maa-saree
ସୋନପୁର: ସୋନପୁରର ଚର୍ଚ୍ଚିତ ମା’ ଶାଢ଼ିକୁ ନେଇ ଟଣାଓଟରା । ଏହି ଶାଢ଼ିର ପ୍ରକୃତ ସ୍ରଷ୍ଟା କିଏ ? ତାକୁ ନେଇ ଛିଡ଼ା ହୋଇଛି ବିବାଦ । ଗୋଟିଏ ପଟେ ରାଜେଶ ମେହେର ଦାବି କରୁଛନ୍ତି ମା’ ଶାଢ଼ି ତାଙ୍କ ଦ୍ୱାରା ପ୍ରସ୍ତୁତ । ଅନ୍ୟପଟେ ବିଶ୍ୱନାଥ ମେହେର କହୁଛନ୍ତି, ଏହି ଶାଢ଼ିକୁ ସେ ନିଜେ ୭ ବର୍ଷ ତଳେ ବୁଣିଥିଲେ । ହେଲେ ସତ କହୁଛନ୍ତି କିଏ ? ତାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିବାବେଳେ ଜାତୀୟ ପୁରସ୍କାର ଆଉ ସ୍ୱୀକୃତିକୁ ପ୍ରମାଣ ସ୍ୱରୂପ ଗଣମାଧ୍ୟମ ଆଗରେ ଉପସ୍ଥାପନ କରିଛନ୍ତି ବିଶ୍ୱନାଥ ।
ତେବେ କିଏ ସେହି ଚର୍ଚ୍ଚିତ ମା’ ଶାଢ଼ିର ସ୍ରଷ୍ଟା ? କାରିଗର ଓ କାରିଗରୀକୁ ନେଇ ବିବାଦର ଦୋଛକିରେ ମା’ ଶାଢ଼ି । ଗୋଟିଏ ସୋନପୁର ପଟାଭାଡ଼ିର ରାଜେଶ ମେହେରଙ୍କ ଦ୍ୱାରା ପ୍ରସ୍ତୁତ, ଅନ୍ୟଟି ହେଉଛି ବୀରମହାରାଜପୁର ଟିକ୍ରାପଡ଼ାର ବିଶ୍ୱନାଥ ମେହେରଙ୍କ ଦ୍ୱାରା ତିଆରି ମା’ ଶାଢ଼ି । ରାଜେଶ କହୁଛନ୍ତି, ଏହି ଶାଢ଼ିରେ ଥିବା ଡିଜାଇନ୍ର ସ୍ରଷ୍ଟା ସେ ନିଜେ । ଗଣମାଧ୍ୟମରେ ରାଜେଶଙ୍କ ଏପରି ଦାବିକୁ କାଉଣ୍ଟର କରିଛନ୍ତି ବିଶ୍ୱନାଥ । ସେ କହିଛନ୍ତି ଏହି ଶାଢ଼ିର ପରିକଳ୍ପନା ସେ କରିଛନ୍ତି ।
ତେବେ କିଏ ସତ କହୁଛନ୍ତି ? ବିଶ୍ୱନାଥଙ୍କ କହିବା କଥା ୨୦୧୪ରେ ଗୁରୁ ପ୍ରଫୁଲ୍ଲ ମେହେରଙ୍କଠାରୁ ଡିଜାଇନ୍ ଆଣି ପ୍ରସ୍ତୁତ କରିଥିଲେ ଏହି ମା’ ଶାଢ଼ି । ଯେଉଁଠି ୧୬ଟି ଭାଷାରେ ଲେଖାଯାଇଛି ମା’ । ଏଥିପାଇଁ ସେ ୨୦୧୫ରେ ପ୍ରଧାନମନ୍ତ୍ରୀଙ୍କଠୁ ବି ପାଇଛନ୍ତି ଜାତୀୟ ପୁରସ୍କାର । ତା’ସହ ଶାଢ଼ିର ମୂଳବାନ୍ଧ ଏବଂ ମା’ ଶାଢ଼ିର ପ୍ରଥମ ବୁଣାକୁ ଦେଖାଇଛନ୍ତି । ପଣତରେ ନୀଳ ରଙ୍ଗରେ ହିନ୍ଦୀ ଭାଷାରେ ଏକ ଶ୍ଲୋକ ବି ଲେଖାଯାଇଛି । ଶାଢ଼ି ଧଡ଼ିରେ ୪ଟି ଫୁଲ ରହିଛି । ତେବେ ରାଜେଶ ମେହେର ଯେଉଁ ଦାବି କରୁଛନ୍ତି ତାହା ଅମୂଳକ ଏବଂ ଦୁଃଖଦାୟକ ବୋଲି କ୍ଷୋଭର ସହ କହିଛନ୍ତି ବିଶ୍ୱନାଥ ।
ମାଶାଢ଼ିକୁ ନେଇ ଯେଉଁ ବିବାଦ ଛିଡ଼ା ହୋଇଛି, ତାର ମୂଳ କାରଣ ଥିଲେ ହସ୍ତତନ୍ତ କାରିଗର ରାଜେଶ ମେହେର । ଦେବୀଙ୍କୁ ସମର୍ପଣ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଏହି ଶାଢ଼ିରେ ସେ ୧୩ଟି ଭାଷାରେ ମା’ ଲେଖିଛନ୍ତି । ଶାଢ଼ି ପଣତରେ କୌଣସି ଶ୍ଲୋକ ଲେଖାଯାଇନାହିଁ । ଶାଢ଼ିଟିକୁ କରୋନାର ଦ୍ୱିତୀୟ ଲହର ବେଳେ ପ୍ରାୟ ମାସେ ଧରି ବ୍ୟାବସାୟିକ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି ଏବଂ ଏହାର ଦାମ୍ ୧୭ରୁ ୨୦ ହଜାର ଟଙ୍କା ରଖାଯାଇଛି ବୋଲି କହିଥିଲେ ରାଜେଶ ।
ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶିଳ୍ପୀ ବିଶ୍ୱନାଥ ଏବଂ ରାଜେଶଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । ଏବେ ରାଜେଶ କହିଛନ୍ତି, ସେ ଏଭଳି ଶାଢ଼ି ପୂର୍ବରୁ କେବେ ବି ଦେଖିନାହାଁନ୍ତି । ନିଜସ୍ୱ ଶୈଳୀରେ ଓ ନିଜ ଡିଜାଇନ୍ରେ ପ୍ରସ୍ତୁତ କରିଛନ୍ତି । ତଥାପି ଏଭଳି ଶାଢ଼ି ପ୍ରସ୍ତୁତ କରି କିଏ ଯଦି ପୁରସ୍କାର ପାଇଛନ୍ତି, ନିଶ୍ଚିତ ଭାବେ ସୋନପୁର ପାଇଁ ଗର୍ବର କଥା ବୋଲି କହିବା ସହ ପରୋକ୍ଷରେ ନିଜେ ମୂଳଶିଳ୍ପୀ ନୁହଁନ୍ତି ବୋଲି ସ୍ୱୀକାର କରିଛନ୍ତି ।
ବଲିଉଡ୍ ଅଭିନେତ୍ରୀ ଐଶ୍ୱଯର୍ୟା ରାୟ ଏବଂ ବିଦ୍ୟା ବାଲାନ୍ଙ୍କ ପାଇଁ ଅଭିନବ ଶୈଳୀରେ ଶାଢ଼ି ତିଆରି କରି ଚର୍ଚ୍ଚାକୁ ଆସିଛି ସୁବର୍ଣ୍ଣପୁର । ତାହାରି ଭିତରେ ମା’ ଶାଢ଼ିର ଦାବିଦାରକୁ ନେଇ ଏବେ ଉଠିଛି ବିବାଦ । ବୟନଶିଳ୍ପ ବିଭାଗ ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଜରୁରୀ ବୋଲି ଦାବି ଉଠିଲାଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/maa-saree_1624603652.jpg)