cyclone
- ପଶ୍ଚିମରେ ତାଉତେ ପରେ ପୂର୍ବକୁ ୟାସ୍ ଡର
- ମାଡ଼ି ଆସୁଛି ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ସାମୁଦ୍ରିକ ଝଡ଼
- ୨୬ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିପାରେ
- ପୂର୍ବାନୁମାନ କଲା ଭାରତୀୟ ପାଣିପାଗ ବିଭାଗ
- ସମ୍ଭାବ୍ୟ ବାତ୍ୟାକୁ ଦେଖି ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ସରକାରୀ ପ୍ରସ୍ତୁତି
ଭୁବନେଶ୍ୱର: ପଶ୍ଚିମରେ ତାଉତେ ପରେ ପୂର୍ବ ଭାରତକୁ ଡରାଇଲାଣି। ସମ୍ଭାବ୍ୟ ବାତ୍ୟା ୟାସ୍ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଏହି ସାମୁଦ୍ରିକ ଝଡ଼ ଆସନ୍ତା ୨୬ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି IMD। ସେପଟେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ସଜାଗ ହୋଇଛନ୍ତି ରାଜ୍ୟ ସରକାର। ସ୍ୱତନ୍ତ୍ର ରିଲିଫ୍ କମିଶନର୍ ଆଜି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ସହ ଏ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।
ଉପୂକଳ ଓଡ଼ିଶାକୁ ସମ୍ଭାବ୍ୟ ବାତ୍ୟା ବିପତ୍ତି। ଦେଶର ପଶ୍ଚିମ ରାଜ୍ୟରେ ବାତ୍ୟା ତାଉତେ ତାଉ ଦେଖାଇବା ପରେ ଏବେ ପୂର୍ବରେ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଡରାଇଲାଣି ସମ୍ଭାବ୍ୟ ବାତ୍ୟା ୟାସ୍ । ୟାସକୁ ନେଇ ଭାରତୀୟ ପାଣିପାଗ ବିଭାଗର ସର୍ବଶେଷ ଆକଳନ ଅନୁଯାୟୀ ଆସନ୍ତା ୨୨ରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ସୃଷ୍ଚି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର। ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ସୁଦ୍ଧା ବାତ୍ୟାରେ ରୂପ ନେବା ଅନୁମାନ କରାଯାଉଛି। ପରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୬ ତାରିଖ ସକାଳେ ଉତ୍ତର ବଙ୍ଗୋପସାଗରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବ। ଏହାର ପ୍ରଭାବରେ ୨୧ ତାରିଖରୁ ଆଣ୍ଡାମାନ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପାସଗରେ ପବନର ବେଗ ବଢ଼ିବାକୁ ଥିବାରୁ ୨୧ରୁ ୨୪ ଯାଏଁ ମତ୍ସ୍ୟଜୀବୀଙ୍କୁ ସମଦ୍ରକୁ ଯିବାକୁ ବାରଣ କରାଯାଇଛି।
ସେହିଭଳି ୨୪ରୁ ୨୭ ଯାଏଁ ମତ୍ସ୍ୟଜୀବୀଙ୍କୁ ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରକୁ ନଯିବାକୁ ସତର୍କ କରିଛି ଆଇଏମଡ଼ି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୫ରୁ ଉପକୂଳ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ବାତ୍ୟା ୟାସ୍ କେଉଁ ଅଞ୍ଚଳରେ ଏବଂ କେତେବେଳେ ଉପକୂଳ ଅତିକ୍ରମ କରିବ, ତାହା ସ୍ପଷ୍ଟ ହୋଇନି। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାପରେ ୨୩ ତାରିଖ ବେଳକୁ ଏହାର ରୂପରେଖ ଓ ଗତିପଥ ସମ୍ପର୍କରେ ସଠିକ୍ ସୂଚନା ମିଳିବ ବୋଲି କହିଛନ୍ତି IMD DG।
ଏପଟେ ସମ୍ଭାବ୍ୟ ବାତ୍ୟା ୟାସର ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ମାନବ ସମ୍ବଳ, ଯନ୍ତ୍ରପାତି ଓ ସାଜ ସରଞ୍ଜାମ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଏହାସହ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟ ଭିତ୍ତିଭୂମି ଯାଞ୍ଚ୍ ସହ ସଜାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ ଅଗ୍ନିଶମ, ଓଡ୍ରାଫ, ଏନଡ଼ିଆରଏଫକୁ କେଉଁ କେଉଁ ସ୍ଥାନକୁ ପଠାଯିବ ତାର ବି ପ୍ଲାନ୍ ପ୍ରସ୍ତୁତ ହୋଇଛି। ବିଭିନ୍ନ ବିଭାଗ ସହ ବୈଠକ କରି ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।
ବିଜୁଳି, ପାନୀୟ ଜଳ, ସୁଖିଲା ଖାଦ୍ୟ ଏବଂ ଅନ୍ୟ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀର ସୁବନ୍ଦୋବସ୍ତ ସହ ପ୍ରସ୍ତୁତ ରହିବେ। ସଂପୃକ୍ତ ବିଭାଗ ବାତ୍ୟା ପରେ ତୁରନ୍ତ ଗଛ କଟା ଓ ରାସ୍ତା ସଫା ଲାଗି ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କୋଭିଡ୍ ଦ୍ୱିତୀୟ ଲହରୀର ପ୍ରକୋପ ଭିତରେ ବାତ୍ୟା ଆସୁଥିବାରୁ ସଂକ୍ରମଣ ଏଡ଼ାଇବାକୁ ଅଧିକ ବାତ୍ୟା ଆଶ୍ରୟ ସ୍ଥଳରେ ଲୋକଙ୍କୁ ରଖିବାକୁ ବ୍ୟବସ୍ଥା କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cyclone-3_1626256982.jpg)