Advertisment

Former minister Dilip Ray enters Rajya Sabha race: କଡ଼ ଲେଉଟେଇବ କି ୨୦୦୨ ଫର୍ମୂଲା; ଚକମା ଦେଖାଇବେ କି ଦିଲ୍ଲୀପ ରାୟ

ରୋଚକ ହେଲା ରାଜ୍ୟସଭା ଲଢ଼େଇ। ମଇଦାନକୁ ଓହ୍ଲାଇଲେ ଦିଲ୍ଲୀପ ରାୟ। ଚତୁର୍ଥ ସିଟ ପାଇଁ ମୈଦାନକୁ ଦିଲୀପଙ୍କ ଲମ୍ଫ। ଦିଲ୍ଲୀପଙ୍କୁ ସମର୍ଥନ ଘୋଷଣା କଲା ବିଜେପି। ବିଜେଡି-କଂଗ୍ରେସର `ଦତ୍ତେଶ୍ବର' ଅଙ୍କ ଗଡ଼ବଡ଼।

author-image
Pramod Behera
Former minister Dilip Ray enters Rajya Sabha race

କଡ଼ ଲେଉଟେଇବ କି ୨୦୦୨ ଫର୍ମୂଲା Photograph: (OTV)

କଡ଼ ଲେଉଟେଇବ କି ୨୦୦୨ ଫର୍ମୂଲା। ଚକମା ଦେଖାଇବେ କି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଦିଲ୍ଲୀପ ରାୟ। ଚତୁର୍ଥ ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କରିଥିବା ଦିଲୀପ ରାୟଙ୍କୁ ବିଜେପିର ସମର୍ଥନ ପରେ ବଢ଼ିଲା ଚର୍ଚ୍ଚା। କାରଣ ଏବେ ବିଜେଡି-କଂଗ୍ରେସ କମନ୍ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବରଙ୍କ ସହ ହେବ ଦିଲ୍ଲୀପଙ୍କ ଲଢ଼େଇ। ସେପଟେ କେବଳ ଚତୁର୍ଥ ନୁହେଁ ବରଂ ବିଜେଡି ପ୍ରାର୍ଥୀ ଭାବେ ସନ୍ତୃପ୍ତ ଲଢ଼ିବାକୁ ଥିବା ତୃତୀୟ ଆସନ ଅଙ୍କ ବି ଗଡ଼ବଡ଼ ହେବା ଆଶଙ୍କା।

Advertisment

ରୋଚକ ହେଲା ରାଜ୍ୟସଭା ଚତୁର୍ଥ ଆସନ ଲଢେଇ। ମଇଦାନକୁ ଓହ୍ଲାଇଲେ ଦିଲ୍ଲୀପ ରାୟ। ବିଜେପି କହିଲା ଦେବୁ ସମର୍ଥନ। ଚତୁର୍ଥ ଆସନ ପାଇଁ ମୁହାଁମୁହିଁ ହେବେ ଦିଲ୍ଲୀପ ଓ ଦତ୍ତେଶ୍ବର। ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ବିଜେଡି କମନ୍ କ୍ୟାଣ୍ଡିଡେଟ ଘୋଷଣା କରିବା ପରେ କଂଗ୍ରେସ ସମର୍ଥନ ଦେଇଥିଲା। କିନ୍ତୁ ବିଜେଡିର ଏହି ଘୋଷଣାକୁ ବିଜେପି ସମର୍ଥନ କରିନାହିଁ। ବରଂ ରାଉରକେଲାରୁ ବିଜେପି ଟିକଟରେ ଲଢି ୨୦୨୪ରେ ପରାଜିତ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ସମର୍ଥନ କରିବ ବୋଲି ରାଜ୍ୟ ବିଜେପି ସ୍ପଷ୍ଟ କରିଛି। 

ଚତୁର୍ଥ ଆସନ ପାଇଁ ଦିଲ୍ଲୀପ ସ୍ବାଧୀନ ପ୍ରାର୍ଥୀ ଭାବେ ଆସନ୍ତା ୫ ତାରିଖରେ ନାମାଙ୍କନ ଭରିବେ। ସେପଟେ ବିଜେଡି ଓ କଂଗ୍ରେସ ମିଳିତ ଭାବେ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ଜିତାଇବା ପାଇଁ ପୂରା ବଳ ଲଗାଇ ଦେଇଛନ୍ତି। ଉଦ୍ଦେଶ୍ୟ ବିରୋଧୀଙ୍କ ପକ୍ଷରୁ ଖାଲି ପଡୁଥିବା ୪ ରାଜ୍ୟସଭା ଆସନରୁ ଦୁଇଟିକୁ ଦଖଲ। ଅପରପକ୍ଷେ ଶାସକ ବିଜେପି ୪ରୁ ୩ ଆସନ ଦଖଲ ପାଇଁ ରଣନୀତି କରିସାରିଛି। ଏଭଳି ସ୍ଥଳେ ଦିଲ୍ଲୀପ ବନାମ ଦତ୍ତେଶ୍ବର ଲଢେଇ ରେ ରୋଚକ ଚିତ୍ର ଦେଖିବାକୁ ମିଳିପାରେ। 

Advertisment

ଅନ୍ୟପଟେ ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପଙ୍କ ଏଣ୍ଟ୍ରି ସମ୍ପୂର୍ଣ୍ଣ ନିର୍ବାଚନକୁ ଉଷ୍ମ କରିଦେଇଛି। ସଂଖ୍ୟା ଦୃଷ୍ଟିରୁ ୪ ଆସନରୁ ମନମୋହନ ସାମଲ ଓ ସୁଜିତ କୁମାରଙ୍କ ପାଇଁ ସ୍ଥିତି ସୁବିଧାଜନକ ରହିଛି। କିନ୍ତୁ ଦିଲ୍ଲୀପଙ୍କ ଏଣ୍ଟ୍ରି ପରେ କେବଳ ଚତୁର୍ଥ ଆସନ ନୁହେଁ ତୃତୀୟ ଆସନ ପାଇଁ ଦାବିଦାର ଥିବା ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ପାଇଁ ବି ଅଡୁଆ ସ୍ଥିତି ସୃଷ୍ଟି ହୋଇପାରେ। 

ପ୍ରତିଟି ଆସନ ପାଇଁ ପ୍ରଥମ ପସନ୍ଦର ୩୦ ଜଣ ବିଧାୟକଙ୍କ ଭୋଟ ଆବଶ୍ୟକ ପଡୁଛି। କିନ୍ତୁ କ୍ରସ ଭୋଟିଂ ଭୟ ଏବେ ବିଜେଡି ଓ କଂଗ୍ରେସକୁ ଘାରିଛି। ଯେଉଁଥିଲାଗି ବିଜେଡି ନିଜ ୪୮ ବିଧାୟକଙ୍କ ଭୋଟ ରୁ ସଂତୃପ୍ତଙ୍କ ପାଇଁ ୩୦ ବଦଳରେ ଅଧିକ ଭୋଟ ସଂରକ୍ଷିତ ରଖିବାକୁ ବାଧ୍ୟ ହେବ। ଯାହାକି ଦତ୍ତେଶ୍ବରଙ୍କ ପ୍ରଥମ ପସନ୍ଦର ଭୋଟ୍ ବିଜେଡି ପକ୍ଷରୁ କମିଯିବ। ଶାସକ ବିଜେପି କିନ୍ତୁ ଏକ୍ଷେତ୍ରରେ ସୁବିଧାଜନକ ସ୍ଥିତିରେ ରହିଛି। 

୨୦୦୨ରେ ସ୍ବାଧୀନ ଭାବେ ରାଜ୍ୟସଭା ପାଇଁ ଲଢି ବିଜେଡି ପ୍ରାର୍ଥୀ ଏୟୁଙ୍କୁ ହରାଇଥିଲେ ଦିଲ୍ଲୀପ। ଏଥର ବି ସେଭଳି ଚକମା ଦେଇପାରନ୍ତି। ଏବେ ଦେଖିବାର କଥା ଯେ ଦିଲ୍ଲୀପ ଓ ଦତ୍ତେଶ୍ବର ଙ୍କ ଲଢେଇରେ ବିଜୟ ଟୀକା କିଏ ପିନ୍ଧୁଛି।

Rajya Sabha Odisha Politics Odisha News
Advertisment
Advertisment