/odishatv-khabar/media/post_attachments/uploadimage/library/16_9/16_9_0/odihsa-graph_1620577138.jpg)
Corona
- ରାଜ୍ୟବ୍ୟାପି ମାଡ଼ିଚାଲିଛି ମହାମାରୀ କରୋନା
- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
- ୨୦%ରୁ ଅଧିକ ପଜିଟିଭିଟି ହାର ତାଲିକାରେ ଓଡ଼ିଶାର ୧୯ ଜିଲ୍ଲା
- ରାଉରକେଲା ଓ ବରଗଡ଼ରେ ସ୍ଥିତି ସମୀକ୍ଷା କଲେ ଡବ୍ଲୁଓଡିସି ଅଧ୍ୟକ୍ଷ
- ପଶ୍ଚିମ ଓଡ଼ିଶାର ବିଭିନ୍ନ ମେଡ଼ିକାଲରେ ଆଇସିୟୁ ବେଡ୍ ବଢ଼ାଇବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା ସେଇୟା ହିଁ ହେଉଛି । ସମସ୍ତ କଟକଣା ସତ୍ତ୍ୱେ ମାଡ଼ିଚାଲିଛି ମହାମାରୀ। ଜାରି ରହିଥିବା ଦୈନିକ ୧୦ ହଜାର ସଂକ୍ରମଣର ଟ୍ରେଣ୍ଡ ତଳକୁ ଖସିବାର ନାଁ ଧରୁନି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ କହୁଛି ୨୦ ପ୍ରତିଶତରୁ ଅଧିକ ପଜିଟିଭିଟି ହାର ଥିବା ଦେଶର ୨୯୬ଟି ଜିଲ୍ଲା ମଧ୍ୟରୁ ଓଡ଼ିଶାରୁ ରହିଛି ୧୯ଟି ଜିଲ୍ଲା। ଏହାକୁ ଦୃଷ୍ଟିରେ ରଖି ଗ୍ରାଉଣ୍ଡ ଜିରୋରେ ସ୍ଥିତିର ଘନ ଘନ ସମୀକ୍ଷା କରୁଛନ୍ତି ରାଜ୍ୟର ବରିଷ୍ଠ ଅଧିକାରୀ।
କରୋନା ସଂକ୍ରମଣର ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି ରାଜ୍ୟରେ। ଆଜି ବି ୧୦ ହଜାର ପାର୍ ଦୈନିକ ସଂକ୍ରମଣ। ଖୋର୍ଦ୍ଧାରୁ କଟକ, ସମ୍ବଲପୁରରୁ ସୁନ୍ଦରଗଡ଼ା ସବୁଠି ଉପରମୁହାଁ କରୋନା ଗ୍ରାଫ୍। ତେବେ କଣ କରୋନାର ଦ୍ୱିତୀୟ ଲହରରେ ସ୍ଥିତି ବିଗିଡିବାରେ ଲାଗିଛି କି ଓଡ଼ିଶାରେ? କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ କହୁଛି ଦେଶରେ ୨୦ ପ୍ରତିଶତରୁ ଅଧିକ ପଜିଟିଭିଟି ହାର ଥିବା ୨୯୬ଟି ଜିଲ୍ଲା ମଧ୍ୟରୁ ୧୯ଟି ଜିଲ୍ଲା ଓଡ଼ିଶାରେ ରହିଛି। ଏପ୍ରିଲ୍ ୩୦ରୁ ମେ୬ ପର୍ଯ୍ୟନ୍ତ ଏହି ସପ୍ତାହର ରିପୋର୍ଟରେ ଓଡ଼ିଶାରେ ଶୀର୍ଷରେ ରହିଛି ସମ୍ବଲପୁର ଜିଲ୍ଲା। ଯେଉଁଠି ପଜିଟିଭିଟି ରେଟ୍ ରହିଛି ୫୬.୮ ପ୍ରତିଶତ।
୪୧.୭ % ପ୍ରତିଶତ ସହ କଳାହାଣ୍ଡି ଦ୍ୱିତୀୟ ଏବଂ ୪୦.୨ ପ୍ରତିଶତ ସହ ସୁନ୍ଦରଗଡ଼ ତୃତୀୟ ସ୍ଥାନରେ ରହିଛି। ପଶ୍ଚିମ ଓଡ଼ିଶାରେ ସ୍ଥିତି ବିଗୁଡୁଥିବାରୁ ଆଜି ଗ୍ରାଉଣ୍ଡ ଜିରୋକୁ ଯାଇ ସମୀକ୍ଷା କରିଛନ୍ତି ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ WODC ଅଧ୍ୟକ୍ଷ ଅସିତ ତ୍ରିପାଠୀ। ସଂକ୍ରମଣର ମୁକାବିଲା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୯୦ଟି ଆଇସିୟୁ ଓ ୧୨୦ ଅକ୍ସିଜେନ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏଣେ ଚିନ୍ତା ବଢ଼ାଇବାରେ ଲାଗିଛି ବରଗଡ଼ା ମେ ୭ ତାରିଖର ରିପୋର୍ଟ କହୁଛି, ସେଦିନ ଜିଲ୍ଲାରୁ ମୋଟ୍ ୬୧୦ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଚିହ୍ନଟ ହୋଇଥିଲା ୪୨୮ଟି ପଜିଟିଭ୍ କେସ। ଅର୍ଥାତ ପଜିଟିଭିଟି ହାର ଥିଲା ୭୦.୧୬ ପ୍ରତିଶତ। ବରଗଡ଼ ଜିଳ୍ଲାରେ କୋଭିଡ୍ ସ୍ଥିତିର ସମୀକ୍ଷା କରି WODC ଅଧ୍ୟକ୍ଷ କହିଛନ୍ତି, ରୋଗୀ ସଂଖ୍ୟା ବଢ଼ିଥିଲେ ବି ସ୍ଥିତି ନିୟନ୍ତ୍ରଣାଧିନ ରହିଛିା ବରଗଡ଼ କୋଭିଡ ହସ୍ପିଟାଲ୍ ଏବଂ ବିକାଶ ହସ୍ପିଟାଲରେ ଅତିରିକ୍ତ ୩୦ଟି ଲେଖାଏଁ ଆଇସିୟୁ ବେଡ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏଣେ ଖୋର୍ଦ୍ଧା ଜିଲ୍ଲାରେ ବେଶ୍ କିଛିଦିନ ଧରି ଉପରମୁହାଁ ଥିବା ସଂକ୍ରମଣ କମୁନାହିଁ। ଜିଲ୍ଲାରୁ ଆଜି ସର୍ବାଧିକ ୧୫ଶହ ୬୪ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ଆକ୍ଟିଭ୍ କେସ୍ ରହିଛି ୧୪ ହଜାର ୫୮୬। ଜିଲ୍ଲା ପ୍ରଶାସନର ଆଶଙ୍କା ସଂଖ୍ୟା ଆଗକୁ ଆହୁରି ବଢ଼ିବ। ବିଶେଷ କରି ଗ୍ରାମାଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବାରୁ କଣ୍ଟେନମେଣ୍ଟକୁ ଗୁରୁତ୍ୱ ଦିଆଯିବା ସହ ଟିଏମ୍ସି ନିର୍ମାଣ କାର୍ଯ୍ୟ ଜାରି ରହିଥିବା କହିଛନ୍ତି ଜିଲ୍ଲାପାଳ। କଟକରେ କରୋନାକୁ ଚେକ୍ ଦେବାକୁ ଟିକାକରଣକୁ ବିଶେଷ ଗୁରୁତ୍ୱ ଦିଆଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)