naveen-patnaik.
ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷର କେନ୍ଦ୍ର ବଜେଟକୁ ନେଇ ବିଭିନ୍ନ ରାଜନୀତିକ ଦଳ ପ୍ରତିକ୍ରିୟା ଦେଉଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍ ସନ୍ତୁଳିତ ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ରର ବିଜେପି ସରକାର ସହ ଘନିଷ୍ଠତା ଭିତରେ କେନ୍ଦ୍ରୀୟ ବଜେଟକୁ ରୋକଠୋକ୍ ପ୍ରଶଂସା କି ସମାଲୋଚନା କରିବା ସ୍ଥିତିରେ ଶ୍ରୀ ପଟ୍ଟନାୟକ ନଥିବା ତାଙ୍କର ଆଜିର ବୟାନରୁ ଜଳଜଳ ହୋଇ ଜଣାପଡ଼ିଛି।
ଆଜି ସଂସଦରେ ଉପସ୍ଥାପିତ କେନ୍ଦ୍ର ବଜେଟ ଉପରେ ଶ୍ରୀ ପଟ୍ଟନାୟକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ବଜେଟରେ କେନ୍ଦ୍ର ସରକାରଙ୍କ କେତେକ ପଦକ୍ଷେପକୁ ଖୋଲାଖୋଲି ସ୍ୱାଗତ କରିଥିବାବେଳେ କିଛି ପ୍ରସଙ୍ଗରେ ନିଜର ଉଦବେଗ ବ୍ୟକ୍ତ କରିଛନ୍ତି। ମାତ୍ର କେଉଁଠି ବି ସିଧାସଳଖ କେନ୍ଦ୍ର ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇ ନଥିବା ଦେଖିବାକୁ ମିଳିଛି।
କେନ୍ଦ୍ର ବଜେଟ ଉପରେ ପ୍ରତିକ୍ରିୟା ରଖି ଶ୍ରୀ ପଟ୍ଟନାୟକ ଜାତୀୟ ଶୀତଳଭଣ୍ଡାର ସମୂହ ନିମନ୍ତେ ନିରନ୍ତର କୃଷି ରେଳ ଓ କୃଷି ଉଡାନ୍ ଭଳି ପ୍ରୟାସକୁ ସ୍ୱାଗତ କରିଛନ୍ତି। ଏହାସହିତ ପିଏମ-କୁସୁମ ଯୋଜନାରେ ୨୦ଲକ୍ଷ ଚାଷୀଙ୍କୁ ସୌରପମ୍ପ ଦେବା, ଟିକସ ବ୍ୟବସ୍ଥାରେ ରିହାତିକୁ ସାମିଲ କରାଯିବାକୁ ମଧ୍ୟ ସ୍ୱାଗତ କରିଛନ୍ତି। କର୍ପୋରେଟ୍ ଟିକସ ହ୍ରାସ ଭଳି ସମବାୟ କ୍ଷେତ୍ରରେ ରିହାତି ଟିକସ ହାରକୁ ସମ୍ପ୍ରସାରଣ ନିମନ୍ତେ ଓଡ଼ିଶା ଅନୁରୋଧ କରିଥିଲା। ଏଥିପାଇଁ କେନ୍ଦ୍ର ସରକାର ବଜେଟରେ ଆବଶ୍ୟକ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱାଗତ କରିଛନ୍ତି । ସେହିଭଳି ବୀମା କଭରେଜ୍ ଜମାରାଶିକୁ ୧ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି ତଥା ନୂଆ ଶିକ୍ଷା ନୀତି ଓ ଶିକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ ଭଳି ଘୋଷଣାକୁ ସେ ସ୍ୱାଗତ କରିଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ର ବଜେଟରେ କେତେକ ଦିଗ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି। ମାତ୍ର ବଜେଟରେ ଏଭଳି ଦିଗକୁ ଅଣଦେଖା ପାଇଁ କେନ୍ଦ୍ର ସରକାରଙ୍କୁ ସାମାନ୍ୟତମ ସମାଲୋଚନା କରିନଥିବା ଜଣାପଡ଼ିଛି।
ଶ୍ରୀ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ସମସ୍ତ ଆବଣ୍ଟନ ହାର ପୂର୍ବଭଳି ସ୍ଥିର ରହିଥିବାକୁ ନେଇ ଉଦବେଗ ବ୍ୟକ୍ତ କରିଥିବା ବେଳେ କେନ୍ଦ୍ରୀୟ ଟିକସରେ ରାଜ୍ୟଗୁଡ଼ିକର ଭାଗିଦାରୀ ପ୍ରାୟ ୫୯୦୦୦କୋଟି ଟଙ୍କା ହ୍ରାସ ପାଇଛି ବୋଲି କହିଛନ୍ତି। ଏଥିଯୋଗୁ ଓଡ଼ିଶାର ପ୍ରାୟ ୩ହଜାର କୋଟି ଟଙ୍କା ହ୍ରାସ ପାଇବ।
ସେହିପରି ଓଡ଼ିଶାର କୌଣସି ଐତିହ୍ୟ ସ୍ଥଳକୁ ବିକଶିତ କରଯାଇ ନାହିଁ। ଓଡ଼ିଶାରେ ମଧ୍ୟ ଏକ ଜାତୀୟ ଆଦିବାସୀ ମ୍ୟୁଜିୟମର ଆବଶ୍ୟକତା ଅଛି। ସେହିପରି ପାନୀୟ ଜଳ ହେଉଛି ଜାତୀୟ ପ୍ରାଥମିକତା। ଜାତୀୟସ୍ତରରେ ପ୍ରାୟ ମାତ୍ର ୧୧୫୦୦କୋଟି ଟଙ୍କା ଆବଣ୍ଟନ ହୋଇଛି ଯଦିଓ ଏବେ ୩.୬ଲକ୍ଷ କୋଟି ଟଙ୍କାର ଅନୁମୋଦିତ ଯୋଜନା ରହିଛି। କେବଳ ଓଡ଼ିଶା ପାନୀୟ ଜଳ କ୍ଷେତ୍ରରେ ୩୬୦୦କୋଟି ଟଙ୍କା ଖର୍ଚ୍ଚ ହେଉଛି।
ସେନସେକ୍ସ ହେଉଛି ଏକ ମାନଦଣ୍ଡ ଯାହା ନିବେଶକଙ୍କ ମଧ୍ୟରେ ଆସ୍ଥା ସୃଷ୍ଟି କରିଥାଏ। ମାତ୍ର ଆଜି ସେନସେକ୍ସରେ ପ୍ରାୟ ୧୦୦୦ ପଏଣ୍ଟ ହ୍ରାସ ପାଇଛି, ଯେଉଁଥିପାଇଁ ଅନେକ ପଦକ୍ଷେପ ନେବାର ବ୍ୟାପକ ପ୍ରୟାସ କରିବାକୁ ପଡ଼ିବ। ପୁଞ୍ଜିନିବେଶ ନିମନ୍ତେ ସବୁଠୁ ବଡ଼କଥା ହେଉଛି ନିବେଶକଙ୍କ ବିଶ୍ୱାସ। କିନ୍ତୁ ଅଭିବୃଦ୍ଧି ହାର ହେଉଛି ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ, ଯାହାକି ଆମର ଯୁବବର୍ଗଙ୍କ ଜୀବନଜୀବିକା ଓ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ବ୍ୟାପକ ପ୍ରଭାବ ପକାଇବ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ ଉଦବେଗ ପ୍ରକାଶ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/naveen-patnaik_1626691294.jpg)