/odishatv-khabar/media/post_attachments/uploadimage/library/16_9/16_9_0/village-corona_1620925277.jpg)
village-corona
- ଜାତୀୟ ଗଣମାଧ୍ୟମ ରିପୋର୍ଟ, ଗାଁକୁ ଗଡ଼ କଲାଣି କରୋନା ମହାମାରୀ
- ଓଡ଼ିଶାର ଗ୍ରାମାଞ୍ଚଳରୁ ବାହାରିଲେଣି ଦୈନିକ ସଂକ୍ରମଣର ୭୬ ପ୍ରତିଶତ କେସ୍
- ତଥାପି ହେଜୁ ନାହାନ୍ତି ବେପରୁଆ, କେଉଁଠି ଭୋଜିଭାତ ତ କେଉଁଠି ଚାଲିଛି ଗଡ଼ିଆ ଗୋଳା
ଭୁବନେଶ୍ୱର: ଦ୍ୱିତୀୟ ଲହରରେ ଗ୍ରାମାଞ୍ଚଳକୁ ଗଡ଼ କଲାଣି କରୋନା ମହାମାରୀ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଦୈନିକ ସଂକ୍ରମଣ ବହୁ ଗୁଣା ହୋଇଯାଇଛି। ଓଡିଶାର ଗ୍ରାମାଞ୍ଚଳ ସ୍ଥିତି ବି ଚିନ୍ତାଜନକ ରହିଛି। ମେ ୯ ତାରିଖରେ ହୋଇଥିବା ଅନୁଶୀଳନରୁ ଜଣାପଡ଼ିଛି ଯେ ରାଜ୍ୟରେ ଦୈନିକ ସଂକ୍ରମଣର ୭୬ ପ୍ରତିଶତ ହେଉଛି ଗ୍ରାମାଞ୍ଚଳର। ଏଭଳି ସ୍ଥିତିରେ ଗାଁ ଗହଳିରେ ଅମାନିଆଙ୍କ ବେପରୁଆ ଭାବ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।
କେଉଁଠି ଗଡ଼ିଆ ଗୋଳେଇ ମାଛ ଧରା ଚାଲିଛି ତ ପୁଣି କେଉଁଠି ଗାଁ ଚଉତରାରେ କ୍ୟାରମ୍ ପିଟା କୁ ତାସ୍ ମାଡ଼ରେ ମସଗୁଲ ଲୋକେ। ମୁହଁରେ ମୁହଁ ଲଗେଇ ଖଟି କରୁଛନ୍ତି। ଟିକେ ବି ଡ଼ରିବାର ନାହିଁ। ମହାମାରୀ ମହାବିପତ୍ତି ବେଳେ ବି ଏମାନଙ୍କୁ ଗେଲ ଲାଗିଛି ଯେମିତି। ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ କିଛି ଗ୍ରାମାଞ୍ଚଳରେ ଏମିକି କିଛି ଦୃଶ୍ୟ ଦେଖିବାକୁ ମିଳିଛି। କରୋନାକୁ ଗୁଆ ଦେଇ ଘରକୁ ନିମନ୍ତ୍ରଣ କଲାଭଳି କାହାରି ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତା ନିୟମ ତ ଗାଧେଇ ପଳେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଲକଡାଉନ୍ ବେଳେ କୋଭିଡ୍ କଟକଣାକୁ ଫୁ କରି ଆମ୍ବଝର ନୂଆପଲ୍ଲୀ ଗାଁରେ ବାହାଘର ଭୋଜି ବି ଜମିଛି। ଅବଶ୍ୟ ସ୍ଥାନୀୟ ପ୍ରଶାସନ ଚଢ଼ାଉ କରି ରନ୍ଧାଖାଦ୍ୟକୁ ଜବତ୍ କରିଛି, ହେଲେ କରୋନାକୁ ନେଇ ଚାରିଆଡ଼େ ତ୍ରାହି ତ୍ରାହି ଡାକ ଭିତରେ ଗ୍ରାମାଞ୍ଚଳରେ କିଛି ଅମାନିଆଙ୍କ ବେପରୁଆ ଭାବକୁ ନେଇ ଏବେ ଚିନ୍ତା ବଢିଛି।
ଏପଟେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ କହୁଛି ଦ୍ୱିତୀୟ ଲହରରେ ମହାମାରୀ ଗାଁକୁ ଗଡ଼ କଲାଣି। ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କୋଭିଡ୍ ସ୍ଥିତିକୁ ନେଇ ଦେଶର ୨୪ଟି ରାଜ୍ୟରେ ଦୈନିକ ସଂକ୍ରମଣର ତଥ୍ୟ ଅନୁଶୀଳନରୁ ୧୩ଟି ରାଜ୍ୟରେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ପଜିଟିଭ୍ କେଶ୍ ବାହାରିଛି। ଏହି ଅନୁଶୀଳନ ଅନୁଯାୟୀ ଓଡ଼ିଶାରେ ଏପ୍ରିଲ୍ ୯ରେ ମୋଟ୍ କରୋନା ମାମଲାରୁ ୨୩ ପ୍ରତିଶତ କେଶ୍ ସହରାଞ୍ଚଳର ଥିବା ବେଳେ ୭୭ ପ୍ରତିଶତ କେଶ୍ ଗ୍ରାମାଞ୍ଚଳରୁ ଆସିଛି। ସେହିପରି ମେ ୯ରେ ମଧ୍ୟ ଗ୍ରାମାଞ୍ଚଳରୁ ୭୬ ପ୍ରତିଶତ କେଶ୍ ଚିହ୍ନଟ ହୋଇଥିଲା ବେଳେ ସହରାଞ୍ଚଳରୁ ରହିଛି ମାତ୍ର ୨୪ ପ୍ରତିଶତ। ଅବଶ୍ୟ ଗ୍ରାମାଞ୍ଚଳ ତାଲିକାରେ ସହର ଉପାନ୍ତ ଓ କ୍ଷୁଦ୍ର ସହର ସାମିଲ ରହିଛି। ତେଣୁ ଏଭଳି ସ୍ଥିତିରେ ଗ୍ରାମାଞ୍ଚଳରେ କୋଭିଡ୍ ପ୍ରତି ଲୋକଙ୍କ ବେପରୁଓ୍ୱା ଭାବ ଓ ହେୟ ଜ୍ଞାନ ଚିନ୍ତା ବଢ଼ାଇଛି। ଅପରପକ୍ଷେ ଲକଡାଉନ୍ କଟକଣା ସତ୍ତ୍ୱେ ବୌଦ୍ଧ ଜିଲ୍ଲାର ଗ୍ରାମାଞ୍ଚଳରେ ସଂକ୍ରମଣ ବଢୁଥିବାରୁ ଏହା ଭିତରେ ଜିଲ୍ଲାପ୍ରଶାସନ ତିନିଟି ବ୍ଲକ୍ ଅଞ୍ଚଳରେ ଥିବା ୨୫ଟି ମାଇକ୍ରୋ କଣ୍ଟେନମେଂଟ୍ ଜୋନରେ ତନଖିକୁ କଡ଼ାକଡି କରାଯାଇଛି।
ଖଲ୍ଲିକୋଟରୁ ସିଲୁ ବିଶ୍ୱାଳ, ବୌଦ୍ଧରୁ ଭାର୍ଜନ ପ୍ରଧାନ ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)