/odishatv-khabar/media/media_files/2025/10/10/don-2025-10-10-21-23-18.jpg)
DON Photograph: (OTV)
ଅଧାରେ ରହିଗଲା ଗ୍ୟାଙ୍ଗ୍, ଭାଙ୍ଗିଗଲା ଡନ୍ ହେବାର ସ୍ବପ୍ନ। ବନ୍ଧାହେଲା କେନ୍ଦୁଝରର ଆତ୍ମଘୋଷିତ ଡନ୍ ଗଣେଶ ଗିରି। ଡକାୟତି ପାଇଁ ଯୋଜନା ବେଳେ ମହାକାଳ ଗ୍ୟାଙ୍ଗର ୯ ଜଣଙ୍କୁ ବାନ୍ଧି ରାସ୍ତାରେ ଚଲାଇ ଚଲାଇ ନେଇଛି କେନ୍ଦୁଝର ପୋଲିସ ।
ଅଭିଯୁକ୍ତଙ୍କ ନାଁରେ ରହିଛି ୩୭ ମାମଲା। ଗଣେଶର ରୁବାବ୍ ସମସ୍ତଙ୍କୁ ଚମକେଇ ଦେଇଥିବାବେଳେ ତାର ଗଡ୍ ଫାଦର୍ କିଏ ତାକୁ ନେଇ ଉଠିଛି ପ୍ରଶ୍ନ....
ସେ ମନେମନେ ଭାବୁଥିଲା କେନ୍ଦୁଝର ଡନ୍। ସାଜିଥିଲା ଗଣେଶ ଭାଇ। ଗଢୁଥିଲା ଗ୍ୟାଙ୍ଗ୍, ଦେଖାଉଥିଲା ରୁବାବ୍। ପ୍ଲାଷ୍ଟିକ୍ ଛୁରୀ ନୁହେଁ, ଖଣ୍ଡାରେ କାଟୁଥିଲା କେକ୍, ପାର୍ଟିପେପର୍ ବଦଳରେ ଉଡ଼ାଉଥିଲା ବିଡ଼ାବିଡ଼ା ନୋଟ୍। କେତେବେଳେ ବନ୍ଧୁକ ଧରି ବୁଲୁଥିଲା ଆଉ କେତେବେଳେ ସୋସିଆଲ ମିଡିଆରେ ଧାକ୍ ଦେଖାଉଥିଲା। ସେ ବାହାରିଲେ ତ ଧାଡ଼ି ଲମ୍ବୁଥିଲା ମାଳମାଳ ଦାମୀ କାର୍ ଗୁଡ଼ିକର। ପୂରା ଫିଲ୍ମ ଷ୍ଟାଇଲରେ ଏସକର୍ଟରେ ଯାଉଥିଲା ସେ।
ସିନେମା ଭଳି ଲାଗୁଥିଲେ ବି ସତସତିକା ଦବଙ୍ଗଗିରି ଦେଖାଇ ଡନ୍ ହେବାର ସ୍ବପ୍ନ ଦେଖୁଥିଲା ଗଣେଶ ଗିରି। ଯାହାର ଘର ମୟୂରଭଞ୍ଜ ଜିଲ୍ଲା ଛେଳିଆନାଳ ଅଞ୍ଚଳରେ। ଖାଲି ସ୍ବପ୍ନ ଦେଖୁନଥିଲା ବରଂ ମହାକାଳ ନାଁରେ ଏକ ଗ୍ୟାଙ୍ଗ୍ ବି ଗଢିଥିଲା । ଯେଉଁଥିରେ ସାମିଲ କରିଥିଲା ଝାଡ଼ଖଣ୍ଡ ଓ ଓଡ଼ିଶାର ବଛାବଛା ଯୁବକଙ୍କୁ। ହେଲେ ଗଲାକାଲି ରାତିରେ ଗଣେଶର ସବୁ ଅଙ୍କ ଗୋଳମାଳ କରିଦେଇଛି ପୋଲିସ । ଡକାୟତି ପାଇଁ କେନ୍ଦୁଝର ନରଣପୁର ଶିବ ମନ୍ଦିର ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଯୋଜନା କରୁଥିବାବେଳେ ମହାକାଳ ଗ୍ୟାଙ୍ଗକୁ ମାଡ଼ିବସିଛି ପୋଲିସ ।
ବନ୍ଧା ହୋଇଛନ୍ତି ଆତ୍ମଘୋଷିତ ଡନ୍ ଗଣେଶ ସମେତ ୯ ଜଣ । ସେମାନଙ୍କଠାରୁ ୫ଟି ପିସ୍ତଲ, ୨୫ଟି ଜୀବନ୍ତ ଗୁଳି, ୭ଟି ମ୍ୟାଗେଜିନ ସହ ୫ଟି ମାରଣାସ୍ତ୍ର ଓ ଏକ ଥାର୍ ଗାଡି ଜବତ ହୋଇଛି । ଗିରଫ ପରେ ହାତକଡ଼ି ପକାଇ ସମସ୍ତଙ୍କୁ ରାସ୍ତାରେ ଚଲାଇ ଚଲାଇ ନେଇଛି ପୋଲିସ। ଅଭିଯୁକ୍ତଙ୍କୁ ଯୋଡ଼ା ସହର ପରିକ୍ରମା କରାଇବା ସହିତ ଏଭଳି ଗ୍ୟାଙ୍ଗକୁ ନଡରିବାକୁ ଲୋକଙ୍କୁ ନିବେଦନ କରିଛି ପୋଲିସ ।
କୁହାଯାଉଛି କେନ୍ଦୁଝରର ଡନ୍ ହେବାକୁ ଅନେକଦିନ ଧରି ସ୍ବପ୍ନ ଦେଖୁଥିଲା ଗଣେଶ। ଲୋକଙ୍କୁ ଭୟଭୀତ କରିବାକୁ ଏକାସାଙ୍ଗରେ ୨୦ରୁ ଅଧିକ ଗାଡି ଧରି ବାହାରୁଥିଲା। ସାମ୍ରାଜ୍ୟ ବଢ଼ାଇବାକୁ ଏକାଧିକ ଯୁବକଙ୍କୁ ସାମିଲ କରୁଥିଲା ମହାକାଳ ଗ୍ୟାଙ୍ଗରେ । ବିଭିନ୍ନ ଖଣି ଓ କଳକାରଖାନା ମାଲିକଙ୍କୁ ଧମକ ଦେଇ ଆଦାୟ କରୁଥିଲା ଦାଦାବଟି। ଗଣେଶ ଓ ତାର ଗ୍ୟାଙ୍ଗ ନାଁରେ ବିଭିନ୍ନ ଥାନାରେ ରୁଜୁ ହୋଇଛି ୩୭ଟି ମାମଲା। ଯେଉଁଥିରେ ରହିଛି ଡକାୟତି, ହତ୍ୟା, ଖଣିଜ ପଦାର୍ଥ ଚୋରାଚାଲାଣ ଭଳି ସଙ୍ଗିନ ଅଭିଯୋଗ । ଯେଉଁଥିପାଇଁ ଦୀର୍ଘଦିନ ଧରି ଗଣେଶ ଉପରେ ନଜର ରଖିଥିଲା ଏସପିଙ୍କ ନେତୃତ୍ବାଧୀନ ଏକାଧିକ ସ୍ପେଶାଲ ସ୍କ୍ବାଡ୍।
ତେବେ କାହା ଆଶୀର୍ବାଦରେ ମୁଣ୍ଡ ଟେକୁଥିଲା ଗଣେଶ ? କିଏ ସାଜିଥିଲା ଗଣେଶର ଗଡ୍ ଫାଦର୍ ? କାହା ବଳରେ ବଳୀୟାନ ହେଉଥିଲା ମହାକାଳ ଗ୍ୟାଙ୍ଗ୍ ? କାହାର ଏ ମାଳମାଳ କାର୍ ? ଦୀର୍ଘଦିନ ଧରି ପାଖାପାଖି ୪୦ ମାମଲା ଥିଲେ ବି କାହିଁକି ହାତ ମାରୁନଥିଲା ପୋଲିସ ? ଆଗକୁ ପୋଲିସର ତଦନ୍ତରେ ଆଉ କିଏ ସାମ୍ନାକୁ ଆସୁଛି ତାହା ଉପରେ ନଜର....
Police on High Alert in Cuttack: ଅଶାନ୍ତି ସୃଷ୍ଟି ପାଇଁ ଅସାମାଜିକ ତତ୍ତ୍ବଙ୍କ ଚକ୍ରାନ୍ତ, ପୋଲିସ ନଜରରେ ରହିଛି ସାରା କଟକ ସହର

Shrimayee Reveals Pandian’s Plot: ଲୋକସଭାରେ କାହିଁକି ଶୂନ ହୋଇଗଲା ବିଜେଡି ? ପାଣ୍ଡିଆନଙ୍କ ଚକ୍ରାନ୍ତର ପୋଲ୍ ଖୋଲିଲେ ଶ୍ରୀମୟୀ

Crime Branch Cracks Down Recruitment Fraud: ନିଯୁକ୍ତି ଜାଲିଆତି ଖୋଳତାଡ ଫାନ୍ଦରେ ପଡିଛି ବଣିକ୍, ୩ ବରିଷ୍ଠ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚର ଝାଳବୁହା ଜେରା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)