/odishatv-khabar/media/post_attachments/uploadimage/library/16_9/16_9_0/deive_1620727912.jpg)
Drive
ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ସହରାଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ଲାଗି ଚାଲିଛି ଟିକାକରଣ। ରାଉରକେଲାରେ ଗୋଟିଏ ଦିନ ବ୍ୟବଧାନରେ ଟିକା ଦିଆଯିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୋଟିଏ ଦିନ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଥିବାବେଳେ ପରଦିନ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବ କୋଭିଡର ଦ୍ୱିତୀୟ ଡୋଜ ଟିକା। ମେ ମାସ ୧୧, ୧୩, ୧୫, ୧୮ ୨୦ ଓ ୨୨ ତାରିଖରେ ୧୮ରୁ ୪୪ ବର୍ଷ ବର୍ଗ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ସୂଚନା ମିଳିଛି। ସେହିପରି ମେ ୧୨, ୧୪, ୧୭, ୧୯ ଏବଂ ୨୧ ତାରିଖରେ ରାଉରକେଲାରେ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ କୋଭିଡର ଦ୍ୱିତୀୟ ଡୋଜ୍ ଟିକା ଦେବାକୁ ତାରିଖ ସ୍ଥିର ହୋଇଛି।
ତେବେ ଦ୍ୱିତୀୟ ଡୋଜ୍ ଟିକା ଲାଗି ଅନଲାଇନ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ। କିନ୍ତୁ ୧୮ ରୁ ୪୪ ବର୍ଷ ପାଇଁ ଅନଲାଇନ ପଞ୍ଜୀକରଣ ବାଧ୍ୟତାମୂଳକ ବୋଲି କୁହାଯାଇଛି। ରାଉରକେଲାରେ ଆଇଜିଏଚ୍, ପାନପୋଷ ୟୁସିଏଚସି, ରିଜର୍ଭ ପୋଲିସ ହସ୍ପିଟାଲ, ସେର-୬ ହସ୍ପିଟାଲ, ଆରଜିଏଚ୍, ବନ୍ଧମୁଣ୍ଡା ରେଲୱେ ହସ୍ପିଟାଲ, ଫର୍ଟିଲାଇଜର ଟାଉନସିପର ସେଲ୍ ହେଲ୍ଥ ସେଣ୍ଟର ଓ ଇଏସ୍ଆଇ ହସ୍ପିଟାଲରେ ଟିକାକରଣ କେନ୍ଦ୍ର କରାଯାଇଛି।
ଏପଟେ ରାଜ୍ୟର ୫ ସହରରେ ଚାଲିଛି ବ୍ୟାପକ ଟିକାକରଣ ଅଭିଯାନ। ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଭୁବନେଶ୍ୱର ସମେତ ବ୍ରହ୍ମପୁରରେ ଡ୍ରାଇଭ୍ ଇନ୍ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରେ ଏସପ୍ଲାନେଡ୍ ମଲ୍ ପରି ଆଉ ୩ଟି ସ୍ଥାନରେ ଡ୍ରାଇଭ୍ ଇନ୍ ବ୍ୟବସ୍ଥା କରାଯାଇଛି। ସେଗୁଡ଼ିକ ହେଲା କଳ୍ପନାସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍, ସିମ୍ଫୋନି ମଲର ପାର୍କିଂ ଲଟ୍ ଏବଂ ପଟିଆ ସ୍ଥିତ କିଟ୍ ୟୁନିଭର୍ସିଟିର କ୍ରିକେଟ୍ ଷ୍ଟାଡିୟମ୍। ଏସବୁ ସ୍ଥାନରେ କେବଳ ୪୫ ବର୍ଷରୁ ଅଧିକ ବର୍ଗର ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ ବୋଲି ବିଏମ୍ସି କହିଛି। ଆଜିଠାରୁ ୧୫ ତାରିଖ ଯାଏଁ ଟିକାକରଣ ଚାଲିବ। ଗୋଟିଏ ଗୋଟିଏ ସ୍ଥାନରେ ଦୈନିକ ୩୦୦ ଲୋକଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି।
ସେପଟେ, ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଗ୍ରାଉଣ୍ଡରେ ଡ୍ରାଇଭ୍ ଇନ୍ ଅର୍ଥାତ ଗାଡ଼ିରେ ବସି ଟିକା ନେବାର ବ୍ୟବସ୍ଥା କରାଯାଇଛି। ନିଜେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ରୁତା କୁଲାଙ୍ଗେ ଖଲ୍ଲିକୋଟ କଲେଜ ଗ୍ରାଉଣ୍ଡକୁ ଯାଇ ଟିକାକରଣ ବ୍ୟବସ୍ଥା ତଦାରଖ କରିଥିଲେ। ବ୍ରହ୍ମପୁର ସହରର ୧୩ଟି ସ୍ଥାନରେ ଟିକା ଦିଆଯିବା ନେଇ ବ୍ୟବସ୍ଥା ହୋଇଛି। ସେ ସବୁ ମଧ୍ୟରେ ରହିଛି ସରକାରୀ ମ୍ୟୁନିସିପାଲିଟି ହାଇସ୍କୁଲ, ତେଲୁଗୁ ସରକାରୀ ହାଇସ୍କୁଲ, କୁଇନ ମିଶନ ହାଇସ୍କୁଲ, ରାମ ଲିଙ୍ଗମ ପାର୍କ ପ୍ରମୁଖ। ସକାଳ ୮ଟାରୁ ଦିନ ଗୋଟାଏ ଯାଏ ଏଠାରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ। ସେହିଭଳି ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏ ୪୫ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକା ଦିଆଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)