Advertisment

କରୋନା : ମଣିଷ ନୁହେଁ, ମାନବିକତାର ବି ମୃତ୍ୟୁ ହେଉଛି

କରୋନା କାଳରେ ଖାଲି ମଣିଷ ନୁହେଁ, ମାନବିକତାର ବି ମୃତ୍ୟୁ ବି ହେଉଛି। ସ୍ଥିତି ଏମିତି ହେଉଛି ଯେ, ଅଣଲେଉଟା ଯାତ୍ରାରେ ଯାଉଥିବା ଆତ୍ମୀୟଙ୍କୁ ଶେଷ ବିଦାୟ ଜଣାଇବାକୁ ବି ଯାଉନାହାଁନ୍ତି ପ୍ରିୟ ପରିଜନ

author-image
Sarbeswar
ଅଦ୍ୟତନ ହୋଇଛି
କରୋନା : ମଣିଷ ନୁହେଁ, ମାନବିକତାର ବି ମୃତ୍ୟୁ ହେଉଛି

death

ଭୁବନେଶ୍ୱର: କରୋନା କାଳରେ ଖାଲି ମଣିଷ ନୁହେଁ, ମାନବିକତାର ବି ମୃତ୍ୟୁ ବି ହେଉଛି। ସ୍ଥିତି ଏମିତି ହେଉଛି ଯେ, ଅଣଲେଉଟା ଯାତ୍ରାରେ ଯାଉଥିବା ଆତ୍ମୀୟଙ୍କୁ ଶେଷ ବିଦାୟ ଜଣାଇବାକୁ ବି ଯାଉନାହାଁନ୍ତି ପ୍ରିୟ ପରିଜନ। ଏଭଳି ସ୍ଥିତିରେ ମଣିଷର ଶେଷ ଠିକଣା ଶ୍ମଶାନରେ ସ୍ୱେଚ୍ଛାକୃତ ଭାବେ ଦାହ ସଂସ୍କାର କରୁଛନ୍ତି ମଶାଣୀ ବନ୍ଧୁ। ହେଲେ କଥା ଏଇଠି ଅଟିକିନି, ହିନ୍ଦୁମାନଙ୍କ ପରଂପରା ଅନୁଯାୟୀ ଅସ୍ଥି ବିସର୍ଜନ ହେବା କଥା, କିନ୍ତୁ ଭୟ କରୁଛନ୍ତି ଜ୍ଞାତି କୁଟୁମ୍ବ। ଫଳରେ ଶ୍ମଶାନରେ ଅସ୍ଥି ସବୁ ଜମା ହୋଇରହୁଛି।

Advertisment

ମଶାଣି କହୁଛି ଦୟନୀୟ କାହାଣୀ। ଶୁଭୁଛି ରାମ ନାମ ସତ୍ୟ ହୈର ଶେଷ ଉଚ୍ଚାରଣ, ଜଳୁଛି ଜଣଙ୍କ ପରେ ଜଣଙ୍କ ଚିତା। ଗୋଟିଏ ଚିତା ନଲିଭୁଣୁ ପହଞ୍ଚି ଯାଉଛି ଆଉ ଏକ ମୃତଦେହ। ପଞ୍ଚ ଭୂତରେ ବିଲୀନ ହେବା ପାଇଁ ଶବ ସବୁକୁ ପହଞ୍ଚାଯାଉଛିି ଆମ୍ବୁଲାନ୍ସରେ। ଶେଷ ସତ୍କାର ପାଇଁ ଅହରହ ଲାଗପଡ଼ିଛନ୍ତି ମଶାଣୀ ବନ୍ଧୁ। ଏମିତି କିଛି ଚିତ୍ର ସୁନ୍ଦରଗଡ଼ ରାଣୀବଗିଚା ମଶାଣିରେ ଦେଖିବାକୁ ମିଳିଛି। ଜାରି ରହିଥିବା କରୋନାର ଦ୍ୱିତୀୟ ଲହର ବେଳେ ଏଭଳି କରୁଣ ଦୃଶ୍ୟ ଦୋହଲାଇ ଦେଉଛି ସମସ୍ତଙ୍କୁ।

ଗତ ୨ ମାସ ମଧ୍ୟରେ ପାଖାପାଖି ୨୫୦ ମୃତଦେହର ସତ୍କାର କରିସାରିଲେଣି ମଶାଣି ବନ୍ଧୁ। କାରଣ ବହୁତ କମ୍ ଲୋକଙ୍କ ସମ୍ପର୍କୀୟ ଆସୁଛନ୍ତି ମୁଖାଗ୍ନୀ ଦେବାକୁ। ଆଉ କିଛି ତ ଶେଷ ଦର୍ଶନ ଦୂରର କଥା, ମଶାଣୀ ପାଖ ହିଁ ମାଡୁନାହାଁନ୍ତି। ତେବେ ଯେନତେନ ପ୍ରକାରେ ଶବର ସତ୍କାର ସିନା ହୋଇଯାଉଛି, ହେଲେ ଅସ୍ଥି ନେବାକୁ ଅନେକାଂଶ ଆତ୍ମୀୟ ସ୍ୱଜନ ଆସୁନାହାଁନ୍ତି। ବାରମ୍ବାର ମୃତକଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଉଛି କିନ୍ତୁ ନାନା ଆଳ କରି ନୀରବ ରହିଯାଉଛନ୍ତି। ପରିଣାମ ସ୍ୱରୂପ ଏଭଳି ଭାବେ ୫୬ ଜଣଙ୍କର ଅସ୍ଥିକୁ ସୁରକ୍ଷିତ ରଖିଛନ୍ତି ରାଣୀବଗିଚା ମଶାଣିବନ୍ଧୁ। ଯଦି କେହି ନଆସିଲେ ପ୍ରୟାଗରାଜରେ ସାମୂହିକ ଅସ୍ଥି ବିସର୍ଜନ କରିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Advertisment

କେବଳ ସୁନ୍ଦରଗଡ଼ କାହିଁକି। କଟକ ସତୀଚଉରାରେ ବି ସେଭଳି ଅବସ୍ଥା। ପ୍ରତିଦିନ ଜଳୁଛି ମଶାଣି ନିଆଁ, ଏକାଧିକ ବ୍ୟକ୍ତିଙ୍କ କରାଯାଉଛି ଦାହ ସଂସ୍କାର। କିନ୍ତୁ ଏଠାରେ ୨୦ ପ୍ରତିଶତ ଜ୍ଞାତି କୁଟୁମ୍ବ ଅସ୍ଥି ସଂଗ୍ରହ କରୁଥିବାବେଳେ ୮୦ ପ୍ରତିଶତ ଲୋକ ପାଖ ହିଁ ମାଡୁନଥିବା କହିଛନ୍ତି ଏଠାକାର ମଶାଣି ବନ୍ଧୁ । ହିନ୍ଦୁ ଧର୍ମରେ ମୃତଦେହର ଦାହ ସତ୍କାର ପରେ ଅସ୍ଥି ବିସର୍ଜନ କରିବାର ପ୍ରଥା ଅଛି। ଧାର୍ମିକ ମାନ୍ୟତା ଅନୁସାରେ, ଗଙ୍ଗା ହେଉ କିମ୍ବା ଯେକୌଣସି ପବିତ୍ର ନଦୀରେ ବିସର୍ଜନ କଲେ ଆତ୍ମାର ମୋକ୍ଷ ପ୍ରାପ୍ତିର ବିଶ୍ୱାସ ରହିଛି। ତେବେ କରୋନା ଭୂତାଣୁ ବ୍ୟାପିବାର ଭୟରେ ହେଉ କିମ୍ବା ସାମାଜିକ ନଚେତ ଆର୍ଥିକ ଅସହାୟତାରୁ ହେଉ, ଦିନ ଦିନ ଧରି ଏଭଳି ପଡି ରହୁଛି ଆତ୍ମୀୟଙ୍କ ଅସ୍ଥି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୃତଦେହର ଦାର ସଂସ୍କାର ପରେ ଆଉ କରୋନା ଭୂତାଣୁ ସଂକ୍ରମଣର ଭୟ ନଥାଏ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଏକଥାକୁ ସ୍ପଷ୍ଟ କରୁଛନ୍ତି। ତେଣୁ ମନରେ କୌଣସି ଭୟ କି ସଂକୋଚ ନରଖି ନିଜ ଆତ୍ମୀୟଙ୍କର ଅସ୍ଥି ସଂଗ୍ରହ କରି ତାକୁ ବିସର୍ଜନର ବ୍ୟବସ୍ଥା କରିବା ଉଚିତ୍।

କଟକରୁ ବିଶ୍ୱଜିତ ଆଚାର୍ଯ୍ୟ, ଗୌତମ ପଣ୍ଡା, ସୁନ୍ଦରଗଡ଼ରୁ ବିଜୟ ବରୁଆଁ ଏବଂ ପୁରୀରୁ ପ୍ରଦୀପ ମହାନ୍ତିଙ୍କ ରିପୋର୍ଟ

Corona Breaking News
Advertisment
Advertisment