bh
ଭୁବନେଶ୍ୱର : ବିଶିଷ୍ଟ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ୬୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କର ସାନ ପୁଅ ମନତୋଷ ମହାପାତ୍ର। ତାଙ୍କ ମୃତ୍ୟୁକୁ ନେଇ ପୁରା ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି।
ମନମୋହନଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘ନିରବ ଝଡ଼’ ଜାତୀୟ ପୁରସ୍କାର ପାଇଥିଲା । କ୍ଲାନ୍ତ ଅପରାହ୍ନ, ଅନ୍ଧ ଦିଗନ୍ତ, ଅଗ୍ନିବୀଣା ଆଦି ଫିଲ୍ମ ମନମୋହନଙ୍କ ସୃଷ୍ଟି । ହିନ୍ଦୀ ଫିଲ୍ମ ବିଟ୍ସ ଆଣ୍ଡ ପିସେସ୍ର ନିର୍ଦ୍ଦେଶନା ବି ଦେଇଥିଲେ ମନମୋହନ।
ନିକଟରେ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ତାଙ୍କ ଫିଲ୍ମ ଭିଜା ମାଟିର ସ୍ୱର୍ଗ ୬ଟି ପୁରସ୍କାର ପାଇବା ସହ ମନମୋହନ ମହାପାତ୍ର ମଧ୍ୟ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ମାନୀତ ହୋଇଥିଲେ। ଓଡ଼ିଆ ଚଳଚ୍ଚିତ୍ରକୁ ବିଶ୍ୱ ଦରବାରେ ପରିଚିତ କରାଇବାରେ ସେ ଅଗ୍ରଣୀ ଭୂମିକ ଗ୍ରହଣ କରିଥିଲେ। ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ଜାତୀୟ ପୁରସ୍କାର ଜିତିବା ସହ ଅନେକ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍ରେ ପୁରସ୍କାର ମଧ୍ୟ ହାସଲ କରିଛି।
ଶ୍ରେଷ୍ଠ ଆଞ୍ଚଳିକ ସିନେମା ବର୍ଗରେ ସେ ଲଗାତାର ୮ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଛନ୍ତି । ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟରୁ ପାସ୍ କରିବା ପରେ ସେ ୧୯୭୭ ମସିହାରେ ସେ ପ୍ରଥମ ଚଳଚ୍ଚିତ୍ର ଶୀତ ରାତି ନିର୍ମାଣ କରିଥିଲେ। ଏହି ଫିଲ୍ମ ଶ୍ରେଷ୍ଠ ଓଡିଆ ଫିଲ୍ମ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲା। ଏହା ମଧ୍ୟ କୌଣସି ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସ୍ଥାନ ପାଇବାରେ ପ୍ରଥମ ଓଡିଆ ଚଳଚ୍ଚିତ୍ର ଥିଲା ।
ଏହା ପରେ ସେ ନୀରବ ଝଡ଼, କ୍ଲାନ୍ତ ଅପରାହ୍ନ, ମଝି ପାହଚ, ନିଷିଦ୍ଧ ସ୍ୱପ୍ନ, କିଛି ସ୍ମୃତି କିଛି ଅନୁଭୂତି, ଅଗ୍ନୀ ବୀଣା, ଭିନ୍ନ ସମୟ ଭଳି ଉଚ୍ଚକୋଟୀର କଳାତ୍ମକ ସିନେମା ନିର୍ମାଣ କରି ଓଡିଆ ଫିଲ୍ମକୁ ଏକ ଭିନ୍ନ ପରିଚୟ ଦେଇଥିଲେ ।
୧୯୫୧ ମସିହାରେ ଜନ୍ମ ହୋଇଥିବା ମନମୋହନ ମହାପାତ୍ର ଭାରତୀୟ ଚଳଚ୍ଚିତ୍ର ଇତିହାସରେ ଅଶୀ ଦଶକରେ ମୁଣ୍ଡ ଟେକିଥିବା ନ୍ୟୁ ୱେଭ୍ ସିନେମା ଆନ୍ଦୋଳନରଥିଲେ ଅନ୍ୟତମ ପୁରୋଧା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bh_1626689894.jpg)