ଇକେୱାଇସି ଅପଡେଟ କରିବା ପରେ ରାସନ୍ କାର୍ଡ ମଞ୍ଜୁର ହୋଇଯିବ। ଅନ୍ୟପଟେ, ଯଦି ଭଲ ଗୀତ ଗାଉଛନ୍ତି, ଆଗକୁ ବ୍ଳକ୍ ସ୍ତରୀୟ କଳାକାର ସଂଘରେ ସାମିଲ କରି ଆଗକୁ କଳାକାର ଭତା ଦେବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)