/odishatv-khabar/media/post_attachments/uploadimage/library/16_9/16_9_0/Child-Corona_1623253788.jpg)
Child-Corona
ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ବିପଦ ଟଳିବା ପୂର୍ବରୁ ଘାରିଲାଣି ସମ୍ଭାବ୍ୟ ତୃତୀୟ ଲହରର ଚିନ୍ତା। ସେପ୍ଟେମ୍ବର କିମ୍ବା ଅକ୍ଟୋବୋରରେ ତୃତୀୟ ଲହର ଆସିବା ନେଇ ସ୍ୱାସ୍ଥ୍ୟ ବିଶଷଜ୍ଞ ଆକଳନ କଲେଣି। ଆଉ ଏହା ପରେ ବଢ଼ିଛି ଟେନସନ୍। ତୃତୀୟ ଲହରରରେ ପିଲାମାନେ ବେଶୀ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ସରକାରଙ୍କ ସ୍ତରରେ ଏବେଠାରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଗଂଜାମରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀମାନେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଯାଂଚ କରୁଛନ୍ତି। ସେପଟେ ଡିଏମ୍ଇଟି କହିଛନ୍ତି, କୋଭିଡ୍ ନିୟମ ପାଳନ ଓ ବାପା-ମା ସଚେତନ ହେଲେ ଛୁଆମାନେ ସୁରକ୍ଷିତ ରହିପାରିବେ।
କରୋନାର ପ୍ରଥମ ଲହରରେ ଅଧିକ ଆକ୍ରାନ୍ତ ହେଲେ ବୟସ୍କ। ଦ୍ୱିତୀୟ ଲହରରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ଯୁବଗୋଷ୍ଠୀ। ଆଉ ତୃତୀୟ ଲହର ଆସିଲେ ଶିଶୁମାନେ ବହୁସଂଖ୍ୟାରେ ଆକ୍ରାନ୍ତ ହେବା ଆଶଙ୍କା କରୁଛନ୍ତି ବିଶେଷଜ୍ଞ। ୧ରୁ ୧୮ ବର୍ଷ ଭିତରେ ଶିଶୁ ଓ କିଶୋରମାନେ ପ୍ରଭାବିତ ହେବା ଆଶଙ୍କା ଥିବାରୁ ଏବେଠାରୁ ବଢ଼ିଲାଣି ଚିନ୍ତା। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ସେପ୍ଟେମ୍ବର-ଅକ୍ଟୋବୋର ବେଳକୁ ଥାର୍ଡ ୱେଭ୍ ଆସିବାର ସମ୍ଭାବନା ରହିଛି। କରୋନାର ଦ୍ୱିତୀୟ ଲହର ପୂର୍ବରୁ ସରକାରୀ ସ୍ତରରେ ସେତେଟା ପ୍ରସ୍ତୁତି ନଥିଲା। ଫଳରେ ଅଧିକ ଲୋକ ଆକ୍ରାନ୍ତ ହେବା ସହ ମୃତ୍ୟୁ ସଂଖ୍ୟା ବି ଢେର୍ ବଢିଥିଲା। ତେଣୁ ତୃତୀୟ ଲହରକୁ ସାମ୍ନା କରିବାକୁ ଏବେଠାରୁ ଆରମ୍ଭ ହେଲାଣି ପ୍ରସ୍ତୁତି।
ଗଞ୍ଜାମ ଜିଲ୍ଲାରେ ଅଙ୍ଗନଓ୍ୱାଡି, ଏଏନ୍ଏମ୍ ଓ ଆଶା କର୍ମୀମାନେ ଘରକୁ ଘର ବୁଲି ଶିଶୁମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସହ ଥର୍ମାଲ ସ୍କ୍ରିନିଂ କରୁଛନ୍ତି। ଶିଶୁମାନଙ୍କୁ ଜନଗହଳି ସ୍ଥାନକୁ ନନେଇ ଘରେ ରଖିବା, ମାସ୍କ ପିନ୍ଧିବା ସହ କୋଭିଡ ନିୟମକୁ ମାନିବାକୁ ସଚେତନ କରାଯାଉଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଏଯାଏଁ ରାଜ୍ୟରେ ୪୨ ହଜାର ୫୭୦ ଜଣ ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତୃତୀୟ ଲହରରରେ ଏହି ସଂଖ୍ୟା ଆହୁରି ବଢ଼ିପାରେ। ଏହାକୁ ଦୃଷ୍ଟିରେ ରଖି ଗତକାଲି କୋଭିଡ୍ ସ୍ଥିତିର ସମୀକ୍ଷାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ପିଲାମାନଙ୍କ କୋଭିଡ୍ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆବଶ୍ୟକ। ଉପକରଣ ଓ ମେଡିସିନ୍ ମହଜୁଦ ରଖିବାକୁ ବି କୁହାଯାଇଛି। ୧୧ଶହ ୧୪ ଡାକ୍ତର ଓ ଏକ ହଜାର ୩୬ ସ୍ୱାସ୍ଥ୍ୟକର୍ମୀଙ୍କୁ ଶିଶୁଙ୍କ କୋଭିଡ୍ ଚିକିତ୍ସା ସଂପର୍କରେ ତାଲିମ ଦିଆଯିବ ବୋଲି ଜଣାପଡ଼ିଛି।
ସେହିପରି ପିଲାଙ୍କ ପାଇଁ ୨୩୯୦ ଆଇସୋଲେସନ୍ ବେଡ୍ ଓ ୬୧୦ ଆଇସିୟୁ ବେଡ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଂଜାମ, କୋରାପୁଟ ଓ ରାୟଗଡ଼ାରେ ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ ବେଳେ ପିଲାମାନଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଛୋଟ ଛୁଆମାନେ ମଧ୍ୟ ଆକ୍ରାନ୍ତ ହେବା ଆଶଙ୍କା ଥିବାରୁ ବାପା-ମାଆମାନଙ୍କୁ ସତର୍କ ରହିବାକୁ ପଡ଼ିବ।
କୋଭିଡ୍ ନିୟମ ମାନିବା ସହ ଛୁଆମାନେ ଘରେ ରହିବା ଓ ବାପା ମାଆ ସଚେତନା ହେଲେ ଛୁଆମାନେ ସୁରକ୍ଷିତ ରହିବେ ବୋଲି ଡାକ୍ତର ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି। ଶିଶୁମାନଙ୍କ ଲାଗି ଏବେ ୨ଟି ଟିକା ପରୀକ୍ଷଣ ପର୍ଯ୍ୟାୟରେ ରହିଛି। ଟିକା ଯେତେ ଶୀଘ୍ର ଆସିବ ପିଲାଙ୍କୁ ସେତେ ଶୀଘ୍ର କରୋନା କବଚ ମିଳିପାରିବ।
ବ୍ରହ୍ମପୁରରୁ ଜଗନ୍ନାଥ ସାହୁ, ଝାରସୁଗୁଡାରୁ ଭାଗୀରଥି ସାହୁ ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)