Advertisment

Melody King Abhijit Majumdar Dies: ଆରପାରିରେ ମେଲୋଡ଼ି କିଙ୍ଗ୍ ଅଭିଜିତ୍ ମଜୁମଦାର୍; ଝୁରିହେଉଛନ୍ତି ପ୍ରଶଂସକ, ହତବାକ୍ ଓଲିଉଡ୍

ଚାଲିଗଲେ ଦାଦା। ୫ ମାସର ଜୀବନ ଯୁଦ୍ଧରେ ଶେଷରେ ହାରିଯାଇଛନ୍ତି ମେଲୋଡ଼ି କିଙ୍ଗ୍ ଅଭିଜିତ୍ ମଜୁମଦାର୍। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ଅକାଳରେ ଦାଦାଙ୍କ ବିୟୋଗରେ ଝୁରିହେଉଛନ୍ତି ସମସ୍ତେ । ହତବାକ୍ ହୋଇଯାଇଛି ଓଲିଉଡ୍।...

author-image
Tapan Swain
Abhijit Majumdar

Abhijit Majumdar Photograph: (OTV)

ମଣିମା ଶୁଣିଲେ, ପ୍ରାର୍ଥନାକୁ ପୂରା କରିଦେଲେ। ଛୁଟି ମଞ୍ଜୁର ହେଲା ଆଉ ଜଞ୍ଜାଳ ଜାଲରୁ ଉଦ୍ଧାର ପରେ ସ୍ବର୍ଗଦ୍ବାରରେ ଜାଗା ବି ମିଳିଲା। ଶେଷରେ ତୁ ଥାଆ ମୁଁ ଯାଉଛି ରୁଷି କହି କହି...ସବୁଦିନ ପାଇଁ ଋଷିଗଲେ ଓଡ଼ିଶାର ମେଲୋଡି କିଙ୍ଗ୍ ଅଭିଜିତ୍ ମଜୁମଦାର୍।

Advertisment

 ସଂଗୀତ ଦୁନିଆରେ ଚଉକାଛକା ବର୍ଷା କରୁଥିବା ଏଭରଗ୍ରୀନ୍ ସ୍ବରଟି ଆଜି ଶୋଇଯାଇଛି ସବୁଦିନ ପାଇଁ। କଞ୍ଚାହଳଦୀର ଲୋଭ ଦେଖାଇ ଦାଦା ଚାଲିଗଲେ ଧଳା ଲୁଗା ଘୋଡ଼େଇହେଇ। ଯିଏ ଶୁଣୁଛି ଘଡ଼ିଏ ନିରବି ଯାଉଛି। ଆତ୍ମୀୟଠୁ ପରିଜନ- ସମସ୍ତେ ନିର୍ବାକ୍। ପୂରା ଓଲିଉଡ୍ ହତବାକ୍। ସମସ୍ତେ କାନ୍ଦୁଛନ୍ତି, ଝୁରିହେଉଛନ୍ତି। 

୫ ମାସର ଜୀବନ ଯୁଦ୍ଧରେ ହାରିଗଲେ

ଅଭିଜିତଙ୍କ ଦୀର୍ଘ ୫ ମାସର ଜୀବନ ଯୁଦ୍ଧରେ ଆଜି ସକାଳୁ ସକାଳୁ ପଡ଼ିଥିଲା ଦୁଃଖଦ ଯବନିକା। ସକାଳ ୯ଟା ଦୁଇ ମିନିଟରେ ସବୁକୁ ପର କରିଦେଇ ଆରପାରିର ଅତିଥି ପାଲଟିଯାଇଥିଲେ ଅଭିଜିତ। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୫୪ ବର୍ଷ ବୟସରେ ଆଖି ବୁଜିଦେଇଥିଲେ ଓଡ଼ିଆଙ୍କର ଅତିପ୍ରିୟ ଦାଦା। ଡାକ୍ତରଙ୍କ ସୂଚନା ଅନୁସାରେ, ଧୀରେଧୀରେ ସୁସ୍ଥ ହେଉଥିବା ଅଭିଜିତଙ୍କ ସ୍ବାସ୍ଥ୍ୟାବସ୍ଥା, ଗତ ୨୩ ତାରିଖରେ ଅଧିକ ବିଗିଡ଼ିଯାଇଥିଲା ।
ସକାଳେ ହାର୍ଟଆଟାକ୍ ଆସିବା ପରେ ଡାକ୍ତରଙ୍କ ସବୁ ଚେଷ୍ଟା ସତ୍ତ୍ବେ ଆଉ ବଞ୍ଚାଇବା ସମ୍ଭବ ହୋଇନଥିଲା। ଅଭିଜିତଙ୍କ ଦେହାନ୍ତ ଖବର ଶୁଣୁ ଶୁଣୁ ଡାକ୍ତରଖାନାକୁ ଛୁଟିଥିଲା ଆତ୍ମୀୟ, ସହକର୍ମୀ ଓ ପ୍ରଶଂସକଙ୍କ ସୁଅ। ସମସ୍ତଙ୍କ ଆଖିରେ ଲୁହ, ଆଉ ମନରେ ଗୋଟିଏ ପ୍ରଶ୍ନ- ଦାଦା, ଏମିତି କଣ ଚାଲିଯିବାର ଥିଲା ? 

Advertisment

ଚାଲିଗଲେ ଦାଦା

ଏମ୍ସରୁ ଅଭିଜିତଙ୍କ ମରଶରୀରକୁ ନିଆଯାଇଥିଲା କଟକ MRR ଷ୍ଟୁଡିଓକୁ। ଏଇଠୁ ଜୀବନର ସଂଗୀତ ଯାତ୍ରା ଆରମ୍ଭ କରିଥିଲେ ଅଭିଜିିତ। ଷ୍ଟୁଡିଓ ପରିସରରେ ଅନେକ କଣ୍ଠଶିଳ୍ପୀ, ସଂଗୀତ ନିର୍ଦ୍ଦେଶକ, କଳାକାର ଓ ପ୍ରଶଂସକ ଅଭିଜିତଙ୍କ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଦାଦାଙ୍କୁ ମନେ ପକାଇଥିଲେ ଆଉ ତାଙ୍କରି ଗୀତରେ ଗୁଣୁଗୁଣୁ ହୋଇ ଲୁହ ଢାଳିଥିଲେ । ପରେ ପରେ ଦାଦାଙ୍କ ବାସଭବନରେ ପହଞ୍ଚିଥିଲା ପାର୍ଥିବ ଶରୀର। ଏଠି ବି ଅଭିଜିତଙ୍କ ପାଇଁ ଲାଗିଥିଲା ଭଲପାଇବାର ଭିଡ଼। ପଡ଼ୋଶୀଙ୍କଠୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ସମସ୍ତେ ଆଧୁନିକ ସଂଗୀତ ଯାଦୁଗରଙ୍କ ଶେଷଦର୍ଶନ କରି ଅଲବିଦା ଜଣାଇଛନ୍ତି। 

ଛଳଛଳ ଆଖିରେ ଆଜି ସାରା ଓଡ଼ିଶା ପଚାରୁଛି, ଦାଦା- ତମେ ପରା କହୁଥିଲ, ଲଭ୍ ପାଇଁ କୁଛ ଭି କରେଗା। ହେଲେ କେମିତି ଓଡ଼ିଆଙ୍କ ଭଲପାଇବାକୁ ଭାଙ୍ଗିଦେଇ ଚାଲିଗଲ ? ତୁମେ ଶରୀରରେ ସିନା ଆମ ପାଖରେ ନାହଁ, ହେଲେ ସ୍ବରରେ ବଞ୍ଚିରହିବ ଏ ସଂଗୀତ ଥିଲା ଯାଏଁ । ପ୍ରତି ହୃଦୟରେ, ପ୍ରତି ନିଃଶ୍ବାସରେ ସ୍ବରର ଚିରଞ୍ଜୀବୀ ସାଜି ସାଇତା ହୋଇରହିବ । ଅଲବିଦା ଦାଦା...ଅଲବିଦା....

Abhijit Majumdar abhijit majumdar passes away
Advertisment
Related Articles
Advertisment