/odishatv-khabar/media/post_attachments/uploadimage/library/16_9/16_9_0/ka_1626692866.jpg)
ka
ଭୁବନେଶ୍ୱର: ରାଜ୍ୟ ରାଜନୀତିର ଧୂରନ୍ଧର ନିରଂଜନ ପଟ୍ଟନାୟକଙ୍କୁ ୧୯ ମହାଯୁଦ୍ଧରେ ଲାଗିଛି ଶକ୍ତ ଧକ୍କା । ଘସିପୁରା ଓ ଭଣ୍ଡାରୀପୋଖରୀରେ ପରାଜୟ ଭୋଗିବାକୁ ପଡ଼ିଛି ତାଙ୍କୁ। ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ନିରାଶ ହୋଇଛନ୍ତି। ସମାନ ଦଶା ଭୋଗିଛନ୍ତି କଂଗ୍ରେସର ହେଭିୱେଟ ଭକ୍ତଚରଣ ଦାସ। ନିଜେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଭାବେ ଛିଡ଼ା ହେବା ସହ ପୁଅ ସାଗରଙ୍କୁ ଭବାନୀପାଟଣା ବିଧାନସଭା ପ୍ରାର୍ଥୀ ଭାବେ ମୈଦାନକୁ ଛାଡ଼ିଥିଲେ। କିନ୍ତୁ ବାପ-ପୁଅ ଯୋଡ଼ିଙ୍କ ଏହି ପରିବାରବାଦ ରାଜନୀତିକୁ ପ୍ରତ୍ୟାଖାନ କଲେ କଳାହାଣ୍ଡିବାସୀ । ସେହିଭଳି ପୂର୍ବତନ ସାଂସଦ ଅନନ୍ତ ସେଠୀ ନିଜେ ହାରିଲେ ସିମୁଳିଆରୁ ଏବଂ ଝିଅ ମଧୁମିତା ସେଠୀଙ୍କୁ ଭଦ୍ରକ ଲୋକସଭାରେ ଦେଖିବାକୁ ପଡ଼ିଲା ପରାଜୟର ମୁହଁ।
ଏପଟେ ଦୁଇ ଅନୁଭବୀ ହେମାନନ୍ଦ ବିଶ୍ୱାଳ ଓ ଅନଙ୍ଗ ଉଦୟ ସିଂଦେଓଙ୍କୁ ନିରାଶ କରିଛନ୍ତି ତାଙ୍କ ସନ୍ତାନ। ସୁନ୍ଦରଗଡ଼ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳ ଏବଂ ଭଉଣୀ ତଥା କଂଗ୍ରେସ ପ୍ରାର୍ଥୀ ଅମିତା ବିଶ୍ୱାଳ ବାପା ହେମାନନ୍ଦଙ୍କୁ ବିଜୟର ସ୍ୱାଦ ଚଖାଇ ପାରିନାହାନ୍ତି। ବିଜେଡିର ହେଭିୱେଟ ଏୟୁଙ୍କ ୨ ପୁଅ କଳିକେଶ ଓ ଅର୍କ ବି ବଲାଙ୍ଗିରରେ ନିରାଶ ହୋଇଛନ୍ତି।
ଅବଶ୍ୟ ଏହି ଲୋକସଭା ଆସନରେ ପୁଅ ସମରେନ୍ଦ୍ର ଫେଲ୍ ହୋଇଥିଲେ ବି ବାପା ନରସିଂହ ମିଶ୍ର କିନ୍ତୁ ନିଜ ବିଧାୟକ ଗାଦିକୁ ବଞ୍ଚାଇ ରଖିଛନ୍ତି। ସେପଟେ ବିଜେପି ନେତା ଦାମୋଦର ରାଉତଙ୍କ ହାତରୁ ବାଲିକୁଦା-ଏସରମା ଖସିଯାଇଥିଲେ ବି ପୁଅ ସମ୍ବିତ ରାଉତରାୟ ବିଜେଡି ଟିକେଟ୍ରେ ପାରାଦୀପ ଆସନରୁ ଜିତିଛନ୍ତି।
ବଂଶବାଦ ରାଜନୀତିରେ କିନ୍ତୁ ସଫଳ ହୋଇଛନ୍ତି ଭାଇ-ଭଉଣୀ। ବିଜେଡି ନେତା ମନୋହର ରନ୍ଧାରୀ ଡାବୁଗାଁରେ ପୁଣି ବାଜି ମାରିଥିବାବେଳେ ଦଳୀୟ ଟିକଟରେ ଭଉଣୀ ପଦ୍ମିନୀ ଦିଆନ୍ କୋଟପାଡ୍ ଦଖଲ କରିଛନ୍ତି । ନବରଙ୍ଗପୁର ବିଜେଡିର ଚର୍ଚ୍ଚିତ ମାଝୀ ବ୍ରଦର୍ସ ରମେଶ ମାଝୀ ଓ ପ୍ରକାଶ ମାଝୀଙ୍କ ବି ହୋଇଛି କ୍ଲିନ୍ ସୁଇପ୍ । ଅପରପକ୍ଷେ ବଲାଙ୍ଗିରରୁ ନିର୍ବାଚିତ ହୋଇ ପତ୍ନୀ ସଂଗୀତା ସିଂଦେଓ ସଂସଦକୁ ଯାଉଥିବାବେଳେ ସ୍ୱାମୀ କେ.ଭି ସିଂଦେଓଙ୍କୁ ନିରାଶ ହେବାକୁ ପଡ଼ିଛି।
ଜ୍ୱାଇଁ ପ୍ରସାଦ ହରିଚନ୍ଦନଙ୍କ ପରାଜୟର ଦୁଃଖ ସହିତ କିନ୍ତୁ ଜଟଣୀ ଦଖଲ କରି ଖୁସି ଆଣିଛନ୍ତି ଶ୍ୱଶୁର ସୁର ରାଉତରାୟ। ସେପଟେ ବିଜୟଶ୍ରୀ ରାଉତରାୟ, ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳ ପୁଅଙ୍କୁ ବାଟ ଛାଡ଼ି ବିଜୟର ସ୍ୱାଦ ଅନୁଭବ କରୁଥିବା ବେଳେ ନିରାଶ ହୋଇଛନ୍ତି ପ୍ରଶାନ୍ତ ନନ୍ଦ। ତାଙ୍କ ପୁଅ ରିଷଭ ନନ୍ଦ ବିଜେପି ଟିକଟରେ ବେଗୁନିଆରୁ ଲଢ଼ି ହାରିଯାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)