/odishatv-khabar/media/media_files/2026/02/20/police-reveal-shocking-details-rinku-shot-2026-02-20-19-53-10.jpg)
ଖୋଲିଲା କଟକ ରିଙ୍କୁ ହତ୍ୟା ମାମଲାର ମହାଗୁମର Photograph: (OTV)
ସାମାନ୍ୟ ଥଟ୍ଟାମଜାରୁ ରକ୍ତପାତ। ଭାଇଚାରାର ସହରରେ ଗଡ଼ିଲା ମୁଣ୍ଡ। ନିଶାଡ଼ିଙ୍କ ଆଡ୍ଡା ପାଲଟିଥିବା ପରିତ୍ୟକ୍ତ ସରକାରୀ କ୍ବାଟର କେମିତି ପାଲଟିଗଲା ହତ୍ୟାର ଠିକଣା, କଟକ ନୂଆପଡ଼ା ପ୍ରେସ୍ କଲୋନୀର ସୌମ୍ୟରଂଜନ ଓରଫ୍ ରିଙ୍କୁ ହତ୍ୟା ମାମଲାରେ ହୋଇଛି ବଡ଼ ଖୁଲାସା।
ଅଭିଜିତ ମହାନ୍ତି ଓରଫ୍ ନାଣ୍ଡୁର ବନ୍ଧୁକରେ ନିଶାଗ୍ରସ୍ତ ଅବସ୍ଥାରେ ଉତ୍କଳ କେଶରୀ ପଶାୟତ ଓରଫ ହୁକୁ କେମିତି ଓ କାହିଁକି ରିଙ୍କୁଙ୍କୁ ଗୁଳି କରିଦେଲା, ଡିସିପି ବଖାଣିଛନ୍ତି। ଏହି ହତ୍ୟା ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଥିବାବେଳେ ଭଉଣୀ କହିଛନ୍ତି ୮ ଲକ୍ଷର ସୁନା ଚେନ୍ ପାଇଁ ଭାଇକୁ ହତ୍ୟା କରାଯାଇଛି।
ହଜାରେ ବର୍ଷର ସହରର ପରିତ୍ୟକ୍ତ ଘରେ ମଣିଷ ହତ୍ୟାର ପାପ କାହାଣୀ। ନିଶାରେ ଚୁର୍ ହୋଇ ପଥଭ୍ରଷ୍ଟ ଯୁବକ ଥଟ୍ଟା ମଜାରେ କେମିତି ଜଣେ କ୍ରିକେଟ୍ ଖେଳାଳୀକୁ ଦିନ ଦ୍ବି ପହରରେ ମାରିଦେଲେ ଗୁଳିକରି, ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ। ସୌମ୍ୟରଂଜନ ଜେନା ଓରଫ୍ ରିଙ୍କୁ ହତ୍ୟା ମାମଲାରେ ୫ ଯୁବକ କେମିତି ରଚିଥିଲେ ଷଡ଼ଯନ୍ତ୍ର, ଖୁଲାସା କରିଛନ୍ତି କଟକ ଡିସିପି।
ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୨ଟା। ଏ ହେଉଛି ନୂଆପଡ଼ା ଇଲାକାର ସରକାରୀ ପ୍ରେସର ପରିତ୍ୟକ୍ତ କ୍ୱାର୍ଟର ଗୁଡ଼ିକ। ଯେଉଁଠି ଏକାଠି ହୋଇଥିଲେ ରିଙ୍କୁ ସହ ଉତ୍କଳ କେଶରୀ ପଶାୟତ ଓରଫ୍ ହୁକୁ, ଅଭିଜିତ ମହାନ୍ତି ଓରଫ୍ ନାଣ୍ଡୁ, ପ୍ରିୟବ୍ରତ ତ୍ରିପାଠୀ ଓରଫ୍ ପୋଡ଼ା, ହିମାଂଶୁ ଶେଖର ନାୟକ ଓରଫ୍ ବାଉଁ ଏବଂ ରୁଦ୍ରପ୍ରସାଦ ଚାନ୍ଦ ଓରଫ୍ ଓମ୍। ମଦ୍ୟପାନ କରି ସମସ୍ତେ ଥିଲେ ନିଶାରେ।
ସେହି ସମୟରେ ସକିଲ୍ ଗ୍ୟାଙ୍ଗ୍ ସହ ଜଡ଼ିତ ତଥା ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ନାଣ୍ଡୁ ତା ବନ୍ଧୁକକୁ ହୁକୁ ହାତରେ ଧରାଇ ଦେଇଥିଲା। ସେହି ବନ୍ଧୁକ ଧରି ବାହାରକୁ ଆସିଥିଲା ହୁକୁ। ଠିକ୍ ଏତିକିବେଳେ ହୁକୁ ଅବିବାହିତ ରିଙ୍କୁକୁ କାହିଁକି ବାହା ହେଉନୁ, ଖାଲି କ୍ରିକେଟରେ ମାତିଛୁ ବୋଲି କହିଥିବା ବେଳେ ରିଙ୍କୁ ବି ଛିଗୁଲାଇ ହୁକୁକୁ କହିଥିଲେ ବନ୍ଧୁକ ଚଲାଇ ଆସେ ନା ଖାଲି ଏମିତି ଧରିଛୁ। ବାସ୍ ଏତିକି କଥାରେ କ୍ଲୋଜ୍ ରେଞ୍ଜରୁ ରିଙ୍କୁର ପେଟ ଏବଂ ଛାତି ମଝିରେ ଫାୟାରିଂ କରିଦେଲା ହୁକୁ। ଏହାପରେ ମଜାରେ କହୁଥିଲି, ସତରେ ହୁକୁ ତୁ ଗୁଳିମାରିଦେଲୁ କହି ରିଙ୍କୁ ଟଳିପଡ଼ିଥିଲେ ସେଠାରେ।
ଗୁଳି କରିବା ପରେ ବୁଦ୍ଧିଶୂନ୍ୟ ହୋଇପଡ଼ିଥିବା ହୁକୁ ସହ ପୋଡ଼ା, ବାଉଁ ଏବଂ ଓମ୍ ଭୁବନେଶ୍ବରର ଏକ ଅପରାଧିକ ମାମଲାରେ ଲୁଚି ବୁଲୁଥିବା ନାଣ୍ଡୁକୁ ଫସାଇବା ପାଇଁ ଯୋଜନା କରିଥିଲେ। ଏପରିକି ରିଙ୍କୁଙ୍କ ଭାଇକୁ ଫୋନ୍ କରି ପ୍ରଥମେ ଦୁର୍ଘଟଣା କଥା କହିଥିଲେ, ପରେ SCB ମେଡ଼ିକାଲରେ ନାଣ୍ଡୁ ଗୁଳି କରିଥିବା କହିଥିଲେ। କିନ୍ତୁ ରିଙ୍କୁଙ୍କ ଭାଇ ମୂଳରୁ ହିଁ ହୁକୁକୁ ସନ୍ଦେହ କରି ଆସୁଥିଲେ।
ଡିସିପିଙ୍କ କହିବା କଥା, ରିଙ୍କୁଙ୍କୁ ଯଦି ତୁରନ୍ତ ମେଡ଼ିକାଲ୍ ନିଆଯାଇଥାନ୍ତା, ହୁଏତ ବଞ୍ଚିଯାଇଥାନ୍ତେ। ସେପଟେ ରିଙ୍କୁଙ୍କ ଭଉଣୀଙ୍କ ଅଭିଯୋଗ, ରିଙ୍କୁଙ୍କ ବେକରେ ଥିବା ୮ ଲକ୍ଷର ସୁନା ଚେନ୍ ଲୁଟିବା ପାଇଁ ହତ୍ୟା କରାଯାଇଛି।
ମାମଲାରେ ପୋଲିସ ବନ୍ଧୁକ, ୨ଟି ସ୍କୁଟି, କାର୍ ସହ ମୋବାଇଲ ଫୋନ ଜବତ୍ କରିଛି। ତେବେ ଯେଉଁଠି ଅସାମାଜିକ ସଂଗଠିତ ହେଉଛନ୍ତି, ତିଆରି କରୁଛନ୍ତି ଅପରାଧର ରଣନୀତି, ସେହି ଇଲାକାରେ ନିଜର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ସ୍ଥାନୀୟ ବାସିନ୍ଦା। କାରଣ ନୂଆପଡ଼ା ଇଲାକାର ରାଜ୍ୟ ସରକାରୀ ପ୍ରେସର ଏକାଧିକ କ୍ୱାର୍ଟର ପଡ଼ିରହିଛି ପରିତ୍ୟକ୍ତ ଅବସ୍ଥାରେ। ଯାହା ନିଶାଡ଼ି ଓ କ୍ରିମିନାଲଙ୍କୁ ବେଶ୍ ସୁହାଉଛି। ପୋଲିସର ଆତଯାତ ନଥିବାରୁ ଅନୈତିକ କାର୍ଯ୍ୟକଳାପ ଚାଲୁଛି ଏଭଳି ପରିତ୍ୟକ୍ତ ଘରେ।
ପୂର୍ବରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ବି ରହିଛି, ସହରର ବିପଦସଙ୍କୁଳ ତଥା ପରିତ୍ୟକ୍ତ ଘର କିମ୍ବା ବିଲଡିଂକୁ ଭାଙ୍ଗିବା ପାଇଁ। କିନ୍ତୁ କେହି ଶୁଣୁନାହାନ୍ତି। ପରିଣାମ ସ୍ବରୂପ ଏବେ ଜଣଙ୍କ ମୁଣ୍ଡ ଗଡ଼ିଛି।
ତେବେ ମୁଣ୍ଡ ଗଡ଼ିବା ପରେ ଅପରାଧ ଆଉ ଅପରାଧିଙ୍କ ଆଡ୍ଡା ପାଲଟିଥିବା ଏହି ପରିତ୍ୟକ୍ତ ଘର ଆଉ କୋଠାବାଡ଼ିକୁ କେବେ ଧରାଶାୟୀ କରୁଛି ପୋଲିସ, ତାକୁ ଅପେକ୍ଷା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)