/odishatv-khabar/media/post_attachments/uploadimage/library/16_9/16_9_0/puri-1_1624432589.jpg)
puri
ପୁରୀ: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦୀଙ୍କୁ ବିଜେ କରିବେ ଶ୍ରୀଜିଉ। ସ୍ନାନବେଦୀରେ ଗଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଇନାହିଁ। ତେବେ ରଥଯାତ୍ରା ଲାଗି ଗତକାଲି ରାତିରୁ ଶ୍ରୀମନ୍ଦିରକୁ ଆରମ୍ଭ ହୋଇଛି ଦଇତା ପ୍ରବେଶ ନୀତି। ମଙ୍ଗଳ ଆଳତି ପରେ ବିଭିନ୍ନ ବାଡ଼ର ଦଇତା ସେବକ ସିଂହଦ୍ୱାର ଦେଇ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଫେରିଛନ୍ତି।
ସ୍ନାନଯାତ୍ରା ଲାଗି ଆଜି ରାତିରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ। ଶ୍ରୀଜିଉ ଧାଡି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରିବେ। ୨୪ ତାରିଖ ସକାଳୁ ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହେବ। ଅପରାହ୍ନରେ ଗଜଓଲାଗି ବେଶ ପରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଏହାପରେ ଶ୍ରୀଜିଉଙ୍କ ଅଣସର ନୀତି ଆରମ୍ଭ ହେବ।
ଅନ୍ୟପକ୍ଷେ, ଶ୍ରୀକ୍ଷେତ୍ର ପୁରୀରେ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ୧୪୪ ଧାରା ଲାଗୁ ହେବ। ଆଜି ରାତି ୧୦ଟାରୁ ୧୪୪ ଧାରା ଲାଗୁ ହୋଇ ୨୫ ତାରିଖ ଯାଏ ଏହା ବଳବତ୍ତର ରହିବ। ମହାମାରୀ କରୋନାକୁ ଦୃଷ୍ଟିରେ ରଖି ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଆୟୋଜନ ହେଉଥିବାରୁ ଏଥିପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତି ବିଶେଷଙ୍କୁ ପୁରୀ ପ୍ରବେଶ ପାଇଁ ଅନୁମତି ରହିବ। ଏନେଇ ଉପ ଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି। ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ସେପଟେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ ବନ୍ଦ ରହିବ। କରୋନା ପାଇଁ କୋଭିଡ୍ କଟକଣା ଲାଗୁ ହୋଇଥିବାରୁ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏଥିଲାଗି କାଲିଠାରୁ ଜୁଲାଇ ୯ ପର୍ଯ୍ୟନ୍ତ ପୀଠରେ ୧୪୪ ଧାରା ଲାଗୁ କରାଯିବ। ଏହାସହ ମନ୍ଦିର ଚାରିପଟରେ ବ୍ୟାରିକେଡ୍ କରାଯିବାକୁ ନିଷ୍ପତ୍ତି ହୋଇଛି। ଗତକାଲି ସେବାୟତଙ୍କ ସହ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଓ ବ୍ରହ୍ମଗିରି ତହସିଲଦାରଙ୍କ ବୈଠକ ପରେ ଏନେଇ ନିଷ୍ପତ୍ତି ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)