Rough Road Photograph: (OTV)
ପାଦେ ପାଦେରେ ବିପଦ। ରାସ୍ତାସାରା ଖାଲଖମା। କେଉଁଠି ରାସ୍ତା ଉପରୁ ପିଚୁ ଉଠିଯାଇ ଗୋଡି ଦେଖାଗଲାଣି ତ, ଆଉ କେଉଁଠି ରାସ୍ତାରେ ବଡ଼ ବଡ଼ ଗାତ। କେନ୍ଦ୍ରାପଡା ଜିଲ୍ଲା ରାଜକନିକାର କନପୁର ଠାରୁ ଦୋମଣ୍ଡା ଯାଇଥିବା ୫କିମି ରାସ୍ତାର ଏ ଅବସ୍ଥା। ରାତି ପାହିଲେ ୧୫ଟି ପଂଚାୟତର ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ରାଜକନିକା ସଦର ମହକୁମାରେ ଥିବା ବ୍ଲକ, ତହସିଲ, ମେଡ଼ିକାଲ ଓ ଥାନାକୁ ଜରୁରୀ କାର୍ଯ୍ୟ ପାଇଁ ଏହି ରାସ୍ତା ଦେଇ ଯିବାକୁ ହୁଏ।
ଏ ରାସ୍ତା ଏତେ ବିପର୍ଯ୍ୟସ୍ତ ଯେ, ରୋଗୀଟିଏ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବାଟରେ ହୁଏତ ଜୀବନ ଚାଲିଯାଇପାରେ। ତେବେ ରାସ୍ତାର ସ୍ଥାୟୀ ମରାମତି ପାଇଁ ବାରମ୍ବାର ଲୋକ ପ୍ରତିନିଧି ଓ ବିଭାଗ ନିକଟରେ ଦାବି ହେଉଥିଲେ ମଧ୍ୟ କିଛି ବି ସୁଫଳ ମିଳୁ ନାହିଁ, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ସବୁଠୁ ବଡ଼ କଥା ହେଉଛି, ଜିଲ୍ଲା ବାହାରୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ଏହି ରାସ୍ତା ଦେଇ ଭଦ୍ରକର ଆରଡ଼ିରେ ଥିବା ପ୍ରସିଦ୍ଧ ଶୈବ ପୀଠ ଆଖଣ୍ଡଳମଣିଙ୍କ ପାଖକୁ ଦର୍ଶନ ପାଇଁ ଯାଇଥାନ୍ତି। କିନ୍ତୁ ଏହି ରାସ୍ତାଟି ଏବେ ଯାତାୟାତର ମୁଖ୍ୟ ସମସ୍ୟା ପାଲଟିଛି। କହିବାକୁ ଗଲେ ପ୍ରଶାସନିକ ଅବହେଳାରୁ ରାସ୍ତାଟି ଏବେ ଶୋଚନୀୟ ହୋଇପଡ଼ିଛି। ରାସ୍ତା ଖରାପ ଯୋଗୁଁ ରାତି ପାହିଲେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ରାସ୍ତାର ଦୁରବସ୍ଥାକୁ ନେଇ ଲୋକେ ଏବେ ତ୍ରାହି ତ୍ରାହି ଡାକିଲେଣି। ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏନେଇ ମୁହଁ ଖୋଲୁ ନାହାନ୍ତି।
ଏଭଳି ରାସ୍ତା ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏନେଇ ଖୁବଶୀଘ୍ର କନପୁର-ଦୋମଣ୍ଡା ରାସ୍ତାର ସ୍ଥାୟୀ ମରାମତି ନେଇ ଦାବି କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/28/rough-road-2025-12-28-10-24-01.jpg)