/odishatv-khabar/media/post_attachments/uploadimage/library/16_9/16_9_0/vprsdvkeqvm_1620837549.jpg)
Corona Virus
- ରାଜ୍ୟରେ କରୋନାର ବିସ୍ଫୋରକ ସ୍ଥିତି
- ୫ ଜଣଙ୍କୁ ଟେଷ୍ଟ କଲେ ଜଣେ ପଜିଟିଭ୍
- ଖୋର୍ଦ୍ଧା, ସୁନ୍ଦରଗଡ଼ ସହ ୮ ଜିଲ୍ଲାରେ ପ୍ରାୟ ୫୮ ପ୍ରତିଶତ ଆକ୍ଟିଭ୍ କେସ୍
- କ୍ରିଟିକାଲ୍ କେୟାର ବେଡ୍ ଉପରେ ପ୍ରବଳ ଚାପ
- ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ଭୁବନେଶ୍ୱର: ରାଜ୍ୟରେ କରୋନାର ବିସ୍ପୋରକ ସ୍ଥିତି। ୫ ଜଣଙ୍କୁ ପରୀକ୍ଷା କଲେ ଜଣେ ପଜିଟିଭ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧା, ସୁନ୍ଦରଗଡ଼ ସମେତ ୮ଟି ଜିଲ୍ଲାରେ ତ ସ୍ଥିତି ଉଦବେଗଜନକ ରହିଛି। ଏସବୁ ଦୃଷ୍ଟିରୁ ଆଗକୁ ପ୍ରତିଦିନ ୬୦ ହଜାର ଟେଷ୍ଟିଂ ପାଇଁ ଲକ୍ଷ୍ୟ ରଖିବା ସହ ଏବେଠୁ ତୃତୀୟ ଲହରକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ସେପଟେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋନା ବେଳେ ଆଗାମୀ ୧୫ ଦିନ ଚାଲେଞ୍ଜିଂ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିବା ସହ ତୃଣମୂଳସ୍ତରରେ ସବୁ ରାଜନୈତିକ ଦଳର ନେତାଙ୍କୁ ନେଇ କୋଭିଡ୍ କ୍ରାଇସିସ୍ ମ୍ୟାନେଜମେଂଟ୍ କମିଟି ଗଠନ ଲାଗି ପରାମର୍ଶ ଦେଇଛନ୍ତି।
୭ ରେ ୧୨ ହଜାର ଡେଇଁଥିବା ସଂକ୍ରମିତଙ୍କ ସଂଖ୍ୟା ୩ ଦିନ ଧରି ୧୦ ହଜାର ଉପରେ ଟ୍ରେଣ୍ଡ କରିବା ପରେ କାଲି ଟିକେ ତଳକୁ ଖସିଥିଲା। ହେଲେ ଆଜି ପୁଣି ୧୧ ହଜାର ପାଖାପାଖି(୧୦,୯୮୨) ୨୪ ଘଣ୍ଟାରେ ଆଉ ୧୭ ଜୀବନ ବି ନେଇଛି ମହାମାରୀ। ହେଲେ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି ସ୍ଥିତି ଏମିତି ହେଲାଣି ଯେ ରାଜ୍ୟରେ ୫ ଜଣଙ୍କୁ ଟେଷ୍ଟ କଲେ ସେଥିରୁ ଜଣେ ପଜିଟିଭ୍ ବାହାରୁଛନ୍ତି। ଖୋର୍ଦ୍ଧା,ସୁନ୍ଦରଗଡ଼, କଟକ, ଅନୁଗୁଳ, ସମ୍ବଲପୁର, ପୁରୀ, ବରଗଡ଼, ଝାରସୁଗୁଡା ଭଳି ୮ଟି ଜିଲ୍ଲାରେ ସ୍ଥିତି ତ ଆହୁରି ଜଟିଳ ହେଲାଣି।
ଏସବୁ ଜିଲ୍ଲାରେ ପ୍ରାୟ ୫୮ ପ୍ରତିଶତ ଆକ୍ଟିଭ୍ କେସ୍ ରହିଛି। ସବୁ ପଦକ୍ଷେପ ସତ୍ତ୍ୱେ ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲା ସ୍ଥିତିରେ ତ ସୁଧାର ଆସୁନି। ଆନ୍ଧ୍ର ଓ ପଶ୍ଚିମବଙ୍ଗ ସୀମାନ୍ତ ଜିଲ୍ଲାଗୁଡ଼ିକରେ ବି ସଂକ୍ରମଣ ହାର ବଢୁଥିବାରୁ ସରକାରଙ୍କ ଚିନ୍ତା ବଢିଛି। ତେଣୁ ହସ୍ପିଟାଲ୍ ଉପରେ ବି ଚାପ ବଢିଚାଲିଛି। ଏବେସୁଦ୍ଧା ରାଜ୍ୟର ପ୍ରାୟ ୭୭ ପ୍ରତିଶତ ଆଇସିୟୁ ଓ ଏଚଡିୟୁ ବେଡ଼ ପୂରଣ ହୋଇସାରିଛି। ଯୁଦ୍ଧକାଳୀନ ଭିତ୍ତିରେ ଅଧିକରୁ ଅଧିକ ବେଡ଼ ବ୍ୟବସ୍ଥା କରିବାକୁ ଯୋଜନା ଚାଲିଛି। ବିଶେଷ କରି ଆଇସିୟୁ ଓ ଅକ୍ସିଜେନେସନ୍ ବେଡ୍ ବଢ଼ାଇବାର ଚେଷ୍ଟା ଜାରିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ହେଲେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧିନ ଥିବା ସେ ସୂଚନା ଦେଇଛନ୍ତି।
ଏଭଳି ସ୍ଥିତିରେ ଗତକାଲି କୋଭିଡ ସ୍ଥିତି ସମୀକ୍ଷାବେଳେ ତୃତୀୟ ଲହର ଲାଗି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସମସ୍ତଙ୍କୁ ସୁରକ୍ଷିତ ରଖିବା ଲାଗି ଟୀକାକରଣ ହିଁ ଏକମାତ୍ର ମାଧ୍ୟମ ହୋଇଥିବାରୁ ଗ୍ଲୋବଲ୍ ଟେଣ୍ଡର କରି ଟିକା ସଂଗ୍ରହ ଉପରେ ଫୋକସ୍ କରୁଛନ୍ତି ରାଜ୍ୟ ସରକାର। ଏପଟେ ବିଶେଷଜ୍ଞଙ୍କର ବି ମତ ଦ୍ୱିତୀୟ ଲହର ପରେ ଆସିବାକୁ ଥିବା ତୃତୀୟ ଲହରରୁ ସୁରକ୍ଷିତ ରହିବା ଲାଗି ଟିକାକରଣ ହିଁ ଫଳପ୍ରଦ ବାଟ।
ଲକଡାଉନ୍ ହେଉ କିମ୍ବା ସଟଡାଉନ୍ ସତ୍ତ୍ୱେ ବି ନା ସଂକ୍ରମଣ ଥମୁଛି ନା ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁଛି। ବିଶେଷ କରି ଏଇ ମେ ମାସ ସବୁଠୁ ଘାତକ ଥିବାରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ କଥା ହୋଇଥିବା ନେଇ ଟୁଇଟ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ସେ କହିଛନ୍ତି ଯେ, ଆଗାମୀ ୧୫ ଦିନ ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ସଠିକ୍ କୋଭିଡ୍ ମୁକାବିଲା ଲାଗି ସବୁ ଗାଁ ଓ ଓ୍ୱାର୍ଡସ୍ତରରେ ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ନେଇ କୋଭିଡ୍ କ୍ରାଇସିସ୍ ମ୍ୟାନେମେଂଟ୍ କମିଟି ଗଠନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର।
#୫_ଜଣରେ_ଜଣେ_ପଜିଟିଭ
ରାଜ୍ୟରେ କରୋନାର ବିସ୍ପୋରକ ସ୍ଥିତି। ପ୍ରତି ୫ ଜଣରେ ଜଣେ ପଜିଟିଭ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧା, ସୁନ୍ଦରଗଡ଼ ସମେତ ୮ଟି ଜିଲ୍ଲାର ସ୍ଥିତି ଉଦବେଗଜନକ। ଏସବୁ ଦୃଷ୍ଟିରୁ ତୃତୀୟ ଲହରକୁ ନେଇ ସତର୍କ ରହିବାକୁ ପରାମର୍ଶ #Coronavirus#CoronaUpdate#Odisha#OTVpic.twitter.com/KZ9q0DWI5i— ଓଟିଭି (@otvkhabar) May 12, 2021
ଭୁବନେଶ୍ୱରରୁ ଜଗଦୀଶ ଦାସ ଓ ହରିହର ଚାନ୍ଦଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)