/odishatv-khabar/media/post_attachments/uploadimage/library/16_9/16_9_0/lockdown_1621324505.jpg)
lockdown
ଭୁବନେଶ୍ୱର: ଆଜି ଦିନ ୧ଟା ୪୫ରେ ମୁଖ୍ୟ ଶାସନ ସଚିବ ପ୍ରେସମିଟ୍ କରିବେ। କରୋନା ସଂପର୍କରେ କିଛି ବଡ଼ ଘୋଷଣା କରିବା ସମ୍ଭାବନା ରହିଛି। ତେବେ ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ୍ ଆସନ୍ତାକାଲି ଶେଷ ହେଉଥିବାରୁ ଆଜିର ପ୍ରେସମିଟ୍କୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ପୁଣି ଥରେ ଲକଡାଉନ୍ ବଢିବାର ସମ୍ଭାବନା ମଧ୍ୟ ରହିଛି। ହେଲେ ଏଠାରେ ଆମେ ସ୍ପଷ୍ଟ କରୁଛୁ ଯେ, ଲକଡାଉନ୍ ବଢିବା ନେଇ ସରକାରୀ ଭାବେ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।
ତେବେ ଆଜି ବି ୧୦ ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୧୦,୭୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦, ୩୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧,୫୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ ସୁନ୍ଦରଗଡ଼ରୁ ୮୧୯ ଓ କଟକରୁ ୭୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୨୨ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୩୫୭କୁ ବୃଦ୍ଧି ପାଇଛି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୫,୭୭୯ ଓ ଲୋକାଲ୍ କଣ୍ଟାକ୍ଟସ୍ ୪,୫୪୨ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬,୩୩,୩୦୨ରେ ପହଞ୍ଚିଛି। ସେହିପରି ଆକ୍ଟିଭ୍ କେସ୍-୧,୦୪,୫୩୯ ଥିବାବେଳେ ୫,୨୬,୩୫୩ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଲକଡାଉନ୍ ଲାଗୁ ହେବାର ୧୩ ଦିନ ବିତି ଯାଇଥିଲେ ବି ରାଜ୍ୟରେ ତଳମୁହାଁ ହେଉନି କରୋନା ଗ୍ରାଫ୍। ମେ ଆରମ୍ଭରୁ ରାଜ୍ୟରେ ଯେଉଁ ଟ୍ରେଣ୍ଡ ଚାଲିଥିଲା ଏବେ ବି ଉଣାଅଧିକ ସେୟା ରହିଛି। ଏହାବ୍ୟତୀତ ସଂକ୍ରମଣ ଏବେ ଗାଁ ମୁହାଁ ହୋଇଥିବାରୁ ଚିନ୍ତା ବଢୁଛି। ତେଣୁ ଏହା ଉପରେ ଫୋକସ୍ କରି ଲକଡାଉନ୍କୁ ଆହୁରି କଡ଼ାକଡ଼ି କରାଯିବା ପାଇଁ ପରାମର୍ଶ ଦେଇଥିଲେ ପୂର୍ବତନ ପୋଲିସ୍ ଡିଜିପି। ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି କରୋନା ସଂକ୍ରମଣ ଏବେ ପ୍ଳାଟ ସ୍ଥିତିରେ ରହିଛି, ଆସନ୍ତା ସପ୍ତାହ ପରେ ଏହା ଧୀରେ ଧୀରେ କମିବ।
ମେ ରେ କରୋନା ବିସ୍ଫୋରକ ରୂପ ନେଇଛି। ପହିଲାରେ ୧୦ ହଜାର ୪୧୩ ପଜିଟିଭ୍ ପରେ ଲଗାତାର ୪ ଦିନ କମିଥିଲା ସଂକ୍ରମିତଙ୍କ ସଂଖ୍ୟା। ତେବେ ୭ ତାରିଖରେ ଦୈନିକ ସଂକ୍ରମଣ ୧୨ ହଜାର ପାର କଲା ଆଉ ୧୪ ତାରିଖରେ ୧୨ ହଜାର ୩୯୦ ପଜିଟିଭ୍ ସହ ସର୍ବକାଳୀନ ଦୈନିକ ପଜିଟିଭର ଅଲୋଡ଼ା ରେକର୍ଡ ହେଲା। ଚଳିତ ମାସରେ ଏଯାଏଁ ପଜିଟିଭ୍ ଟ୍ରେଣ୍ଡ ୧୦ ହଜାରରୁ ୧୨ ହଜାର ପାଖାପାଖି ଲାଗି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)