/odishatv-khabar/media/post_attachments/uploadimage/library/16_9/16_9_0/kharabala-up_1626417123.jpg)
kharabala-up
ଭୁବନେଶ୍ୱର : କାଶୀପୁରରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ଅାକ୍ରମଣ କରୁଥିବା ଏ ଯୁବକ ସୁମନ୍ତ ନାୟକ କେଉଁ ଦଳର ? କାହା ପ୍ରରୋଚନା ଏବଂ କାହା ଇଙ୍ଗିତରେ ଜଣେ ପ୍ରତିଷ୍ଠିତ ରାଜନୈତିକ ବ୍ୟକ୍ତିତ୍ୱଙ୍କ ଉପରେ ଏଭଳି ହିଂସା ? ଅାକ୍ରମଣକାରୀ ଯୁବକ ବିଜେଡିର ବୋଲି ନିଜେ ଖାରବେଳ ଅଭିଯୋଗ କରିଥିଲା ବେଳେ ଅାଜି ବିଜେପି ଅାଣିଛି ଅାଉ ଏକ ସାଂଘାତିକ ଅଭିଯୋଗ। କହିଛି ଖାରବେଳଙ୍କୁ ଅାକ୍ରମଣ କରିଥିବା ଦୁଇ ଯୁବକ ସୁମନ୍ତ ନାୟକ ଓ କୃଷ୍ଣ ନାୟକ ବିଜୁ ଯୁବ ବାହିନୀର ସଦସ୍ୟ।
ଏପରିକି କୃଷ୍ଣ ଯୁବ ବାହିନୀ ସଦସ୍ୟ ଭାବେ ମାସକର ଦରମା ବି ନେଇଥିବା ଏବଂ ସେ ଜଣେ ବିଜେଡି ନେତାଙ୍କ ଡ୍ରାଇଭର ଥିଲେ ବୋଲି ଅଭିଯୋଗ କରିଛନ୍ତି ଦଳର ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର। ତେବେ କାର୍ନାମା ଧରାପଡ଼ିଯିବା ଭୟରେ ଘଟଣା ପରେ ଉଭୟଙ୍କୁ ବିଜୁ ଯୁବ ବାହିନୀ ତାଲିକାରୁ କାଟି ଦିଅାଯାଇଥିବା ଭୃଗୁ କହିଛନ୍ତି।
ସେପଟେ ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ମଧ୍ୟ ଅାକ୍ରମଣକାରୀ ଯୁବକ ବିଜେଡିର ବୋଲି କହିଛନ୍ତି। ତେବେ ବିଜେଡି କହିଛି ଦଳକୁ ନିନ୍ଦିତ କରାଯିବାକୁ ଏଭଳି ଅଭିଯୋଗ ହେଉଛି। ଏପରିକି ଏହା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଅପପ୍ରଚାର ବୋଲି କହିଛନ୍ତି ରାୟଗଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସଂଜୟ ଦାଶବର୍ମା।
ସେପଟେ ଖାରବେଳଙ୍କୁ ଅାକ୍ରମଣ ଘଟଣାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଘଟଣାରେ ଅଭିଯୁକ୍ତ ସୁମନ୍ତ ନାୟକଙ୍କୁ ଗିରଫ କରାଯାଇଛି ଏବଂ ଏହି ଘଟଣା ପଛରେ କଣ ରହିଛି ଷଡ଼ଯନ୍ତ୍ର ସେ ନେଇ ତଦନ୍ତ ହେବ ବୋଲି ପୁଲିସ୍ ଡିଜି କହିଛନ୍ତି। ସେପଟେ ପୂର୍ବରୁ ତାଙ୍କୁ ହୋଇଥିବା ଅାକ୍ରମଣରେ କାହାକୁ ଗିରଫ କରାଯାଇ ନଥିବାରୁ ତାଙ୍କ ଉପରେ ଏଭଳି ଅାକ୍ରମଣ ବଢୁଥିବା କହିଛନ୍ତି ଖାରବେଳ।
ଖାରବେଳ ସ୍ୱାଇଁଙ୍କଠୁ ଅାରମ୍ଭ କରି ଦାମୋଦର ରାଉତ, ବୈଜୟନ୍ତ ପଣ୍ଡାଙ୍କ ପର୍ଯ୍ୟନ୍ତ ସରକାରଙ୍କ ବିରୋଧରେ ମୁଁହ ଖୋଲୁଥିବା ନେତାଙ୍କ ବିରୋଧରେ ଏଭଳି ବଢି ଚାଲିଥିବା ହିଂସା ଓ ଅସହିଷ୍ଣୁତାର ରାଜନୀତି ଅାଗାମୀ ଦିନରେ ବିଜ଼େଡି ପାଇଁ ଘାତକ ସାଜିପାରେ ବୋଲି ଚର୍ଚ୍ଚା ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)